ଚାଷକୁ ଆପଣେଇଛନ୍ତି ବୁଲେଟ୍‌ ରାଣୀ ବାବୁନି

ଆଜି ଜାତୀୟ ଯୁବ ଦିବସ

ଜୟ ଯବାନ୍‌, ଜୟ କିଷାନ୍‌। ଏହା କେବଳ ଆମେ ଉଚ୍ଚାରଣ କରୁ। କ’ଣ ସତରେ ତାହାକୁ କିଏ ଅନ୍ତରର ସହ ଗ୍ରହଣ କରନ୍ତି? ଯବାନ୍‌ ହେଲେ ସମାଜରେ ଇଜ୍ଜତ ମିଳେ। ସମସ୍ତେ ତାଙ୍କୁ ନେଇ ଗର୍ବ କରନ୍ତି। ସହିଦ ହେଲେ ଦୁଃଖ ବି। କିନ୍ତୁ କିଷାନ୍‌ (ଚାଷୀ)? ତା’ର ମୃତ୍ୟୁକୁ ନେଇ କେବଳ ଏଠି ରାଜନୀତି ହୁଏ। ଚାଷୀ ହେବାରେ ସମ୍ମାନ ନ ଥାଏ କିମ୍ବା ଟଙ୍କା ବି ନ ଥାଏ। ସମାଜର ଏଭଳି ଏକ ଧାରଣାକୁ ସମ୍ପୂର୍ଣ୍ଣ ଭୁଲ୍‌ ପ୍ରମାଣିତ କରିଛନ୍ତି ବାବୁନି ସାହୁ। ଆଜିର ଯୁବପିଢ଼ି ପାଠ ପଢ଼ି ଚାକିରି କରିବାକୁ ଆଗ୍ରହୀ ଥିବା ବେଳେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେ। ରାଜନୀତି ବିଜ୍ଞାନ, ସାମ୍ବାଦିକତା ଓ ସୋସିଆଲ୍‌ ଓ୍ଵାର୍କ ଆଦି ତିନିଟି ବିଷୟରେ ସ୍ନାତକୋତ୍ତର କରି ଉଚ୍ଚଶିକ୍ଷିତା ଏହି ଯୁବତୀ ଜଣକ ମା’ ମାଟିର ସମ୍ମାନରେ ଓଡ଼ିଆ ଜାତିର କୌଳିକ ବୃତ୍ତି ଚାଷ କାମକୁ ଜୀବନ ଜୀବିକା ଭାବେ ଗ୍ରହଣ କରି ଜଣେ ସଫଳ ଚାଷୀରେ ପରିଣତ ହୋଇଛନ୍ତି।

ବାବୁନି ସାହୁ। ବୟସ ୪୦। ଘର ବାଲିପାଟଣା। ଝିଅ ହେଲେ ମଧ୍ୟ ସେ ଅନ୍ୟମାନଙ୍କଠାରୁ ଭିନ୍ନ ନିଶ୍ଚୟ। ବେଶଭୂଷା ଓ ପୋଷାକ ପରିଚ୍ଛନ୍ନରେ ସେ ଦେଖିବାକୁ ପୁଅ ଭଳି। ତାଙ୍କ କର୍ମଠ ଜୀବନ, କର୍ମଚଞ୍ଚଳ ବ୍ୟବହାର ଓ ଦୃଢ଼ଇଚ୍ଛା ଶକ୍ତି ତାଙ୍କୁ ବାବୁନି ବାବୁ ସଜାଇ ଦେଇଛି। ଉଚ୍ଚଶିକ୍ଷିତା ହେଲେ ମଧ୍ୟ ବାପାଙ୍କଠାରୁ ପ୍ରେରଣା ପାଇ ନିଜ କୌଳିକ ବୃତ୍ତିରେ ନିଜକୁ ସାମିଲ୍‌ କରିଛନ୍ତି। ଗତ ୧୭ ବର୍ଷ ଧରି ସେ ୧୪ ଏକର ଜମିରେ କଠିନ ପରିଶ୍ରମରେ ସୁନା ଫଳାଉଛନ୍ତି। ପ୍ରାୟ ୧୦ ଏକର ଜମିରେ ସେ ଧାନ ଚାଷ କରୁଛନ୍ତି। ଧାନ ରୋଇବାଠୁ ବୁଣିବା ପର୍ଯ୍ୟନ୍ତ ସବୁକିଛି ସେ କରନ୍ତି।

ହଜାରେରୁ ଅଧିକ କଦଳୀ ଗଛ, ୫୦୦ ଅମୃତଭଣ୍ଡା ଗଛ ମଧ୍ୟ ଲଗାଇଛନ୍ତି। ପୁଣି ୪ଟି ପୋଖରୀରେ ମାଛ ଚାଷ ମଧ୍ୟ କରୁଛନ୍ତି। ଋତୁ ଅନୁଯାୟୀ ବାଇଗଣ, ଭେଣ୍ଡି, କଖାରୁ, କାକୁଡ଼ି ପରିବା ଉତ୍ପାଦନ କରୁଛନ୍ତି। ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ବୁଲେଟ୍‌ ଚଲାଉଥିବାରୁ ତାଙ୍କୁ ‘ବୁଲେଟ୍‌ ରାଣୀ’ର ପରିଚୟ ବି ମିଳିଛି। ବାବୁନି କୁହନ୍ତି, ୧୩୦ କୋଟି ଭାରତୀୟଙ୍କୁ ଖାଦ୍ୟ ଯୋଗାଇବାକୁ ହେଲେ ଆଜିର ଶିକ୍ଷିତ ଯୁବା କୃଷି କ୍ଷେତ୍ରକୁ ଓହ୍ଲାଇବାର ଆବଶ୍ୟକତା ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳକୁ ଚାଷ ଜମିରେ ବ୍ୟବହାର କଲେ ଯାଇ ଆମେ କୃଷି କର୍ମଣ ପୁରସ୍କାର ପାଇବାର ସାର୍ଥକତା ମିଳିପାରିବ। ଏଥିପାଇଁ ଯୁବ ପିଢ଼ି ଅଣ୍ଟା ଭିଡ଼ିବା ସହ ସରକାରୀ ପ୍ରୋତ୍ସାହନ ମଧ୍ୟ ଜରୁରୀ। ଏଥିସହ ଚାଷୀମାନଙ୍କ ଉପଯୁକ୍ତ ବଜାର ଯୋଗାଇ ଦେଲେ ଚାଷୀ ଆତ୍ମହତ୍ୟା ଆଦି ସମସ୍ୟା ସମାଜରୁ ଦୂର ହୋଇପାରନ୍ତା ବୋଲି ବାବୁନି କହିଛନ୍ତି।

ଖାଲି କୃଷି କ୍ଷେତ୍ରରେ ନୁହେଁ, କ୍ରିକେଟ୍‌ରେ ମଧ୍ୟ ଜାତୀୟ ସ୍ତରରେ ବାବୁନି ନିଜ ପ୍ରତିଭା ଦେଖାଇଛନ୍ତି। ସେ ଓଡ଼ିଶା ମହିଳା କ୍ରିକେଟ୍‌ ଟିମ୍‌ରେ ପ୍ରତିନିଧିତ୍ୱ କରି ୯ ଥର ଖେଳିଛନ୍ତି। ପୁଣି ୧୯୯୭ରୁ ୨୦୦୨ ମସିହା ପର୍ଯ୍ୟନ୍ତ ସେ କୁରଞ୍ଜିପୁର ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୨ରେ ସେ ଜିଲ୍ଲା ପରିଷଦ ସଭ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇ ଲୋକଙ୍କ ସେବା କରିଛନ୍ତି।

ସମ୍ବନ୍ଧିତ ଖବର