ଚନ୍ଦ୍ରଶେଖରପୁର: ଶୀତ ଅବକାଶରେ ସଜେଇ ହୋଇଛି କିଟ୍ ବିଶ୍ବବିଦ୍ୟାଳୟର ସବୁ କ୍ୟାମ୍ପସ୍। କିଟ୍, କିସ୍, କିମସ୍, ଶ୍ରୀବାଣୀ କ୍ଷେତ୍ର ଓ ଷ୍ଟାଡିୟମ୍ ଆଦି ରଙ୍ଗବେରଙ୍ଗର ଫୁଲରେ ଛାଉଣୀ ହୋଇପଡ଼ିଛି। କିଟ୍-ଶିଖରଚଣ୍ଡୀ ରାସ୍ତା କଡ଼ରେ ମଧ୍ୟ ବିଭିନ୍ନ ପ୍ରକାର ଫୁଲ କୁଣ୍ଡ ଶୋଭା ପାଉଛି। ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଏହାର ଭରପୂର ମଜା ଉଠାଉଛନ୍ତି। ଯୁବପିଢ଼ିଙ୍କ ଭିତରେ ବି ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖାଦେଉଛି। କିଏ ଫୁଲ ସହ ସେଲ୍ଫି ନେଉଛନ୍ତି ତ କିଏ ରିଲସ୍ ତିଆରି କରୁଛନ୍ତି।
ଦେଶୀ ବିଦେଶୀ ଗୋଲାପକୁ ନେଇ ଗୋଟିଏ ସ୍ବତନ୍ତ୍ର ସ୍ଥାନରେ ତିଆରି କରାଯାଇଛି ଗୋଲାପ ବଗିଚା (ରୋଜ୍ ଗାର୍ଡେନ୍)। କ୍ୟାମ୍ପସ୍ ପରିଭ୍ରମଣରେ ଆସୁଥିବା ଅଭିଭାବକ ଓ ପର୍ଯ୍ୟଟକଙ୍କ ଏହା ମନ ପସନ୍ଦିଆ ସ୍ଥାନ ପାଲଟିଛି। କ୍ୟାମ୍ପସ୍କୁ ଫୁଲରେ ସଜାଇବା ଦାୟିତ୍ବ ନେଇଥିବା ଅଧିକାରୀଙ୍କ ସୂଚନାନୁଯାୟୀ, ଅର୍କିଡ୍, ଲିଲି, ସେବତୀ, ଚମ୍ପା, ଗଙ୍ଗାଶିଉଳି, କାଗଜ ଫୁଲ, ସୂର୍ଯ୍ୟମୁଖୀ, ପଦ୍ମ ଫୁଲ କୁଣ୍ଡ, ଡାଲିଆ, ଜିନିଆ, ଏଷ୍ଟର, ରଜନୀଗନ୍ଧା, ସଦାବାହାର, କୁମୁଦିନୀ, ଦେବକଳି, ଗୁଲବାହାର, ପୋସ୍ତା, ମହିମା ଫୁଲ, ନର୍ଗିସ୍, ନଳିନୀ, ବନଫୁଲ, ନୀଳ ଫୁଲ, ଗୁଲମୋହାର, ପଳାସ, କନିଅର, ଯୁହି, ଚମେଲି, ମନ୍ଦାର, କାମଲତା, ଲାଜକୁଳି ଭଳି ୬୦ରୁ ଅଧିକ ପ୍ରକାର ଫୁଲ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସଜାଯାଇଛି। ଏହାକୁ ଦେଖିବା ପାଇଁ ସବୁ ବର୍ଗର ଲୋକମାନେ ଆସି ସାଂଧ୍ୟକାଳୀନ ଭ୍ରମଣର ମଜା ଉଠାଉଛନ୍ତି। ଦୁଇ ବର୍ଷ ମହାମାରୀ କରୋନା ପାଇଁ କ୍ୟାମ୍ପସ୍ ପରିଦର୍ଶନ ବନ୍ଦ ଥିବାରୁ ଚଳିତ ବର୍ଷ ଶତାଧିକ ଅଭିଭାବକ ନିଜ ପିଲାଙ୍କ ସହ କିଟ୍ ବିଶ୍ବବିଦ୍ୟାଳୟକୁ ଆସି ପୁଷ୍ପ ପର୍ଦଶନୀର ମଜା ଉଠାଉଛନ୍ତି।