ଭୁବନେଶ୍ୱର: ପ୍ରକୃତ ବନ୍ଧୁତାରେ ନଥାଏ କୌଣସି ପ୍ରକାର ବାଛବିଚାର। ଏହା ଏକପ୍ରକାର ମନର ମିଳନ। ବନ୍ଧୁତାରେ, ନା ଥାଏ ଜାତି ଅଜାତିର କଥା, ନା ଥାଏ ଧର୍ମ ସଂପ୍ରଦାୟର ବିଚାର। ନା ଥାଏ ଧନୀ ଦରିଦ୍ରର ବିଚାର, ନା ଥାଏ ଉଚ୍ଚଶିକ୍ଷିତ ଅର୍ଦ୍ଧଶିକ୍ଷିତର ଭେଦଭାବ। ବନ୍ଧୁତା କେବଳ ମନ ମିଶିବାର କଥା। ବନ୍ଧୁତା ଏମିତି ଏକ ସମ୍ପର୍କ, ଯେଉଁଠି ନଥାଏ ଦେଣନେଣର ହିସାବକିତାବ। ଆଜି ବନ୍ଧୁତ୍ୱ ଦିବସରେ ଏମିତି ତିନି ବନ୍ଧୁଯୋଡ଼ିଙ୍କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।
ବନ୍ଧୁତା ଦେଖିନି ଶାରୀରିକ ଅକ୍ଷମତା
ଓଡ଼ିଶୀ ନୃତ୍ୟଶିଳ୍ପୀ ମିଥିଲେଶ ପଟ୍ଟନାୟକ ଓ ଘନଶ୍ୟାମ ଦାସଙ୍କ ବନ୍ଧୁତା ବି ଅନ୍ୟତମ ଉଦାହରଣ। ମିଥିଲେଶଙ୍କଠାରେ ରହିଛି ସାମାନ୍ୟ ଭାବେ ମାନସିକ ଓ ଶାରୀରିକ ଅକ୍ଷମତା। କିନ୍ତୁ ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ବହୁ ଦୁର୍ବଳତା ଥିଲା ଏବଂ ଅସମ୍ଭବକୁ ସମ୍ଭବ କରିବାକୁ ଲକ୍ଷ୍ୟରେ ସେ ଓଡ଼ିଶୀ ଭଳି କଷ୍ଟକର ନୃତ୍ୟ ଶିଖିଲେ। ତାଙ୍କୁ ଦେଖିବା ପରେ ପ୍ରେରିତ ହୋଇଥିଲେ ଘନଶ୍ୟାମ। ଏକଦା ତବଲା ବାଦକ ହେବାର ସ୍ବପ୍ନ ନେଇ କଳାଜଗତକୁ ଆସିଥିବା ଘନଶ୍ୟାମ, ମିଥିଲେଶଙ୍କ ସହ ମିଶିବା ପରେ ଓଡ଼ିଶୀ ନୃତ୍ୟ ଶିକ୍ଷାକଲେ। ୧୯୯୬ ମସିହାରୁ ସେମାନେ ଏକାଠି ମଞ୍ଚରେ ପ୍ରଦର୍ଶନ କରିଆସୁଛନ୍ତି।
ବନ୍ଧୁ ସଜେଇଛି ମାନବସେବା
ଦୁଇ ବନ୍ଧୁ ଲଳିତ ରାୟ ଓ ଦେବୀପ୍ରସନ୍ନ ଜେନା। କୌଣସି ସାମାଜିକ ସଂଗଠନର ସଭ୍ୟ ନୁହନ୍ତି। କିନ୍ତୁ ମାନବସେବା ଜାରି ରହିଛି। ନିଜର ସାମର୍ଥ୍ୟ ଅନୁସାରେ ଲୋକଙ୍କୁ ହସ୍ପିଟାଲ୍ରେ ସାହାଯ୍ୟ କରିବା ଦୁଇ ବନ୍ଧୁଙ୍କ କାମ। ରକ୍ତଦାନ, ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ, ସବୁଥିରେ ଏକାଠି ହୋଇଯାଆନ୍ତି ଦୁଇ ବନ୍ଧୁ। ଜଣେ ଅଟୋମୋବାଇଲ୍ ବ୍ୟବସାୟୀ ଓ ଅନ୍ୟ ଜଣକ ଫାଇନାସିଆଲ୍ ଆଡ୍ଭାଇଜର୍। ସମାଜର ଅବହେଳିତ, ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାର ମନୋଭାବ ଉଭୟଙ୍କୁ ଯୋଡ଼ି ରଖିଛି ବୋଲି ସେମାନେ ଖୁସିରେ କହନ୍ତି।
ଜଗନ୍ନାଥଙ୍କ ପ୍ରେମ ଆଗରେ ଧର୍ମ ତୁଚ୍ଛ
ଜଣାଶୁଣା ମଞ୍ଚ ଉପସ୍ଥାପକ, ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗବେଷକ ଡ. ଶ୍ରୀନିବାସ ଘଟୁଆରୀ ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ ନୁର୍ ରାଜାଙ୍କ ବନ୍ଧୁତା ଏକ ନିଆରା ଉଦାହରଣ। ଜଣେ ହିନ୍ଦୁ ଓ ଅନ୍ୟଜଣକ ମୁସ୍ଲିମ୍। ୨୦୧୨ ମସିହାରେ ରବୀନ୍ଦ୍ର ମଣ୍ଡପରେ ଏକ ଓଡ଼ିଶୀ କାର୍ଯ୍ୟକ୍ରମରେ ଭେଟ ହେବା ପରେ ସେମାନେ ବନ୍ଧୁତା ସୂତ୍ରରେ ବାନ୍ଧି ହୋଇଯାଇଥିଲେ। ମୁସ୍ଲିମ୍ ସଂପ୍ରଦାୟର ହୋଇ ମଧ୍ୟ ନୁର୍ଙ୍କ ଜଗନ୍ନାଥ ପ୍ରେମ ଓ ଓଡ଼ିଶୀ ନୃତ୍ୟ ପ୍ରତି ସମର୍ପଣ ଭାବ ଦେଖି ଶ୍ରୀନିବାସ ଆକର୍ଷିତ ହୋଇଥିଲେ। ସେବେଠୁ ସେମାନେ ନିଜ ନିଜ ଧର୍ମକୁ ପଛ କରି ଜଗନ୍ନାଥ ପ୍ରେମ ପାଇଁ ବନ୍ଧୁତାରେ ବାନ୍ଧି ହୋଇଯାଇଛନ୍ତି। ଦୃଢ଼ ବନ୍ଧୁତାର କାରଣ ଉପରେ ଉଭୟେ କହନ୍ତି ସେମାନେ ପରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଇଜର ବାସିନ୍ଦା।