ଭୁବନେଶ୍ବର: ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। କେତେବେଳେ ବାତ୍ୟା ତ ଆଉ କେବେ ବନ୍ୟା ପ୍ରଭାବରେ ରାଜ୍ୟର ଭିତ୍ତିଭୂମି ଦୋହଲି ଯାଉଛି। ମରୁଡ଼ି ବି କିଛି କମ୍‌ ପ୍ରଭାବ ପକାଉ ନାହିଁ। ପ୍ରତିବର୍ଷ କୌଣସି ନା କୌଣସି ବିପର୍ଯ୍ୟୟ ଦ୍ବାରା ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲିବା ସହ ବହୁ ପଛକୁ ପଳାଇ ଯାଉଛି। କେବଳ ପ୍ରାକୃତିକ ବିପର୍ଯ୍ୟୟକୁ ଏଥିପାଇଁ ଦାୟୀ କରାଯାଇପାରିବ ନାହିଁ। ଓଡ଼ିଶା ପରି ଦେଶର ଅନେକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ମାତ୍ର ସେମାନେ ଓଡ଼ିଶାଠାରୁ ବହୁ ଆଗରେ ରହିଛନ୍ତି। ପ୍ରାକୃତିକ ସମ୍ବଳରେ ଭରପୂର ଥିବା ଓଡ଼ିଶା ବହୁ ବର୍ଷ ଧରି ରାଜନୈତିକ ଅସ୍ଥିରତା‌ ଯୋଗୁଁ ଆଗକୁ ବଢ଼ିପାରି ନଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଯେଉଁ କିଛି ଉନ୍ନତି କରିଛି ତାହା ଯଥେଷ୍ଟ ନୁହେଁ। ଓଡ଼ିଶାର ଖଣିଜ ସମ୍ପଦ ରାଜ୍ୟକୁ କିଛି ପରିମାଣରେ ଧନୀ କରିଥିଲେ ମଧ୍ୟ ତାହାକୁ ରାଜ୍ୟ ଭିତରେ ବ୍ୟବହାର କରିବାକୁ ଆବଶ୍ୟକ ହେଉଥିବା ଶିଳ୍ପାନୁଷ୍ଠାନର ଅଭାବ ଓଡ଼ିଆଙ୍କୁ ପଛରେ ପକାଇଛି।

Advertisment

‘ସମ୍ବାଦ’ ଓ ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ଧନୀ, ଓଡ଼ିଆ ଗରିବ: ପ୍ରାକୃତିକ ବିପର୍ଯ୍ୟୟ ଦାୟୀ କି?’ ପ୍ରସଙ୍ଗରେ ଭୁବନେଶ୍ବର ସହିତ ପୁରୀ, ଖୋର୍ଧା ଏବଂ ନୟାଗଡ଼ ଜିଲ୍ଲାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଭଳି ଯୁକ୍ତି ଉପସ୍ଥାପନ କରିଥିଲେ। ସମସ୍ତେ ଏକମତ ହୋଇଥିଲେ ଯେ ଓଡ଼ିଶା ଧନୀ ରାଜ୍ୟ ହୋଇଥିବା ବେଳେ ଓଡ଼ିଆମାନେ ବହୁ ପଛରେ ପଡ଼ିଛନ୍ତି। କେହି କେହି ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମହିଳା ସୁରକ୍ଷା ଭଳି ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ। ଏଥିରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ବିଦ୍ୟାବିଜିତା ମହାନ୍ତି ପ୍ରଥମ, ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀ ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ଦ୍ବିତୀୟ ଓ ଉତ୍କଳମଣି ହୋମିଓପାଥିକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ରାଉରକେଲାର ତେଜସ୍ବିନୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି।

ଏହି ମହାବିତର୍କରେ ଅବସରପ୍ରାପ୍ତ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର, ସ୍ତମ୍ଭକାର ସରଳ ଦାସ, ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଫେସର ମିତାଲି ଚିନ୍ନାରା ବିଚାରକ ରହିଥିଲେ। ପ୍ରତି‌ଯୋଗୀଙ୍କ ବକ୍ତବ୍ୟକୁ ମୂଲ୍ୟାୟନ କରି ପ୍ରଫେସର ମିଶ୍ର କହିଲେ ଓଡ଼ିଶାର ଅବନତି ପାଇଁ କେବଳ ପ୍ରାକୃତିକ ବିପର୍ଯ୍ୟୟକୁ ଦାୟୀ କରାଯାଇପାରିବ ନାହିଁ। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସମପରିମାଣରେ ଦାୟୀ। ସ୍ତମ୍ଭକାର ଶ୍ରୀ ଦାସ କହିଲେ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ସହଚର। ୧୦୦ ବର୍ଷ ମଧ୍ୟରେ ରାଜ୍ୟ ୯୦ଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତା’ସତ୍ତ୍ବେ ଆଗକୁ ବଢ଼ିବା ଏବେ ବଡ଼ ଆହ୍ବାନ। ପ୍ରଫେସର ଚିନ୍ନାରା କହିଲେ ଖଣିଜ ସମ୍ପଦ ଆମେ ବାହାରକୁ ପଠାଉଛୁ। ସେଠାରେ ସାମଗ୍ରୀ ପ୍ରସ୍ତୁତ ହେବା ପରେ ତାହାକୁ ଆମେ ବ୍ୟବହାର କରୁଛୁ। ଯେତେବେଳ ପର୍ଯ୍ୟନ୍ତ ଆମେ ଆମ ପ୍ରାକୃତିକ ସମ୍ପଦକୁ ରପ୍ତାନୀ କରି ଚାଲିଥିବା ସେ ପର୍ଯ୍ୟନ୍ତ ବିକାଶ ହୋଇପାରିବ ନାହିଁ। ଆମ ସମ୍ପଦକୁ ଆମେ ପ୍ରକୃତରେ ଉପଯୋଗ କରିପାରି ନାହୁଁ। ସେଥିପାଇଁ ଓଡ଼ିଶା ଯେ‌ତିକି ବିକାଶ କରିବା କଥା ତାହା ହୋଇନାହିଁ। ଏହା ନିଶ୍ଚିତ ଭାବେ ଆଜିର ଯୁବପିଢ଼ିଙ୍କ ପାଇଁ ଆହ୍ବାନ ବୋଲି ସେ ମତବ୍ୟକ୍ତ କରିଥିଲେ।

‘ଆମ ଓଡ଼ିଶା’ ସମ୍ପାଦକ ଅରବିନ୍ଦ ଦାସ ପ୍ରତିଯୋଗିତା ପରିଚାଳନା କରି ବୁଦ୍ଧିଜୀବୀଙ୍କ ନିରବତା ହିଁ ଓଡ଼ିଶାର ଦୁର୍ଗତି ପାଇଁ ଦାୟୀ ବୋଲି କହିଥିଲେ। ‘ସମ୍ବାଦ ସାହିତ୍ୟ ଘର’ ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ପ୍ରାକୃତିକ ବିପର୍ଯ୍ୟୟ ବିଷୟକୁ ଗମ୍ଭୀରତାର ସହ ବିଚାର କରିବାକୁ ପଡ଼ିବ ବୋଲି ମତପ୍ରକାଶ କରିଥିଲେ। ‘ସମ୍ବାଦ’ ଭୁବନେଶ୍ବର ମହାନଗର ମୁଖ୍ୟ ଆଶିଷ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ। ‘ସମ୍ବାଦ’ର ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ଡିଜିଟାଲ୍‌ ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।