ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ପକ୍ଷରୁ ଜୀବାଶ୍ମ ପ୍ରଦର୍ଶନୀ

ଭୁବନେଶ୍ୱର: ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ପକ୍ଷରୁ ଆଜି ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଜୀବାଶ୍ମ ପ୍ରଦର୍ଶିତ ହୋଇଛି। ଏହି ଅବସରରେ ବିଭିନ୍ନ ଜୀବାଶ୍ମ ସହିତ ଦେଖିବାକୁ ମିଳିଛି ଡାଇନୋସର ଅଣ୍ଡା। ଡାଇନୋସର ବିଶ୍ୱର ବୃହତ ପ୍ରାଣୀ ହୋଇଥିଲେ ମଧ୍ୟ ଏହା ବିଶ୍ୱରୁ ଲୋପ ପାଇଯାଇଛି। ଏହି ଅବସରରେ ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯାଇଛି ଡାଇନୋସର ଅଣ୍ଡା। ଏହି ଅଣ୍ଡାକୁ ଦେଖିବା ପାଇଁ ଆଜି ପିଲାମାନଙ୍କର ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା। ଏହି ପ୍ରଦର୍ଶନୀ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ସଂଗ୍ରହାଳୟରେ ପ୍ରଦର୍ଶନ କରାଯିବ ବୋଲି ସଂଗ୍ରହାଳୟ ନିର୍ଦେଶକ ବୈଜ୍ଞାନିକ ଗୌରବ ସୂଚନା ଦେଇଛନ୍ତି। ଏହି ଅବସରରେ ବିଭିନ୍ନ ସ୍କୁଲରୁ ପ୍ରାୟ ୮୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆଜି ପିଲାମାନଙ୍କୁ ସଂଗ୍ରହାଳୟ ପ୍ରଦର୍ଶନୀ, ପ୍ଲାଷ୍ଟିକ୍‌ କ’ଣ, ଏହାର ବିବିଧତା, ମିଶ୍ରଣ, କାରଣ ଓ ନିରାକରଣ ଉପରେ ସଚେତନତା କରାଯାଇଥିଲା। ଗୁଜୁରାଟର ଗିର୍‌ ଫାଉଣ୍ଡେସନ ଓ ସୁଭଦ୍ରା ଚାରିଟେବଲ ଟ୍ରଷ୍ଟର ସହଯୋଗରେ ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ପକ୍ଷରୁ ଜୀବାଶ୍ମ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ଏ.କେ ଗୁପ୍ତା ଓ ସମ୍ମାନିତ ଅତିଥି ଭାବେ ଗୁଜୁରାଟ ଗିର ଫାଉଣ୍ଡେସନ୍‌ର ରିସୋର୍ସ ପର୍ସନ କୁସୁମ୍‌ ସୂତାର ଯୋଗ ଦେଇ ଗ୍ରୀଷ୍ମକାଳୀନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ୨୦୧୮ ମସିହାର ଥିମ୍‌ ରହିଛି ‘ପ୍ଲାଷ୍ଟିକ୍‌ ପ୍ରଦୂଷଣ ବନ୍ଦ କର’। ତେଣୁ ଏହାକୁ ନେଇ ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟରେ ଆସନ୍ତା ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଶିବିର ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିରେ ପିଲାମାନଙ୍କୁ ବିଶ୍ୱର ଜୈବ ବିବିଧତା ବିଷୟରେ ଶିକ୍ଷା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର