ଅନ୍ତଃସୌନ୍ଦର୍ଯ୍ୟ ହିଁ ପ୍ରକୃତ ସୌନ୍ଦର୍ଯ୍ୟ

ଭୁବନେଶ୍ବର: ଯାହା ଆଖିକୁ ଦିଶେ ତାହା ସୌନ୍ଦର୍ଯ୍ୟ, ନା ଯାହା ଜଣଙ୍କ ଅନ୍ତରର ସୌନ୍ଦର୍ଯ୍ୟବୋଧରୁ ଉପଲବ୍ଧି କରିହୁଏ ତାହା ସୌନ୍ଦର୍ଯ୍ୟ? ସଭିଏଁ ଭାଷଣ ଦେବା ବେଳେ ଅନ୍ତରକୁ ଶୁଦ୍ଧ କରିବା ପାଇଁ ଉପଦେଶ ଦିଅନ୍ତି। ମାତ୍ର କେତେଜଣ ତାହାକୁ ମାନନ୍ତି ଅବା ପାଳନ କରନ୍ତି, ତାହା ପ୍ରଶ୍ନବାଚୀ। ମଣିଷ ନିଜକୁ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ କେତେ ଯେ ପ୍ରସାଧନ ସାମଗ୍ରୀରେ ସୁସଜ୍ଜିତ ହୁଏ ତାହା ଏ ସମାଜରେ ଜଳଜଳ ଦିଶେ। ମାତ୍ର ନୀରିହ ଆଦିବାସୀ ନିଜ ମୁହଁ ଓ ଦେହରେ ଚିତା କୁଟେଇ ବିକୃତ କରି ଅନ୍ତଃ ସୌନ୍ଦର୍ଯ୍ୟକୁ ଗୁରୁତ୍ବ ଦିଏ। ସୌନ୍ଦର୍ଯ୍ୟର ପ୍ରକୃତ ରୂପକୁ ଉପସ୍ଥାପନ କରିବାର ଅବକାଶ ଆଣିଥିଲା ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ନାଟକ ‘ବନାଗୁଦା’। କଳାହାଣ୍ଡି ଭବାନୀପାଟଣାର ‘କାରୁଣ୍ଡ କଳାମଂଚ’ର କଳାକାରମାନେ ପରସିଥିଲେ ଏହି ନାଟକ। ‘ମନନ’ ନାଟ୍ୟ ଉତ୍ସବ ଅବସରରେ ମଂଚସ୍ଥ ନାଟକର ରଚନା ଓ ନିର୍ଦେଶନା ଦେଇଛନ୍ତି ପ୍ରଦୀପ ଡି ମାଝୀ। ଏହି ଅବସରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ ନାୟକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନାଟ୍ୟାନୁଷ୍ଠାନର ସଭାପତି ମନୋଜ ପଟ୍ଟନାୟକ ଓ ବଙ୍କିମ ନାୟକ ଉପସ୍ଥିତ ଥିଲେ। ନିରଂଜନ ରାଉତ, ବ୍ରଜକିଶୋର ମଲ୍ଲିକ, ରେବତୀ କୁମାରୀ ଦାଶଙ୍କୁ ‘ମନନ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର