‘ଏବଂ ଆମେ’ର ଦ୍ୱିତୀୟ ସନ୍ଧ୍ୟା : ମଞ୍ଚରେ ‘ଅଧରାତି ପରେ’

ଭୁବନେଶ୍ୱର : ପେଟ ପାଇଁ ଦୁନିଆରେ ଯେତେ ସବୁ ନାଟ। କିଛି ଚରିତ୍ର ଅଛନ୍ତି, ଅଧରାତି ପରେ ନିଜ ପେଟ ପାଇଁ ଦାନା ଯୋଗାଡ଼ କରିବାରେ ଲାଗି ପଡ଼ନ୍ତି। ସେମାନଙ୍କୁ ଆମ ସମାଜ ‘ଚୋର’ର ଆଖ୍ୟା ଦେଇଛି। କିନ୍ତୁ ଏମିତି ଆଉ କିଛି ଚରିତ୍ର ବି ଅଛନ୍ତି, ଯେଉଁମାନଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଥିଲେ ମଧ୍ୟ ଅନ୍ୟର ଜୀବନ ନେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ତଥାପି ସେମାନଙ୍କୁ ସେତିକି ଦଣ୍ଡ ମିଳେ, ଯେତିକି ଗୋଟେ ଚୋରକୁ ମିଳେ। ଚୋରଟିଏ ଚୋରି କରି ନିଜକୁ ଦୋଷୀ ବୋଲି ସ୍ୱୀକାର କରେ। ହେଲେ ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟର ହତ୍ୟା କରେ, ସେ ଦୋଷୀ ନା ପାପୀ?

ଏଇ ପାପୀମାନଙ୍କର ବିନାଶ ପାଇଁ ରାଜକୁମାର ଅଗ୍ରସର ହୋଇଛି। ହେଲେ ସେ କ’ଣ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛି? ସତରେ କ’ଣ ପାପୀମାନଙ୍କର ବିନାଶ ହୋଇଛି? ଏମିତି ବିଷୟକୁ ନେଇ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଛି ଦୁର୍ଯ୍ୟୋଧନ ସାହୁଙ୍କ ନିର୍ଦ୍ଦେଶିତ ନାଟକ ‘ଅଧରାତି ପରେ।’

‘ଏବଂ ଆମେ’ ପକ୍ଷରୁ ଆୟୋଜିତ ୬ଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ରୋଟାରି କ୍ଲବର ଦେବାଶିଷ ମିଶ୍ର, ବିଧାୟକ ଦେବାଶିଷ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ସଚ୍ଚି ଦାସ, ସମ୍ପାଦକ ଶୁଭକାନ୍ତ ପଢ଼ିଆରୀ ଓ ସହ ସମ୍ପାଦକ ରମାକାନ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଜ୍ଞାଦତ୍ତ ସାହୁ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର