ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଏବଂ ଓଡ଼ିଶା ନାଟ୍ୟସଂଘର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ନାଟ୍ୟଧାରର ତୃତୀୟ ସୋ’ରେ ନାଟକ ‘ଚାଖି ଖୁଣ୍ଟିଆ’ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରି ଦେଇଥିଲା।

Advertisment

ପଞ୍ଚମବେଦ ପକ୍ଷରୁ ପରିବେଷିତ ଏହି ନାଟକରେ ଚନ୍ଦନ ହଜୁରୀ ଅର୍ଥାତ ଚାଖି ଖୁଣ୍ଟିଆ ନାମରେ ପରିଚିତ ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ସିପାହୀ ବିଦ୍ରୋହର ଯୋଦ୍ଧାଙ୍କୁ ଦେଖିବାକୁ ମିଳିଛି। ଜନ୍ମଠୁ ନେଇ ଯୋଦ୍ଧା ଭାବେ ସିପାହୀ ବିଦ୍ରୋହରେ ଯୋଗଦେବା, ଜେଲ୍‌ ଯିବା ଓ ଶେଷରେ ୧୮୫୮ରୁ କାରାଗାରରୁ ମୁକ୍ତି ପାଇଁ ପୁରୀଠାରେ ନିଜକୁ ଜଗନ୍ନାଥଙ୍କ ପାଖରେ ସମର୍ପି ଦେବାର ଦୃଶ୍ୟ ଏହି ନାଟକରେ ରହିଛି। ପ୍ରକାଶ ମହାରଣାଙ୍କ ନିର୍ଦ୍ଦେଶିତ ଏହି ନାଟକରେ ମୁକ୍ତିକାନ୍ତ ମହାପାତ୍ର, ମୋନାଲିସା ରାଉତ, କାବେରୀ ଶତପଥୀ, ଗୋବିନ୍ଦ ମହାପାତ୍ର, ସୁନୀଲ ନାୟକ, ଶୁଭ୍ରାଶିଷ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଅତିଥି ଭାବେ ନାଟ୍ୟକାର ହରେନ୍‌ ସାହୁ, ରବିନାରାୟଣ ବେହେରା, ସୁରେନ୍ଦ୍ର ନାଥ ଦାଶ, ସୀମନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।