ଭୁବନେଶ୍ବର: ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ କର୍ମୀ ସମ୍ମିଳନୀ ବୁଧବାର ବରମୁଣ୍ଡା ଠାରେ ଅନୁଷ୍ଠିତ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ହଜାର ହଜାର ଚାଷୀ ଯୋଗଦେବାର ସମ୍ଭାବନା ରହିଛି। ତେଣୁ ଟ୍ରାଫିକ୍‌ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏସବୁକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ଟ୍ରାଫିକ୍‌ କଟକଣା ଜାରି କରିଛି। ଖୋର୍ଦ୍ଧା ପଟୁ କର୍ମୀମାନଙ୍କୁ ନେଇ ଆସୁଥିବା ସମସ୍ତ ଯାନବାହନ ଖଣ୍ଡଗିରି ଛକ ଅତିକ୍ରମ କରି ତାରିଣୀ ମନ୍ଦିର ‘ଗ୍ରିନ ଆର୍ଥ ନର୍ସରି’ ପାଖରେ କର୍ମୀଙ୍କୁ ଛାଡ଼ି ବାମ ପାର୍ଶ୍ବ ଦେଇ ଖଣ୍ଡଗିରି ଟୁରିଷ୍ଟ ବସଷ୍ଟାଣ୍ଡ, ଜୟଦେବ ବାଟିକା ଉଭୟ ପାର୍ଶ୍ବରେ ପାର୍କିଂ କରିବେ।

Advertisment

ସେହିପରି କଟକ ଓ ପୁରୀ ପଟୁ କର୍ମୀମାନଙ୍କୁ ନେଇ ଆସୁଥିବା ଯାନବାହନ ଗୁଡ଼ିକ ପଳାଶୁଣି, ରସୁଲଗଡ଼, ବାଣୀବିହାର ଦେଇ ନୂଆପଲ୍ଲୀ ରାବଣ ପୋଡ଼ି ପଡ଼ିଆ ସମ୍ମୁଖ ସର୍ଭିସ ରୋଡ୍‌ରେ ସିଆର୍‌ପି, ଫାୟାର ଷ୍ଟେସନ୍‌ ଛକରୁ ରେଣ୍ଟାଲ୍‌ ପଟ ଦେଇ ଦଳୀୟ କର୍ମୀଙ୍କୁ ଛାଡ଼ିବେ। ଏହାପରେ ଗାଡ଼ି ଗୁଡ଼ିକୁ ଜୟଦେବ ବାଟିକା ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ କରିବେ। ନନ୍ଦନକାନନ ପଟୁ କର୍ମୀମାନଙ୍କୁ ନେଇ ଆସୁଥିବା ଯାନବାହନ କଳିଙ୍ଗ ହସ୍ପିଟାଲ୍‌ ଛକରୁ ସୈନିକ ସ୍କୁଲ, ଆଚାର୍ଯ୍ୟବିହାର ଦେଇ କଳିଙ୍ଗ ଷ୍ଟୁଡିଓ ଛକ, ଜୟଦେବ ବାଟିକା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ କରିବେ। ଭୁବନେଶ୍ବର ସିଟି ମଧ୍ୟରୁ ଯାଉଥିବା ଗାଡ଼ି ଜୟଦେବ ବାଟିକା ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ବରେ ପାର୍କିଂ କରିବେ।
ସମସ୍ତ ପୁଲିସ ଯାନବାହନ ଏବଂ ଦୁଇ ଚକିଆ ଯାନ ରାଜଧାନୀ ମହାବିଦ୍ୟାଳୟ ଖେଳ ପଡ଼ିଆରେ ପାର୍କିଂ କରିବେ। କଟକ-ପୁରୀ ପଟୁ ଆସୁଥିବା ବସ୍‌ ଗୁଡ଼ିକ ଜାତୀୟ ରାଜପଥ ୧୬ଦେଇ ଖଣ୍ଡଗିରି ଛକକୁ ‌ଯିବେ। ସେଠାରୁ ୟୁ ଟର୍ଣ୍ଣ କରି ସର୍ଭିସ ରୋଡ୍‌ରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯିବେ।