ନବଚେତନାର ପ୍ରତୀକ ଥିଲେ ନବକୃଷ୍ଣ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଯେମିତି ବିଶ୍ବ ଦରବାରରେ ଓଡ଼ିଶାର ପରିଚୟ, ରାଜନୀତି କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ସେମିତି ଓଡ଼ିଶାର ପରିଚୟ। ନବକୃଷ୍ଣ ଥିଲେ ଜଣେ ଦରଦୀ ମୁଖ୍ୟମନ୍ତ୍ରୀ। ସେ ଥିଲେ ଗରିବଙ୍କ ବନ୍ଧୁ। ବରଗଡ଼ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକ ପତ୍ରିକା କୋଶଲଟାଇମ୍ ଆନୁକୂଲ୍ୟରେ ଭୁବନେଶ୍ବର ଭଞ୍ଜ କଳାମଣ୍ଡପଠାରେ ଆୟୋଜିତ ୧୨୨ତମ ନବକୃଷ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି। ଭଗବାନ ଶ୍ରୀକୃଷ୍ଣ ଯେମିତି ଅର୍ଜୁନଙ୍କ ରଥର ସାରଥୀ ହୋଇ ତାଙ୍କୁ ନୂତନ ଚେତନା ପ୍ରଦାନ କରିଥିଲେ, ଠିକ୍ ସେମିତି ନବକୃଷ୍ଣ ଚୌଧୁରୀ ବିଂଶ ଶତାବ୍ଦୀର ଓଡ଼ିଶାକୁ ନବଚେତନା ଦେଇଥିଲେ। ସ୍ବର୍ଗତ ଚୌଧୁରୀଙ୍କ ଜୀବନର ଯାତ୍ରା କସ୍ମିକ୍‌ରୁ କମନ୍ ଏବଂ କମନ୍‌ରୁ କସ୍ମିକ୍‌ ଥିଲା। ସେ ବାସ୍ତବରେ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି ଥିଲେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ତମ୍ଭକାର ଭଗବାନ ପ୍ରକାଶ କହିଥିଲେ ଯେ ଲୋକନୀତି ହିଁ ରାଜନୀତିକୁ ବିଶୁଦ୍ଧ କରିପାରିବ। ନବକୃଷ୍ଣ ଚୌଧୁରୀ ଏହା କରୁଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ସର୍ବଦା ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରୁଥିଲେ। ସେ ଓଡ଼ିଶାର ବିନୋବା ଭାବେ ଥିଲେ ବୋଲି ଶ୍ରୀ ପ୍ରକାଶ କହିଥିଲେ। ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ସ୍ଥପତି ସୁଦର୍ଶନ ସାହୁ କହିଲେ ‌ଯେ ଜଗନ୍ନାଥ ମାଟିରେ ଦୁଇଜଣ ପ୍ରତିଭା ଜନ୍ମ ନେଇଥିଲେ। ଜଣେ ହେଲେ ଗୋପବନ୍ଧୁ ଦାସ ଯିଏ ଦରିଦ୍ର ହୋଇ ଦରିଦ୍ର ସେବାରେ ଜୀବନକୁ ଉତ୍ସର୍ଗ କରିଥିଲେ। ଅନ୍ୟଜଣକ ହେଲେ ନବକୃଷ୍ଣ ଯିଏ କି ଜଣେ ଜମିଦାରଙ୍କ ପୁଅ ହୋଇ ମଧ୍ୟ ଗରିବଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ନିଜେ ଦରିଦ୍ର ହେବାକୁ ପସନ୍ଦ କରିଥିଲେ। ଅନ୍ୟତମ ଅତିଥି ଗବେଷକ ଶୁଭ୍ରାଂଶୁ ପଟ୍ଟନାୟକ କହିଥିଲେ ଯେ ନବକୃଷ୍ଣଙ୍କ ଭୂବନ୍ଦୋବସ୍ତ ଆଇନ ଓ ଭାରତୀୟ ସିନେମା ଆକ୍ଟ୍ ସଂସଦରେ ପାରିତ ହୋଇଥିଲା। ସେହିଭଳି କାଶ୍ମୀର ସମସ୍ୟା, ନାଗା ସମସ୍ୟା ଓ ନକ୍ସଲ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ନବକୃଷ୍ଣଙ୍କ ଦ୍ବାରା ହୋଇଥିଲା ବୋଲି ସେ କହିଥିଲେ।

ଏହି ଅବସରରେ ଶୁଭ୍ରାଂଶୁ ପଟ୍ଟନାୟକଙ୍କ ଲିଖିତ ‘ଯୁଗଜନ୍ମା ବାପି’ ଉନ୍ମୋଚିତ ହୋଇଥିଲା। ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରୁ ଆସିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ, ସହିଦଙ୍କ ପରିବାରବର୍ଗ, ଦିବ୍ୟାଙ୍ଗ ପ୍ରତିଭା, ଦାରିଦ୍ର୍ୟ ସତ୍ତ୍ବେ ନିଜର ସାଧନା ବଳରେ ସଫଳତା ପାଇଥିବା କିଛି ଅନନ୍ୟ ପ୍ରତିଭା ଏବଂ କୋଶଲଟାଇମ୍ ଆନୁକୂଲ୍ୟରେ ଶରୀର ଦାନ କରିଥିବା ୩୦ ଜଣ ପ୍ରତିଭାଙ୍କୁ କୋଶଲଟାଇମ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଥିଲା। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ନିହତ କଳାହାଣ୍ଡି ମୋହନଗିରିର ଧରିତ୍ରୀ ପ୍ରତିନିଧି ରୋହିତ ବିଶ୍ବାଳଙ୍କୁ ସାମ୍ବାଦିକ ରଣଜିତ୍ ଗୁରୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ବିକାଶ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଅମ୍ରିତା ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ପନ୍ଦନିକା ପଟ୍ଟନାୟକ ଏକ ଭଜନ ପ୍ରସ୍ତୁତ କରିଥିଲେ। କବୀ ପ୍ରବାସିନୀ ହୋତା ସ୍ୱାଗତ ଭାଷଣ ଓ ବିବରଣୀ ପ୍ରଦାନ କରିଥିବା ବେଳେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଭୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର