କୁଦିଆରୀରେ ନବରାତ୍ର ମହୋତ୍ସବ, ମା’ ଗଡ଼ବଘେଇଙ୍କୁ ଭେଟିଲେ ମା’ ଜାଗୁଳେଇ

ମନମୋହିଲା ମହାଗୌରୀ ବେଶ

ଜଟଣୀ: କୁଦିଆରୀର ଅଧିଷ୍ଠାତ୍ରୀ ଦେବୀ ମା’ଜାଗୁଳାଇଙ୍କ ପୀଠରେ ଚାଲିଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଅବସରରେ ଆଜି ଗାଁରେ ଏକ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଥିଲା। ମା’ ଜାଗୁଳେଇ ନିଜ ଭଉଣୀ ତଥା ଗାଁର ଅନ୍ୟତମ ଆରାଧ୍ୟ ଦେବୀ ମା’ ଗଡ଼ବଘେଇ ଠାକୁରାଣୀଙ୍କୁ ଭେଟିଥିଲେ। ପ୍ରାୟ ଶହେ ବର୍ଷ ପରେ ଦୁଇ ଦେବୀଙ୍କ ମିଳନର ଦିବ୍ୟ ଦର୍ଶନ ପାଇଁ ଆଜି କୁଦିଆରୀ ଗାଁ ସାରା ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା।

ମଙ୍ଗଳବାର ଅଷ୍ଟମୀ ତିଥିରେ ସକାଳେ ସୂର୍ଯ୍ୟପୂଜା ପରେ ମା’ ଜାଗୁଳେଇଙ୍କୁ ସୁସଜ୍ଜିତ ପାଲିଙ୍କିରେ ଉପବେଶନ କରାଯାଇଥିଲା। ଦେବୀଙ୍କୁ ବିଭିନ୍ନ ସାହିରେ ପରିକ୍ରମା କରାଯିବା ପରେ ମା’ ଗଡ଼ବଘେଇ ଠାକୁରାଣୀଙ୍କ ମନ୍ଦିରକୁ ନିଆଯାଇଥିଲା। ସେଠାରେ ମା’ ଗଡ଼ବଘେଇ ଠାକୁରାଣୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମା’ଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ କୋଠ ଭୋଗ ଓ ମଧ୍ୟାହ୍ନ ଭୋଗ ଲାଗି କରାଯାଇଥିଲା। ଅପରାହ୍ନ ୪ଟାରେ ମା’ଜାଗୁଳାଇ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କ ମହାଗୌରୀ ବେଶ ନୀତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ଆଳତି ପରେ ମା’ଙ୍କୁ ଏହି ଅପୂର୍ବ ବେଶରେ ଶହଶହ ଭକ୍ତ ଦର୍ଶନ କରିଥିଲେ। ଆସନ୍ତାକାଲି ମା’ ଜାଗୁଳେଇ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ। ଏହି ଅବସରରେ କୁମାରୀପୂଜା ଅନୁଷ୍ଠିତ ହେବ। ୯ ଜଣ ନାବାଳିକାଙ୍କୁ ମା’ଙ୍କ ୯ ରୂପରେ ସଜାଇ ଦିଆଯିବ ଏବଂ ମାନସିକ ବ୍ରତଧାରୀମାନେ ପୂଜାର୍ଚ୍ଚନା କରିବେ।

ସମ୍ବନ୍ଧିତ ଖବର