ଭୁବନେଶ୍ୱର: ଭୁବନେଶ୍ବର ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଥମିବା ନାଁ ଧରୁନି। ନିକଟ ଅତୀତରେ ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ଅସନ୍ତୁଷ୍ଟ କର୍ପୋରେଟରମାନେ ପୁରୀ ଲୋକନାଥଙ୍କ ନିକଟରେ ମେଳି କରିଥିଲେ। ସେଠାରେ ତାଙ୍କୁ ବହୁକଷ୍ଟରେ ବୁଝାସୁଝା କରାଯାଇଥିଲା। ବିଶୃଙ୍ଖଳିତ କର୍ପୋରେଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସେମାନେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସହଯୋଗ କରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଥିଲେ। ତେବେ କେବଳ ଅକ୍ଟୋବର ୨ରେ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ସହଯୋଗ କରିବାକୁ ସେମାନେ ରାଜି ହୋଇଥିଲେ। ଏଯାବତ୍‌ ବିଶୃଙ୍ଖଳିତ କର୍ପୋରେଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବରୁ ଆଜି ସେମାନେ ନବୀନ ନିବାସ ଯାଇଥିଲେ। ତେବେ ପୂର୍ବରୁ ସେମାନେ ସମୂହ ଇସ୍ତଫା ଦେବା ନେଇ ନିଷ୍ପତ୍ତି ନେଇଥିଲେ ମଧ୍ୟ ଆଜି ସେମାନେ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ସହରରେ ବିଭିନ୍ନ ଦୂର୍ଗା ପୂଜା ମଣ୍ଡପ ବୁଲିବା ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିବା କହିଛନ୍ତି। ନବୀନ ମଧ୍ୟ ତାଙ୍କ ନିମନ୍ତ୍ରଣ ରକ୍ଷା କରି ପୂଜା ମଣ୍ଡପ ବୁଲିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେଠାରେ ଦଳୀୟ ସଂଗଠନ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ଭାବେ କ’ଣ ଆଲୋଚନା ହେଲା, ସେ ସମ୍ପର୍କରେ କେହି ମୁହଁ ଖୋଲି ନାହାନ୍ତି।

Advertisment

ଶଙ୍ଖ ଭବନରେ କର୍ପୋରେଟର ଅମରେଶ ଜେନା(ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୂପକାର(ଲିଟୁ)ଙ୍କୁ ନେଇ ହୋଇଥିବା ହଙ୍ଗାମା ପରେ ପରେ ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର କର୍ପୋରେଟରମାନେ ମେଳି କରିଥିଲେ। ବିଏମ୍‌ସିର ମାସିକ ବୈଠକ ବର୍ଜନ କରି ଲକ୍ଷ୍ମୀସାଗରରେ ଏକାଠି ହୋଇଥିଲେ। ପରେ ଲୋକନାଥ ମନ୍ଦିର ଯାଇ ସେଠାରେ ବୈଠକ କରିଥିଲେ। ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ସେହିଦିନ ହିଁ ବାଇଁଆ-ଲିଟୁଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। କାରଣ ଦର୍ଶାଇବା ପାଇଁ ୧୫ ଦିନ ସମୟ ଦିଆଯାଇଛି।