ଭୁବନେଶ୍ୱର: ଗତକାଲି ଶଙ୍ଖ ଭବନରେ ହୋଇଥିବା ହଙ୍ଗାମା ଉଗ୍ର ରୂପ ନେବାରେ ଲାଗିଛି। ବାଇଁଆ-ଲିଟୁଙ୍କୁ ବିରୋଧ କରିଥିବା ନେତାଙ୍କ ବିରୋଧରେ ଆଜି ଉଭୟ ବିଷୋଦ୍‌ଗାର କରିଛନ୍ତି। ‘ଆମକୁ ବିଜେପି ସହ ଯୋଡ଼ୁଥିବା ନେତା ଯାହାକୁ ଶଙ୍ଖ ଭବନରେ ପାଖରେ ବସାଇଥିଲେ ସେ ବିଜେପି ସଦସ୍ୟ।’ ଉଭୟ ଆଜି ଏଭଳି ସଙ୍ଗିନ ଅଭଯୋଗ କରି ସଭାପତିଙ୍କୁ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯାହାଙ୍କୁ ସେ ସିଧାସଳଖ ଆକ୍ଷେପ କରିଛନ୍ତି ସେ ହେଉଛନ୍ତି ୬୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ରାଜେଶ ପାତ୍ର। ସେ ବିଜେପିରେ ସଦସ୍ୟ ହୋଇଥିବାର ପ୍ରମାଣ ଆଜି ଉଭୟ ବାଇଁଆ ଓ ଲିଟୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏହାକୁ ନେଇ ପୁଣି ଥରେ ବିଜେଡି ଶିବିର ହୁଲୁସ୍ତୁଲ ହୋଇଛି। 

Advertisment

ଗତକାଲି ଶଙ୍ଖ ଭବନରେ ହରତାଳ ପ୍ରସ୍ତୁତି ବୈଠକରେ ହଙ୍ଗାମା ହେବା ପରେ ଆଜି ପୁଣି ଥରେ ସେହି ପ୍ରସଙ୍ଗକୁ ନେଇ ବୟାନବାଜି ଆରମ୍ଭ ହୋଇଛି। ଉଭୟ କର୍ପୋରେଟର ବାଇଁଆ-ଲିଟୁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁ ନ ନେଇ ଟାର୍ଗେଟ୍‌ କରିଥିଲେ। ସେମାନେ କହିଛନ୍ତି, ନେତାମାନେ ନିଜର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଆମକୁ ବଦନାମ କରିବାକୁ ଷଡ୍‌ଯନ୍ତ୍ର କରିଛନ୍ତି। ଅନ୍ୟ କର୍ପୋରେଟରଙ୍କୁ ବରିଷ୍ଠ ନେତାମାନେ ମତାଇଛନ୍ତି। ରାଜେଶ ପାତ୍ର ଯିଏ କାଲି ବୈଠକରେ ଉପସ୍ଥିତ ଥିଲେ ସେ ବିଜେପିର ସଦସ୍ୟ। ଏହାର ପ୍ରମାଣ ଆମ ପାଖରେ ଅଛି। ଆମେ ତାଙ୍କୁ ବୈଠକରେ ବିରୋଧ କରିଥିଲୁ। ବିଜେପି ସଦସ୍ୟ ଶଙ୍ଖ ଭବନରେ କାହିଁକି ବସିବେ? ଏଭଳି ବିରୋଧ କରିବାରୁ ତାଙ୍କୁ ଯିଏ ନେଇ ଆସିଥିଲେ ତାଙ୍କ ଦେହରେ ଲାଗିଗଲା। ଏଣୁ ନିଜକୁ ବଞ୍ଚାଇବା ପାଇଁ ଆମକୁ ବଦନାମ କଲେ। କହିଲେ ତୁମକୁ ଅନ୍ୟ କର୍ପୋରେଟରମାନେ ବିରୋଧ କରୁଛନ୍ତି। ଏ ସବୁ ସେଇ ନେତାଙ୍କ ଚାଲ୍‌। ଏବେ ଆଉ ଖସିବାକୁ ବାଟ ନାହିଁ। ଏ ସବୁ ନେଇ ଆମେ ନବୀନ ନିବାସ ଯିବୁ। ସମସ୍ତଙ୍କ ମୁଖା ଖୋଲିବୁ ବୋଲି ଉଭୟ କହିଛନ୍ତି। 

ଗତକାଲି ‘ଶଙ୍ଖ ଭବନ’ରେ ହରତାଳ ପାଇଁ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ଭୁବନେଶ୍ୱରର ବରିଷ୍ଠ ନେତାଙ୍କ ସହ ମେୟର, କର୍ପୋରେଟର, ପୂର୍ବତନ କର୍ପୋରେଟର ଯୋଗ ଦେଇଥିଲେ। ବୈଠକର କିଛି ସମୟ ପରେ ବାଇଁଆ-ଲିଟୁ ବୈଠକରେ ପହଞ୍ଚିଥିଲେ। ସେଠାରେ ନେତାମାନେ ଉଭୟଙ୍କୁ ବିରୋଧ କରି ବୈଠକ ଗୃହରୁ ବାହାରକୁ ଚାଲି ଆସିଥିଲେ। କିନ୍ତୁ ବାସ୍ତବରେ ବାଇଁଆ-ଲିଟୁ ରାଜେଶ ପାତ୍ରଙ୍କୁ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।  ଶ୍ରୀ ଜେନା କହିଛନ୍ତି, ପୂର୍ବତନ ମନ୍ତ୍ରୀ ରାଜେଶଙ୍କୁ ସମର୍ଥନ କରିବା ସହ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଆମକୁ ବୈଠକ ଛାଡ଼ି ଚାଲିଯିବାକୁ କହିଥିଲେ। ଫଳରେ ହଟ୍ଟଗୋଳ ହୋଇଥିଲା।

ଆମେ ଶୃଙ୍ଖଳିତ ସଭ୍ୟ। ବିଜେଡିର ଦଳୀୟ ବୈଠକ ବସିଥିଲା। ଏଥିରେ ବିଜେପି କର୍ମୀ ରହିଲେ ଦଳ ଭିତରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଘଟ ହେବା ସହ ରଣନୀତି ସମ୍ପର୍କରେ ବିରୋଧୀ ଦାୟଳ ଜାଣିବେ। ଏଣୁ ଆମେ ତାଙ୍କୁ ବିରୋଧ କରିଥିଲୁ। ରାଜେଶ ପାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ସମର୍ଥନ କରିବା ସହ ସାଙ୍ଗରେ ଧରି ଆସିଥିବା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସଭାପତିଙ୍କୁ ଦାବି କରିବୁ। କୌତୁହଳପ୍ରଦ ହେଉଛି, ଶଙ୍ଖ ଭବନରେ ରାଜେଶ, ବବି ଦାସଙ୍କୁ ସିଧାସଳଖ ବିରୋଧ କରିଥିବା ଦେଖା ଯାଇଥିଲା। ଏଣଉ ବାଇଁଆ-ଲିଟୁଙ୍କ ଅଭିଯୋଗକୁ ବିଚାରକୁ ନେଲେ ରାଜେଶଙ୍କ ଏତାଦୃଶ କାର୍ଯ୍ୟକଳାପ ତଦନ୍ତ ସାପେକ୍ଷ।