ରମାଦେବୀ କ୍ୟାମ୍ପସ୍‌କୁ ଆଜି ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଅପରାହ୍‌ଣ ୫ଟା ୨୦ରେ ମୁଖ୍ୟମନ୍ତ୍ରୀ ଏହି କ୍ୟାମ୍ପସ ପରିସରରେ ୪୦୦ ଶଯ୍ୟା ବିଶିଷ୍ଟ ଏକ ହଷ୍ଟେଲ୍‌ର ଉଦ୍‌ଘାଟନ କରିବେ। ୬ ମାସ ହେଲା ଏହି ହଷ୍ଟେଲ୍‌ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଉଦ୍‌ଘାଟନ ହେଉ ନଥିବାରୁ ନୂଆ କରି ବିଶ୍ବବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରୀମାନେ ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ହଷ୍ଟେଲ୍‌ ଉଦ୍‌ଘାଟନ ହେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ବାତିଲ୍‌ ହୋଇଥିଲା। ଗୁରୁବାର ଏହି ହଷ୍ଟେଲ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାକୁ ଥିବାରୁ କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଏହା ଦ୍ବିତୀୟ ଗସ୍ତ ହୋଇଥିବାରୁ କ୍ୟାମ୍ପସରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ମୁତୟନ ହୋଇଛନ୍ତି। ଗତଥର ଗସ୍ତ ସମୟରେ ଯେଉଁଭଳି ସମସ୍ୟା ଉପୁଜିଥିଲା, ଏଥର ଯେମିତି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯାଇଛି।

ବିଜେବିରେ ଛାତ୍ରଗୋଷ୍ଠୀ ମୁହଁାମୁହିଁ

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ‌ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀ ପୁଣିଥରେ ମୁହଁାମୁହିଁ ହୋଇଛନ୍ତି। କ୍ୟାମ୍ପସ ବାହାରେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଙ୍ଗଠନର ବୈଠକ ଚାଲିଥିବା ବେଳେ ଦୁଇ ଛାତ୍ରଗୋଷ୍ଠୀ ହାତାହାତି ହୋଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଉତ୍ତେଜନା ଲାଗିରହିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ଲିଙ୍ଗରାଜ ଥାନାରେ ଏକ ଏତଲା ଦିଆଯାଇଥିବା ସୂଚନା ମିଳିଛି। ଦୁଇ ମାସ ହେଲା ମହାବିଦ୍ୟାଳୟର ଏହି ସଙ୍ଗଠନ ଭିତରେ ଫାଟ ବଢ଼ିବାରେ ଲାଗିଛି। ଉଭୟ ଗୋଷ୍ଠୀ କିଛି ଦିନ ପାଇଁ ଚୁପ୍‌ ବସିଥିଲେ। ଏବେ ପୁଣିଥରେ ବିବାଦ ମୁଣ୍ତ ଟେକିଥିବାରୁ ଆଗାମୀ ଦିନରେ ପରିସ୍ଥିତି କ’ଣ ହେବ ସେ ନେଇ କଲେଜରେ ନାନା ଚର୍ଚା ହେଉଛି।

କମଳା ନେହେରୁରେ ଛାତ୍ର ବି‌େଜଡିର ପ୍ରାର୍ଥୀ ଘେଷଣା

ରମାଦେବୀ ପରେ କମଳା ନେହେରୁ ମହିଳା ମହାବିଦ୍ୟାଳୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଛାତ୍ର ବିଜେଡି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ କ୍ୟାମ୍ପସକୁ ଅକ୍ତିଆର ଲକ୍ଷ୍ୟରେ ରହିଛି ସଙ୍ଗଠନ। ଯୁକ୍ତ୩ ଶେଷ ବର୍ଷ ଛାତ୍ରୀ ସ୍ମୃତିରେଖା ବିଶ୍ବାଳ ସଭାପତି ପ୍ରାର୍ଥୀ ହୋଇଥିବା ବେଳେ ଦ୍ବିତୀୟ ବର୍ଷ ଛାତ୍ରୀ ଟିକିନା ଦାସ ସାଧାରଣ ସମ୍ପାଦକ, ରଶ୍ମିତା ବେହେରା ଉପସଭାପତି, ଲକ୍ଷ୍ମୀପ୍ରିୟା ସହ ସାଧାରଣ ସମ୍ପାଦକ ପ୍ରାର୍ଥୀ ହୋଇଛନ୍ତି। ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ସଙ୍ଗଠନ ଆଜି କ୍ୟାମ୍ପସରେ ନିଜର ପତିଆରା ଦେଖାଇଛି।

ସମ୍ବନ୍ଧିତ ଖବର