ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବାଦବିବାଦ ମଧ୍ୟରେ ବିଜେଡିର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଶ୍ରୀ ପଣ୍ଡାଙ୍କ କାନ୍ଧରେ ଭୁବନେଶ୍ବର ବିଜେଡିର ମଙ୍ଗ ଧରାଇଛନ୍ତି। କିଛି ବର୍ଷ ବ୍ୟବଧାନ ପରେ ଶ୍ରୀ ପଣ୍ଡାଙ୍କୁ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିବାରୁ ତାଙ୍କ ପାଇଁ ଏବେ ଅନେକ ଆହ୍ବାନ ସୃଷ୍ଟି ହୋଇଛି। ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ପାଇଁ ଅନେକ ଆଶାୟୀ ରହିଥିଲେ ମଧ୍ୟ ଶ୍ରୀ ପଣ୍ଡାଙ୍କ ଉପରେ ନବୀନଙ୍କ ଭରସା ଏବେ ରାଜଧାନୀରେ ବିଜେଡି ରାଜନୀତିରେ ଉଷ୍ମତା ଭରିଛି। ବିଶେଷ କରି ଅଶୋକଙ୍କ ବିରୋଧୀ ଭାବେ ଜଣାଶୁଣା ନେତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ସେମାନେ ଅଶୋକଙ୍କ ନେତୃତ୍ବକୁ ଗ୍ରହଣ କରିବେ ତ? ନା ଅଶୋକଙ୍କୁ ବିରୋଧ କରି ଦଳ ଛାଡ଼ିବେ ତାହା ଉପରେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଭୁବନେଶ୍ବର ସଙ୍ଗଠନରେ ଅଶୋକଙ୍କ ପତିଆରା ରହିଛି। ୨୦୦୯ରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଗଢ଼ା ହେବା ପରଠାରୁ ଲଗାତାର ୩ଥର ବିଜେଡିରୁ ପ୍ରାର୍ଥୀ ହୋଇ ଶ୍ରୀ ପଣ୍ଡା ବିଜୟୀ ହେଉଥିଲେ। ୨୦୦୯ରେ କଂଗ୍ରେସ, ୨୦୧୪ ଓ ୨୦୧୯ରେ ବିଜେପି ପ୍ରାର୍ଥୀଙ୍କଠାରୁ ବହୁ ଭୋଟ୍ ପାଇ ବିଜୟୀ ହେବା ସହ ଖୋର୍ଦ୍ଧା ଜିଲ୍ଲାରୁ ଏକମାତ୍ର ବିଧାୟକ ଭାବେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ବାରମ୍ବାର ସ୍ଥାନ ପାଇଥିଲେ। ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କ ଠାରୁ ଶ୍ରୀ ପଣ୍ଡା ପରାସ୍ତ ହୋଇଥିଲେ। ତେବେ ପରାଜିତ ହୋଇଥିଲେ ମଧ୍ୟ ଦଳର ସମସ୍ତ ବୈଠକ, ସମ୍ମିଳନୀ ସମେତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କର ଯୋଗଦାନ ରହୁଥିବା ଦେଖାଯାଇଥିଲା। ସେ ନବୀନଙ୍କ ଗୁଡ୍ ବୁକ୍ରେ ଥିଲେ ମଧ୍ୟ ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନଙ୍କ ପସନ୍ଦରେ କେବେ ନଥିଲେ। ତାହା ସତ୍ତ୍ବେ ତାଙ୍କୁ ପୁନର୍ବାର ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ବର ଜିଲ୍ଲା ସଂଗଠନ ଦାୟିତ୍ବ ଦିଆଯାଇଛି। କିନ୍ତୁ ବିଜେଡି ଏବେ କ୍ଷମତାରେ ନଥିବାରୁ ସଂଗଠନ ସମ୍ଭାଳିବା ଅଶୋକଙ୍କ ପାଇଁ ଏତେ ସହଜ ହେବନି ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି।
ଅସନ୍ତୁଷ୍ଟଙ୍କୁ ମନାଇବାରେ ସକ୍ଷମ ହେବେ ତ?
ଦଳ ଛାଡ଼ିପାରନ୍ତି ଅମରେଶ, ବିରଞ୍ଚି
୨୦୨୪ ସାଧାରଣ ନିର୍ବାଚନ ସମୟରେ ଟିକେଟ୍ ବଣ୍ଟନରୁ ହିଁ ଭୁବନେଶ୍ବର ବିଜେଡିରେ ବିବାଦ ସୃଷ୍ଟି ହୋଇଛି। ଏକାମ୍ରରେ ଅଶୋକ ଏବଂ ମଧ୍ୟ ଭୁବନେଶ୍ବରରେ ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେବା ପରେ ଅନ୍ୟ ଦୁଇ ଆଶାୟୀ ପ୍ରାର୍ଥୀ କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୂପକାର ଓ ଅମରେଶ ଜେନା ବିରୋଧ କରିଥିଲେ। ବିଜେଡି କଳି ଏମିତି ହୋଇଥିଲା ଯେ ଶେଷରେ ନବୀନ ନିବାସରେ ପହଞ୍ଚିଥିଲା। ନିର୍ବାଚନରେ ଅଶୋକଙ୍କ ପରାଜୟ ପରେ କଳି ବଢ଼ିଛି ପଛେ କମି ନାହିଁ। ପରାଜୟ ପାଇଁ ଅଶୋକ ସିଧାସଳଖ ସାଙ୍ଗଠନିକ ଜିଲ୍ଲାର କିଛି ନେତାଙ୍କୁ ଦାୟୀ କରିଥିଲେ। ୮ ମାସ ମଧ୍ୟରେ ବିରଞ୍ଚି ଓ ଅମରେଶ ମଧ୍ୟ ବିଭିନ୍ନ ସମୟରେ ଅଶୋକଙ୍କୁ ଟାର୍ଗେଟ୍ କରିଥିବାର ନଜିର ରହିଛି। ବିଧାୟକ ଅନନ୍ତ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି ତଥା ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମଧ୍ୟ ସେମାନଙ୍କ ଟାର୍ଗେଟ୍ରୁ ବଞ୍ଚିପାରି ନାହାନ୍ତି। ତା’ପରେ ମଧ୍ୟ ଉଭୟ ନେତାଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ। ତେଣୁ ଏହି ଦୁଇ କର୍ପୋରେଟରଙ୍କର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ।
ବିଜେଡିର ରାଜ୍ୟସ୍ତରୀୟ ସଙ୍ଗଠନରେ ଆଜି ବ୍ୟାପକ ପରିବର୍ତ୍ତନ ହୋଇଥିଲେ ମଧ୍ୟ ବିରଞ୍ଚି କିମ୍ବା ଅମରେଶଙ୍କୁ କୌଣସି ପଦବି ମିଳିନି। ଭୁବନେଶ୍ବର ମେୟର ସୁଲୋଚନା ଦାସ, ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଥିବା ମନ୍ମଥ ରାଉତରାୟ, ସାଂସଦ ପ୍ରାର୍ଥୀ ଆଶାୟୀ ଥିବା ଶ୍ରୀମୟୀ ମିଶ୍ରଙ୍କୁ ବିଭିନ୍ନ ପଦବିରେ ଅଧିଷ୍ଠିତ କରାଯାଇଛି। ବର୍ଷେ ଦୁଇ ବର୍ଷ ମଧ୍ୟରେ ଦଳରେ ଯୋଗଦେଇଥିବା ଅନେକ ନେତାଙ୍କୁ ପଦବି ମିଳିଥିବା ବେଳେ ଭୁବନେଶ୍ବର ବିଜେଡି ସଂଗଠନରେ ଦୁଇ ଦଶନ୍ଧି ଧରି କାମ କରୁଥିବା ଲିଟୁ ମହାସୁପକାର, ସଂଗ୍ରାମକେଶରୀ ପାଇକରାୟ, ବାବୁଲି ସମର୍ଥାଙ୍କ ପରି ନେତାଙ୍କୁ ସ୍ଥାନ ଦିଆଯାଇ ନାହିଁ। ତେଣୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏସବୁ ଅସନ୍ତୋଷକୁ ଦବାଇ ଦଳକୁ ସଂଗଠିତ କରିବା ଏବେ ଅଶୋକଙ୍କ ପାଇଁ କାଠିକର ପାଠ ହେବ। କେବଳ ସେତିକି ନୁହେଁ, ବିଏମ୍ସିରେ ବିଜେଡି ଶାସନ କରୁଥିଲେ ବି ଦଳୀୟ କର୍ପୋରେଟର ସନ୍ତୁଷ୍ଟ ନାହାନ୍ତି। ବିଏମ୍ସି କିଛି କାମ କରୁ ନ ଥିବା ଖୋଦ୍ ବିଜେଡି କର୍ପୋରେଟର ଅଭିଯୋଗ ଆଣିବା ଦ୍ବାରା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସଭାପତି ଦାୟିତ୍ବ ନେଲା ପରେ ଅଶୋକ ଏଭଳି ଆହ୍ବାନକୁ କିପରି ମୁକାବିଲା କରିବେ ତାହା ଦେଖିବାକୁ ରହିଲା।