ରୁଷ୍ ଓ ୟୁକ୍ରେନ୍‌ରେ ଶାନ୍ତି ପ୍ରତିଷ୍ଠା ପାଇଁ ନବନିର୍ମାଣ କୃଷକ ସଂଗଠନର ଶୋଭାଯାତ୍ରା

ଭୁବନେଶ୍ୱର: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ ଓ ଶାନ୍ତି ପ୍ରତିଷ୍ଠା ଦାବିରେ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ଯୁଦ୍ଧ ଓ ହିଂସା ସବୁବେଳେ ମାନବ ସମାଜ ଓ ପୃଥିବୀ ପାଇଁ ବିପଦ। ଯୁଦ୍ଧ କରି ଲକ୍ଷଲକ୍ଷ ଲୋକଙ୍କୁ ମୃତ୍ୟୁମୁହଁକୁ ଠେଲିଦେବା ଓ ସାରା ବିଶ୍ବକୁ ଯୁଦ୍ଧର ଆତଙ୍କ ଭିତରକୁ ଠେଲିଦେବାକୁ ସଂଗଠନ ବିରୋଧ କରିଛି। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ ଯୁଦ୍ଧ ବିରୁଦ୍ଧରେ ତମାମ ଦୁନିଆରେ ଜନମତ ସଂଗଠିତ ହେବା ଦରକାର। ଶାନ୍ତି ସପକ୍ଷରେ ଜନମତ ଅଧିକ ସଂଗଠିତ ହେଲେ ରୁଷ୍ ଉପରେ ନୈତିକ ଚାପ ପଡ଼ିବ। ସେହିଭଳି ନାଟୋଠାରୁ ଆମେରିକା ପର୍ଯ୍ୟନ୍ତ ସମସ୍ତେ ଯୁଦ୍ଧ ବିରତି ପାଇଁ ତତ୍ପର ହେବାର ଆବଶ୍ୟକତା ଅଛି।

ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଦୀନେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଭାରତର ଭୂମିକାକୁ ନେଇ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସେହିପରି ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନେ ‘ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ମୃତ୍ୟୁ ନୁହେଁ ଜୀବନ ଚାହୁଁ’ ସ୍ଲୋଗାନ ଦେଇ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱପ୍ରିୟ କାନୁନଗୋ, ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ରୀମନ୍ତ ମହାନ୍ତି, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରଫେସର ବୀରେନ୍ଦ୍ର ନାୟକ, ନରେନ୍ଦ୍ର ମହାନ୍ତି, ପ୍ରମିଳା ବେହେରା, ଅଭିରାମ ମଲ୍ଲିକ, ଛବି ମହାନ୍ତି, ପ୍ରତିମା ଦାସ, ସସ୍ମିତା ଜେନା, ରାଜେନ୍ଦ୍ର ବର୍ମା, ମହମ୍ମଦ ଶୁକୁର, ପ୍ରଭା ମଞ୍ଜୁଳା ବ୍ରହ୍ମ, ରାଧାକାନ୍ତ ସେଠୀ, ସତୀଶ୍ ମିଶ୍ର, ନସୀମ୍ ସରକାର, ସୁବାସ ନାୟକ, ସ୍ୱସ୍ତି ସଙ୍ଗୀତା ଦଳାଇ, ଅମୀର ସାହୁ, ରଶ୍ମିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର