ନବନିର୍ମାଣ ଯୁବଛାତ୍ର ସଂଗଠନର ବିକ୍ଷୋଭ

ଭୁବନେଶ୍ୱର : ଦିଲ୍ଲୀର ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ନବନିର୍ମାଣ ଯୁବଛାତ୍ର ସଙ୍ଗଠନ(ଏନ୍‌ଵାଇସିଏସ୍) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ ସଙ୍ଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନଵର୍ ଅଲ୍ଲୀଙ୍କ ନେତୃତ୍ବରେ କଳ୍ପନା ଛକରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ଲୋୟର୍ ପିଏମ୍‌ଜି ପହଞ୍ଚି ଚାଷୀ ମାରଣ ବିଲ୍ ବିରୋଧରେ ପ୍ରତିବାଦ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମେତ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କ ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରିବା ସହ ବିତ୍ତଶାଳୀ ମୁକେଶ ଅମ୍ବାନି ଓ ଗୌତମ୍ ଶାନ୍ତିଲାଲ୍ ଆଦାନି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏନେଇ ସଂଯୋଜକ ଏମ୍‌ଡି ଅଲ୍ଲୀ କହିଛନ୍ତି, ଯଦି ସରକାର ପୁଞ୍ଜିପତିଙ୍କୁ ଲାଭାନ୍ବିତ କରିବା ପାଇଁ କରିଥିବା କୃଷି ଆଇନରେ ପରିବର୍ତ୍ତନ ନ ଆଣନ୍ତି, ତେବେ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ଓ ଛାତ୍ରମାନେ ଦିଲ୍ଲୀ ଯିବେ। ଏହାସହ ଆଗାମୀ ଦିନରେ ଭାରତ ବନ୍ଦ ଡାକରାକୁ ଏନ୍‌ଵାଇସିଏସ୍ ସମର୍ଥନ କରିବ ଏବଂ ଏହାକୁ ଜନସାଧାରଣ ସହଯୋଗ କରିବାକୁ ସଙ୍ଗଠନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ପ୍ରତିବାଦରେ ଭୁବନେଶ୍ବରର ସଂଯୋଜକ ଅମିତ ଜେନା, ରଂଜନ ନାୟକ, ଯଶୋବନ୍ତ ଦାସ, ଦେବାଶିଷ ନାୟକ, ଅମର୍‌ଜିତ ସ୍ବାଇଁ, ରାୟ ରଂଜନ ମହାନ୍ତି, ପ୍ରଶାନ୍ତ ପରିଡ଼ା, ସୁନିଲ୍ ନାୟକ, ତସର ଖାଁ, ଜୟନ୍ତ ଗୋସ୍ବାମୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର