ଭୁବନେଶ୍ବର: ଶରତର ଶୁଭ୍ରତା ସହ ପାର୍ବଣର ପୁଲକ ଚାରିଆଡ଼େ ଖେଳିଗଲାଣି। ଜଗତଜନନୀ ମା’ ଦୁର୍ଗାଙ୍କୁ ପାଛୋଟିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଲାଣି। ଖୁବ୍‌ଶୀଘ୍ର ବଲିଉଡ୍ ବିଟ୍‌ସ୍‌ରେ ନାଚିବ ପାଦ। ଦାଣ୍ଡିଆର ଠକ୍ ଠକ୍‌ ଶବ୍ଦରେ ଝୁମିବ ମନ। ନିର୍ଭେଜାଲ ଖୁସିରେ ତଲ୍ଲୀନ କରିବ ଦାଣ୍ଡିଆ ରାସ। ଶାରଦୀୟ ପାର୍ବଣରେ ଏଥର ବି ରଙ୍ଗ ମାଖିବ ‘ନବରାତ୍ରି ଦାଣ୍ଡିଆ’। ଦୁର୍ଗାପୂଜା ପାଇଁ ଆଡ଼ମ୍ବର ପୂଜାର୍ଚ୍ଚନାର ପରିବେଶ ଯେତେ ଜମି ଆସୁଛି, ଦାଣ୍ଡିଆରେ ପାଦ ସହ ପାଦ ମିଶାଇ ନାଚିବାର ଉତ୍କଣ୍ଠା ସେତେ ବଢ଼ି ବଢ଼ି ଚାଲିଛି। କିଏ ଘରେ ଦାଣ୍ଡିଆର ପଦଚାଳନା ଅଭ୍ୟାସ କଲାଣି ତ କିଏ ଦାଣ୍ଡିଆ ବାଡ଼ି ରଙ୍ଗ ଦେଇ ସଜେଇ ରଖିଲାଣି। କିଏ ପୁଣି ଗୁଜୁରାଟି ଢାଞ୍ଚାରେ ସଜେଇ ହେବାକୁ ଯୋଜନା ପ୍ରସ୍ତୁତ କଲାଣି। ରାଜଧାନୀରେ ଏହି ଅନୁଭବ ଭେଟି ଦେବାକୁ ଅଣ୍ଟା ଭିଡ଼ିଛନ୍ତି କିଛି ଅନୁଷ୍ଠାନ ଓ ଇଭେଣ୍ଟ୍‌ସ ସଂସ୍ଥା। 
୨୨ ତାରିଖରୁ ଆରମ୍ଭ ହୋଇଯାଉଛି ‘ନବରାତ୍ର’। ଏହି ସମୟରେ ମା’ଙ୍କୁ ସମର୍ପିତ ହୁଏ ‘ଦାଣ୍ଡିଆ ନୃତ୍ୟ’। ମା’ ଦୁର୍ଗାଙ୍କର ‘ଦାଣ୍ଡିଆ ନୃତ୍ୟ’ ଅତି ପ୍ରିୟ। ଦୁଇ ହାତରେ ଦୁଇଟି ବାଡ଼ି ଧରି ନବରାତ୍ରରେ ନୃତ୍ୟ ପ୍ରଦର୍ଶନ ଭାରତୀୟ ସଂସ୍କୃତି ସହ ବେଶ୍‌ ଜଡ଼ିତ। ମୁଖ୍ୟତଃ ‘ଦାଣ୍ଡିଆ’ ବା ‘ଗରବା ନୃତ୍ୟ’ ରାଜସ୍ଥାନୀ ଓ ଗୁଜରାଟୀମାନଙ୍କ ନୃତ୍ୟ ହୋଇଥିଲେ ମଧ୍ୟ ସାଂସ୍କୃତିକ ଭାବ ବିନିମୟ ଫଳରେ ଏହା ଓଡ଼ିଶାକୁ ପ୍ରବେଶ କରିଛି। ଗତ ୨୦ ବର୍ଷ ହେଲା ରାଜଧାନୀର ବିଭିନ୍ନ ସ୍ଥାନରେ ବେଶ୍‌ ଆଗ୍ରହର ସହ ଆୟୋଜିତ ହୋଇଆସୁଛି ଏହି ‘ଦାଣ୍ଡିଆ ଉତ୍ସବ’।

Advertisment

ତାରକା ହୋଟେଲ ବି ‘ଦାଣ୍ଡିଆ ନାଇଟ୍‌’
ନବରାତ୍ରକୁ ଧୁମ୍‌ଧାମ୍‌ରେ ପାଳନ ପାଇଁ ତାରକା ହୋଟେଲଗୁଡ଼ିକର ପ୍ରସ୍ତୁତି ଆରମ୍ଭ‌ ହୋଇଗଲାଣି। ସୁସ୍ବାଦୁ ଖାଦ୍ୟ ସମ୍ଭାର ସହ ଦାଣ୍ଡିଆ ଉତ୍ସବ ପାଇଁ ବି ଫ୍ଲୋର୍‌ ସଜା ହେଲାଣି। ୨୮  ତାରିଖରୁ ପଟିଆ ସ୍ଥିତ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ଦାଣ୍ଡିଆ ନାଇଟ୍‌ ପାରମ୍ପରିକ ‌ବେଶଭୂଷା ସହ ପାଳିତ ହେବ। ଏଥିରେ ଗର୍‌ବା ନୃତ୍ୟ ବି ପ୍ରଦର୍ଶିତ ହେବ। ଗୁଜରାଟୀ ପୋଷାକ ପରିଧ‌ାନ କରି ଲୋକେ ନୃତ୍ୟରେ ମଗ୍ନ ହେବେ।  ସେହିଭଳି ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ମଧ୍ୟ ୨୮ରୁ ୨ ତାରିଖ ଯାଏ ଗର୍‌ବା ଓ ଦାଣ୍ଡିଆ ନୃତ୍ୟ ମତୁଆଲା କରିବ। 

‘ପ୍ରୟାସ’ଆଣୁଛି ସୁରଟରୁ ଗୁଜରାଟୀ କଷ୍ଟ୍ୟୁମ
ରାଜଧାନୀବାସୀଙ୍କୁ ଏକ ଭିନ୍ନ ସଂସ୍କୃତିର ସ୍ୱାଦ ଦେବା ପାଇଁ ପ୍ରୟାସ ପକ୍ଷରୁ ଦ୍ବାଦଶ ବର୍ଷ ପାଇଁ ‘ନବରାତ୍ର ଦାଣ୍ଡିଆ ମହୋତ୍ସବ’ ଆସନ୍ତା ୨୬ ତାରିଖରୁ ଆୟୋଜିତ ହେବ। ଏହା ୭ ଦିନ ବ୍ୟାପୀ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମହୋତ୍ସବ ଚାଲିବ। ପ୍ରବେଶ ଶୁଳ୍କ ମୁଣ୍ଡପିଛା ୨୦୦ ଟଙ୍କା ରହିବ। ରାଜଧାନୀବାସୀଙ୍କୁ ଦାଣ୍ଡିଆର ସମ୍ପୂର୍ଣ୍ଣ ସ୍ବାଦ ଚଖାଇବାକୁ ‘ପ୍ରୟାସ’ ପକ୍ଷରୁ ସୁରତରୁ ୨୦୦ ଲୋକଙ୍କ ପାଇଁ କଷ୍ଟ୍ୟୁମ ବରାଦ କରାଯାଇଛି। ଆଗ୍ରହୀ ଲୋକମାନେ ୫୦ରୁ ୬୦ ଟଙ୍କା ଭଡ଼ା ବାବଦକୁ ନେଇ କଷ୍ଟ୍ୟୁମ ପିନ୍ଧି ପାରିବେ। ଏଥିସହ ଦାଣ୍ଡିଆ ନୃତ୍ୟ ପାଇଁ ଏଠାରେ ଦାଣ୍ଡିଆ ବାଡ଼ି ପ୍ରଦାନ କରାଯିବ। ମହୋତ୍ସବ ପରିସରରେ ବିଶାଳ ଡ୍ୟାନ୍ସିଂ ଫ୍ଲୋର୍ ସହ ଅତ୍ୟାଧୁନିକ ଏଲ୍ଇଡି ଆଲୋକ ସଜ୍ଜା, ଲାଇଭ୍ ବ୍ୟାଣ୍ଡ୍‌ ସହ ଆକର୍ଷଣୀୟ ଆଲୋକମାଳା ଦେଖିବାକୁ ମିଳିବ। ନୃତ୍ୟଶିଳ୍ପୀଙ୍କ ପାଇଁ ସ୍ୱତନ୍ତ୍ର ମଞ୍ଚ, ବିଭିନ୍ନ ଖାଦ୍ୟ ସଂସ୍ଥାମାନଙ୍କ ଦ୍ୱାରା ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଏଠାରେ ଦାଣ୍ଡିଆ ପ୍ରତିଯୋଗିତା ହେବା ସହ ‘ଶ୍ରେଷ୍ଠ ଦମ୍ପତି’, ‘ଶ୍ରେଷ୍ଠ ପୋଷାକ’, ‘ଶ୍ରେଷ୍ଠ ନୃତ୍ୟଶିଳ୍ପୀ’ ଓ ‘ଶ୍ରେଷ୍ଠ ଯୋଡ଼ି’ ପୁରସ୍କାର ଦିଆଯିବ। ମହିଳା ଓ ଝିଅମାନଙ୍କ ନିମନ୍ତେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ। ମହୋତ୍ସବର ପରିସରକୁ ମାଦକଦ୍ରବ୍ୟ, ସିଗାରେଟ୍ ଓ ଆମିଷକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି। 
ବନ ମହାନ୍ତି, ଅଧ୍ୟକ୍ଷ, ପ୍ରୟାସ

ଶିଖୁଛନ୍ତି ‘ଦାଣ୍ଡିଆ’ ଓ ‘ଗର୍‌ବା’
ଭଲ ଭାବେ ଦାଣ୍ଡିଆ ଓ ଗର୍‌ବା ନାଚି ସାମାଜିକ ଗଣାମାଧ୍ୟମରେ ରିଲ୍‌ଟିଏ ନ ପକାଇଲେ, ନବରାତ୍ରୀ କ’ଣ ଜମିବ? ଏଥିପାଇଁ ଗୃହିଣୀଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ଓ ଛୋଟ ପିଲାଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଲାଣି। ସେଥିପାଇଁ ସହରର ବିଭିନ୍ନ ନୃତ୍ୟାନୁଷ୍ଠାନ ପକ୍ଷରୁ ରାଜଧାନୀରେ ଆରମ୍ଭ ହୋଇଗଲାଣି ‘ଗର୍‌ବା’ ଓ ଦାଣ୍ଡିଆ ପ୍ରଶିକ୍ଷଣ ଶିବିର। କଟକ ରୋଡ୍‌ସ୍ଥିତ ‘ପଜ୍‌ ଆଣ୍ଡ୍‌ ଏକ୍ସପ୍ରେସନ୍‌’ ପକ୍ଷରୁ ଗତ ୧୪ ତାରିଖଠାରୁ ‘ଦାଣ୍ଡିଆ ଓ ଗର୍‌ବା’ ପ୍ରଶିକ୍ଷଣ ୱାର୍କସପ୍‌ ଆରମ୍ଭ ହୋଇଯାଇଛି। ଏଥିରେ ପାରମ୍ପରିକ ଗର୍‌ବା ସହ ବଲିଉଡ୍‌ ଓ ସାଲ୍‌ସା ଗର୍‌ବା ଶିଖାଯାଉଛି। ତାଳି ମାରି ଗର୍‌ବା ଓ ବାଡ଼ି ଧରି ଦାଣ୍ଡିଆ ନୃତ୍ୟ ପରିବାକୁ ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ପ୍ରଶିକ୍ଷଣ ଦିଆଯାଉଛି। ସମସ୍ତ ବୟସ ବର୍ଗର ଲୋକମାନେ ଏହି ୱାର୍କସପ୍‌ରେ ଯୋଗ ଦେବା ସହ ସ୍ବତନ୍ତ୍ର ମହିଳାମାନଙ୍କୁ ଏଠାରେ ଗର୍‌ବା ତାଲିମ ଦିଆଯାଉଥିବା ଅନୁଷ୍ଠାନର ସ୍ବତ୍ତ୍ବାଧିକାରୀ ଅମିତ ପାତ୍ର କହିଛନ୍ତି। ଏବେ ପ୍ରାୟ ୫୦ ଜଣ ଏଠାରେ ଦାଣ୍ଡିଆ ଓ ଗର୍‌ବା ଶିଖୁଛନ୍ତି। ୫ ଦିନିଆ ଏହି ପ୍ରଶିକ୍ଷଣ ଶିବିର ପାଇଁ ସହରିଆ ୧୦୦୦  ଟଙ୍କା ଦେୟ ଦେବାକୁ ବି ପଛାଉ ନାହାନ୍ତି। 
ଅମିତ ପାତ୍ର, ସ୍ବତ୍ତ୍ବାଧିକାରୀ,  ପଜ୍‌ ଆଣ୍ଡ୍‌ ଏକ୍ସପ୍ରେସନ୍‌