ନୂଆପଲ୍ଲୀ ଦୁର୍ଗାପୂଜା ସମିତି, ୪ ଫୁଟ୍‌ ମୂର୍ତି, ୭ ଜଣରେ ପୂଜା

ଭୁବନେଶ୍ବର: ପାର୍ବଣ ନେଇ ପୁଣି ଫେରିଛି ଶରତ। ମାତ୍ର ଏଥର ସାଙ୍ଗରେ ଆଣିନି ଉତ୍ସାହ। ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। କିନ୍ତୁ ଏଥର ସଜେଇ ହୋଇନି ପୂଜା ମଣ୍ଡପ। ମନ ଚାହୁଁଛି ମା’ଙ୍କ ଦର୍ଶନ ସହ ପାର୍ବଣର ମଜା ଉଠାଇବା ପାଇଁ। ହେଲେ ବେଡ଼ି ପକାଇ ଦେଇଛି କରୋନା। ଏଥର ୪ଫୁଟ ମଧ୍ୟରେ ମୂର୍ତିର ଉଚ୍ଚତା ସୀମିତ ରହିବ ବୋଲି ପ୍ରଶାସନ ସ୍ଥିର କରିଥିବା ବେଳେ ପୂଜାସ୍ଥଳକୁ ଶ୍ରଦ୍ଧାଳୁମାନଙ୍କୁ ବାରଣ ରହିଛି। ତେଣୁ ଏଥର ପୂଜା କଟକଣାରେ ବିତିଯିବ ବୋଲି ଏକରକମ ସ୍ପଷ୍ଟ ହୋଇଥିବା ବେଳେ ପୂଜା କମିଟି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ପ୍ରତିବର୍ଷ ଥିମ୍‌ ଆଧାରିତ ତୋରଣ ପ୍ରସ୍ତୁତ ହେଉଥିବା ବେଳେ ୨୦ରୁ ୨୫ଲକ୍ଷ ବଜେଟ୍‌ ରୁହେ। ଚଳିତ ବର୍ଷ ପୂଜା ୩୩ ବର୍ଷରେ ପଦାର୍ପଣ କରିଥିବା ବ‌େଳେ କଟକଣା ପାଇଁ କେବଳ ବିଧି ରକ୍ଷା ପାଇଁ ପୂଜା କରାଯିବ। ୪ ଫୁଟର ମୂର୍ତି ନିର୍ମିତ ହେଉଥିବା ବେଳେ କାରିଗର ସମୀର ଏହାକୁ ପ୍ରସ୍ତୁତ କରିଛନ୍ତି। ଏଥର ମା’ଙ୍କ ଉଚ୍ଚତା କମିଥିବାରୁ ଅଳଙ୍କାର ପରିବର୍ତେ ଜରି ମେଢ଼ କଟକ ଚୌଦ୍ବାର କାରିଗରଙ୍କ ଦ୍ବାରା ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଅନଲାଇନ୍‌ ଓ ଗଣମାଧ୍ୟମ ଜରିଆରେ ମା’ଙ୍କୁ ଦର୍ଶନ କରିବା ପାଇଁ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଛି।

କଟକଣା ମାନି ପୂଜା କରିବୁ
ଚଳିତ ବର୍ଷ ପୂଜାରେ ସଦସ୍ୟମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ପଡ଼ିବ। ଯେହେତୁ ଏଥର ଲୋକେ ଘରୁ ବାହାରୁନାହାନ୍ତି, ତେଣୁ ସଦସ୍ୟମାନେ ଆର୍ଥିକ ସହାୟତାର ହାତ ବଢ଼ାଇ ପୂଜା କାର୍ଯ୍ୟ ତୁଲାଇବାକୁ କୁହାଯାଇଛି। ସରକାରଙ୍କ ସମସ୍ତ କଟକଣା ମାନି ୭ ଜଣରେ ପୂଜା ସୀମିତ ରଖିବୁ। ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଶ୍ରଦ୍ଧାଳୁମାନେ ସମସ୍ତ କଟକଣା ମାନି ପୂଜାସ୍ଥଳ‌ରେ ଭିଡ଼ ନ ଜମାଇବାକୁ ଅନୁରୋଧ।
ପବିତ୍ର ବେହେରା (ସଭାପତି, ନୂଆପଲ୍ଲୀ ଦୁର୍ଗାପୂଜା ସମିତି)

ଶଙ୍ଖା ପୂଜା ପାଇଁ ଚିନ୍ତା କରୁଛୁ
ସରକାରଙ୍କ କଟକଣା ମାନି ପୂଜା ସ୍ଥଳର ଚତୁଃପାର୍ଶ୍ବ ଢାଙ୍କି ଦିଆଯିବ। ତେବେ ମହିଳାମାନେ ଶଙ୍ଖା ପୂଜା କରିବାର ବିଧି ଥିବାରୁ ଏହା ଯେମିତି କରାଯାଇପାରିବ ସେନେଇ ଆଲୋଚନା ଚାଲିଛି। ଯଦି ସମ୍ଭବ ହୁଏ ଗୋଟିଏ ସ୍ଥାନରୁ ଶଙ୍ଖା ନିଆଯାଇ ପୂଜା କରାଯିବ। ଅନଲାଇନ୍‌ ସୂତ୍ରରେ ଯେପରି ଭକ୍ତମାନେ ମା’ଙ୍କ ପୂଜା ଦେଖିବାର ସୁଯୋଗ ପାଇବେ ସେନେଇ ମଧ୍ୟ ଚିନ୍ତା କରୁଛୁ। ଭକ୍ତଙ୍କୁ ନିବେଦନ, ସରକାରଙ୍କ ସମସ୍ତ କଟକଣା ମାନି ପୂଜା ପାଳନରେ ସହଯୋଗ କରନ୍ତୁ।
ମହେନ୍ଦ୍ର ବଳବନ୍ତରାୟ (ସମ୍ପାଦକ, ନୂଆପଲ୍ଲୀ ଦୁର୍ଗାପୂଜା ସମିତି)

ପୂଜାରେ ମହାମାରୀ ବ୍ୟାପିବାକୁ ଦେବାନାହିଁ
କରୋନା ପାଇଁ ଏବେ ପରୀକ୍ଷାର ବେଳ। ଟିକେ ଅସାବଧାନତା ଆମକୁ ଏକ ବଡ଼ ବିପଦଆଡ଼କୁ ଟାଣି ନେବାର ଆଶଙ୍କା ରହିଛି। ପୂଜା ପ୍ରତି ବର୍ଷ ଆସିବ, କିନ୍ତୁ ମହାମାରୀ ଥରେ ବହୁ ମାତ୍ରାରେ ବ୍ୟାପିଲେ ଏହାକୁ ରୋକିବା କାଠିକର ହେବ। ତେଣୁ ଘରେ ରହି, ମା’ଙ୍କୁ ଅନଲାଇନ୍‌ ମାଧ୍ୟମରେ ଦର୍ଶନର ସୁଯୋଗ ନେବା। କେବଳ ନୂଆପଲ୍ଲୀ ଦୁର୍ଗାପୂଜା ସମିତି ‌ନୁହେଁ, ବରଂ ରାଜଧାନୀର ସମସ୍ତ ପୂଜା କମିଟି ଓ ଜନସାଧାରଣ ଏହାକୁ ଗୁରୁତ୍ବର ସହ ନେବାକୁ ଅନୁରୋଧ।
ନବକିଶୋର ବେହେରା (ରାଜଧାନୀ ଶାନ୍ତି କମିଟି ସମ୍ପାଦକ, ନୂଆପଲ୍ଲୀ ଦୁର୍ଗାପୂଜା ସମିତି ଉପଦେଷ୍ଟା)

ସମ୍ବନ୍ଧିତ ଖବର