ନୂଆପଲ୍ଲୀ, ଆଇଆର୍‌ସି ଭିଲେଜ ହଟସ୍ପଟ୍‌ : ୱାର୍ଡ-୨୭ରୁ ୫୬୫ ଆକ୍ରାନ୍ତ ବାହାରିଲେଣି, ୬ ୱାର୍ଡରେ ଅ‌ଢ଼େଇ ଶହରୁ ଅଧିକ

ଭୁବନେଶ୍ୱର : ଆଜି ଭୁବନେଶ୍ବରରୁ ସବୁଠୁ ଅଧିକ ଆକ୍ରାନ୍ତ, ୫୦୫ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଏହା ଯେତିକି ଚିନ୍ତାଜନକ ନୁହେଁ, ତାହାଠାରୁ ଅଧିକ ଚିନ୍ତାଜନକ ପାଲଟିଛି ୱାର୍ଡ-୨୭ ଅଞ୍ଚଳ। କାରଣ ଏଠାରୁ ବର୍ତ୍ତମାନ ସୁଦ୍ଧା ୫୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଏଥିରୁ ୩୬୨ଜଣ ସୁସ୍ଥ ହୋଇଥିବା ବେଳେ ୨୦୩ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ଆଇଆର୍‌ସି ଭିଲେଜର ଏନ୍‌-୫, ଏନ୍‌-୬, ଜୟଦେବ ବିହାର ଘରୋଇ ପ୍ଲଟ୍‌ ଅଞ୍ଚଳ, ନୂଆପଲ୍ଲୀ ଥାନା ଅଞ୍ଚଳ, ଇନ୍ଦ୍ରଧନୁ ମାର୍କେଟ୍‌ ଓ ନାବାର୍ଡ ଅଫିସ୍‌ ଅଞ୍ଚଳକୁ ନେଇ ଗଠିତ ଏହି ୱାର୍ଡ ଏବେ ରାଜଧାନୀର ହଟ୍‌ସ୍ପଟ୍‌। କାରଣ ଏଠାରୁ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେ‌ାଇସାରିଲେଣି। ଏହି ୱାର୍ଡରେ ରାଜଧାନୀର ବହୁ ଭିଆଇପି ଏବଂ ଭିଭିଆଇପିଙ୍କ ସମେତ ବସ୍ତି ବାସିନ୍ଦା ବି କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ଏଠାରେ କିପରି କରୋନା ନିୟନ୍ତ୍ରଣ ହେବ, ସେନେଇ ବିଏମ୍‌ସି ଚିନ୍ତାରେ ପଡ଼ି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୯୫୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୬୪ଜଣ ସୁସ୍ଥ ହୋଇଛନ୍ତି। ୪୦ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୬୯୩ଜଣ ଚିକିତ୍ସାଧୀନ ଅଛନ୍ତି। ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜଧାନୀରେ ପ୍ରାୟ ସମସ୍ତ ୱାର୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଅଧିକ ହେଲାଣି। କିନ୍ତୁ ୬ଟି ୱାର୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ରୁ ଅଧିକ ରହିଛି।

ୱାର୍ଡ-୨୩ ଯଥା ସାଁପୁର ଗାଁ, କଳିଙ୍ଗ ନଗର ଅଞ୍ଚଳ, ଖଣ୍ଡଗିରି ବାରି ବସ୍ତି, ଘାଟିକିଆ ଗାଁ, ସମ୍‌ ହସ୍ପିଟାଲଅଞ୍ଚଳ ଆଦିରୁ ୩୦୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୮୧ଜଣ ସୁସ୍ଥ ହୋଇଯାଇଥିବା ବେଳେ ୧୨୩ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ୱାର୍ଡ-୨ ଯଥା ଶିଖରଚଣ୍ଡୀ ବସ୍ତି, ପ୍ରଶାନ୍ତିବିହାର, ମୁଣ୍ଡାସାହି, କିଟ୍‌ କ୍ୟାମ୍ପସ, ଇନଫୋସିସ୍ ଅଫିସ ଆଦି ଅଞ୍ଚଳରେ ୨୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୩ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ୧୪୦ଜଣ ସୁସ୍ଥ ହୋଇସାରିଲେଣି। ୱାର୍ଡ-୪୦ ଯଥା ୟୁନିଟ୍‌-୧, ୟୁନିଟ୍‌-୨, ୟୁନିଟ୍‌-୩ ସରକାରୀ କ୍ବାର୍ଟର୍ସ ଅଞ୍ଚଳ, ମାର୍କେଟ୍ ବିଲଡିଂ ଆଦି ଅଞ୍ଚଳରେ ୨୬୪ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏଥିରୁ ୧୧୦ଜଣ ଚିକିତ୍ସିତ ଥିବା ବେଳେ ୧୬୪ଜଣ ସୁସ୍ଥ ହେଲେଣି। ୱାର୍ଡ-୪୦ରେ ୟୁନିଟ୍‌-୬ ଘରୋଇ ଅଞ୍ଚଳ, ୟୁନିଟ୍‌-୭, ସୂର୍ଯ୍ୟନଗର, ୟୁନିଟ-୬ ସ୍କୁଲ ଅଞ୍ଚଳ, କ୍ୟାପିଟାଲ ହସ୍ପିଟାଲ ଆଦି ଅଞ୍ଚଳରୁ ୨୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବ‌ା ବେଳେ ୧୨୬ଜଣ ଚିକିତ୍ସିତ ହେଉଛନ୍ତି। ୧୭୩ଜଣ ସୁସ୍ଥ ହୋଇସାରିଲେଣି। ସେହିପରି ୱାର୍ଡ ୬୫ ଯଥା ଡୁମଡୁମା ଫେଜ୍‌-୧,୨,୪, ୫ ସମେତ ସୁବାସ ନଗର ବସ୍ତି, ଅବସରପ୍ରାପ୍ତ ମିଲିଟାରି କଲୋନି ଆଦି ଅଞ୍ଚଳରେ ୩୦୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୮୩ଜଣ ସୁସ୍ଥ ହୋଇଗଲେଣି। ୧୧୮ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର