କୋମାରେ ଏନ୍‌ସିବି ଓଡ଼ିଶା ଶାଖା : ୯ ମାସରେ ମାତ୍ର ୨ ମାମଲା ରୁଜୁ କରିଛି

ନିଶା କାରବାରର ଗନ୍ଧ ବାରି ପାରୁନି, ଚଳିତ ବର୍ଷ ରାଜ୍ୟରୁ ଜବତ ହେଲାଣି ୩୦ କେଜି ବ୍ରାଉନସୁଗାର

ଭୁବନେଶ୍ୱର : ଦେଶରେ ଗଞ୍ଜେଇ, ବ୍ରାଉନସୁଗାର, ହେରୋଇନ୍, କୋକେନ୍, ଅଫିମ ଭଳି ନିଶା କାରବାରକୁ ରୋକିବା ଲାଗି ସ୍ବତନ୍ତ୍ର ଭାବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) କାମ କରୁଛି। ​ନିଶାଦ୍ରବ୍ୟର ଚୋରା ଚାଲାଣ, କାରବାରକୁ ରୋକିବା ସହ କିଙ୍ଗପିନକୁ ଧରିବା ଏନସିବିର ମୂଳ ଲକ୍ଷ୍ୟ। ବହୁଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍‌ରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିଛି। ଏହି ଘଟଣାରେ ନାମୀଦାମୀ କଳାକାରଙ୍କୁ ତଦନ୍ତ ପରିସରକୁ ନେଇ ଚର୍ଚ୍ଚାରେ ରହିଛି ଏନସିବି। କିନ୍ତୁ ଏନସିବିର ଓଡ଼ିଶା ଶାଖା କୋମାକୁ ଚାଲି ଯାଇଛି। ଗତ ୯ ମାସ ଭିତରେ ମାତ୍ର ଏହି ଦୁଇଟି ମାମଲା ରୁଜୁ ହୋଇଛି। ଗତ ଜୁନ୍‌ରେ ଏନସିବି ୭୭୫ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଟ୍ରକ୍‌ ଚାଳକ ଓ ହେଲପର୍‌ଙ୍କୁ ଗିରଫ କରିଥିଲା। ସେହିପରି ଅଗଷ୍ଟରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ହଂସପାଳ ନିକଟରୁ କଖାରୁ ଟ୍ରକରୁ ୧ କ୍ବିଣ୍ଟାଲ ୩୫ କେଜି ଗଞ୍ଜେଇ ଜବତ କରିବା ସହ ମାମଲାକୁ ଏନସିବିକୁ ହସ୍ତାନ୍ତର କରିଥିଲା। ଏନ୍‌ସିବି ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। ଚଳିତ ବର୍ଷ ଜାନୁଆରିରୁ ଏଯାଏ ମାତ୍ର ଦୁଇଟି ମାମଲାରେ ସୀମିତ ରହିଛିନ ଏନ୍‌ସିବିର କାର୍ଯ୍ୟାନୁଷ୍ଠାନ। ୨୦୧୯ରେ ମାତ୍ର ୪ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ହାତଗଣତି ମାମଲା ଏନ୍‌ସିବିର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

sambadenglish.com

ରାଜ୍ୟରେ ନିଶା କାରବାର ବଢ଼ି ଚାଲିଛି। ବିଶେଷକରି ବିପୁଳ ପରିମାଣର ବ୍ରାଉନସୁଗାର କାରବାର ଚାଲିଛି। ବାଲେଶ୍ବର ପରେ ଭୁବନେଶ୍ବର ପାଲଟିଛି ପେଣ୍ଠସ୍ଥଳୀ। ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ବରରେ ବ୍ରାଉନସୁଗାର ପହଞ୍ଚିବା ପରେ ଭୁବନେଶ୍ବରକୁ ଆସେ। ପରେ ଭୁବନେଶ୍ବରରୁ ଖୋର୍ଦ୍ଧା, କଟକ, ନୟାଗଡ଼, ପୁରୀ, ଜଗତସିଂହପୁରକୁ ଚାଲାଣ ହୋଇଥାଏ। ଚଳିତ ବର୍ଷ ଏସଟିଏଫ୍ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୧କେଜିରୁ ଅଧିକ ବ୍ରାଉନସୁଗାର ଧରିବା ଏହା ପ୍ରମାଣିତ କରୁଛି। ଏହି ସମୟ ମଧ୍ୟରେ କମିସନରେଟ୍‌ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦କେଜି ବ୍ରାଉନସୁଗାର ଜବତ ହୋଇଛି। ସେହିପରି ରାଜ୍ୟରେ ଗଞ୍ଜେଇ କାରବାର ସବୁ ରେକର୍ଡକୁ ଟପିଯାଇଛି। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଛି। ଅଣଓଡ଼ିଆ ବ୍ୟବସାୟୀମାନେ ଏହାର ମଙ୍ଗ ଧରିଛନ୍ତି। ଚଳିତବର୍ଷ ଓଡ଼ିଶା ପୁଲିସ ୭୦୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ୨୦୧୯ରେ ୬୧୮.୧୫ କ୍ବିଣ୍ଟାଲ ଓ ୨୦୧୮ରେ ୫୨୩.୮୯ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି।

ଓଡ଼ିଶା ଏବେ ବ୍ରାଉନସୁଗାର ଓ ଗଞ୍ଜେଇର ହବ୍ ପାଲଟି ଯାଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ୍, ପୁଲିସ ଏତେ ପରିମାଣର ନିଶିଦ୍ଧ ନିଶାଦ୍ରବ୍ୟ ଜବତ କରୁଥିବା ବେଳେ ସ୍ବତନ୍ତ୍ର ଭାବେ କାମ କରୁଥିବା ଏନସିବି କାହିଁକି ପାରୁନି ? କେଉଁଠି ଫେଲ୍ ମାରୁଛି? ସୂଚନାଦାତା ତିଆରି କରିପାରୁନାହିଁ କି ? ନା ସୂଚନାଦାତାଙ୍କର ବିଶ୍ବାସଯୋଗ୍ୟ ହୋଇପାରୁନାହିଁ? ପୁଲିସ, ଏସଟିଏଫ୍‌ ଭଳି ଏଜେନ୍ସିଙ୍କ ସହ ଯୋଗାଯୋଗରେ ରହିପାରୁନି କି ଏହି ସଂସ୍ଥା? ନା ନିଶା କାରବାରକୁ ଧରିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ନକ୍ସଲଙ୍କ ପ୍ରୋତ୍ସାହନରେ ବିପୁଳ ଗଞ୍ଜେଇ ଚାଷ ଚାଲୁଛି। ବ୍ରାଉନସୁଗାର ବାହାରୁ ରାଜ୍ୟ ଭିତରକୁ ଆସୁଥିବା ବେଳେ ଏହା ସହ ଅନ୍ୟ ଅପରାଧ ମଧ୍ୟ ଜଡ଼ିତ ରହୁଛି। ଏନ୍‌ସିବିର ରାଜ୍ୟ ଶାଖାରେ ସୀମିତ କର୍ମଚାରୀ ରହୁଛନ୍ତି। ଫଳରେ ସେମାନେ ଅଧିକ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବପର ହେଉ ନାହିଁ।

ଲାଞ୍ଚ ନେଇ ଦୁଇ ଅଧିକାରୀଙ୍କ ସମେତ ୩ ଗିରଫ ହୋଇଥିଲେ
୨୦୧୮ ଏପ୍ରିଲରେ ଚନ୍ଦନ ଓଝା ନାମକ ଜଣେ ଯୁବକଙ୍କୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତ ନ କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ସିବିଆଇ ଏନ୍‌ସିବିର ଦୁଇ ଅଧିକାରୀଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିଲା। ଏନ୍‌ସିବି ଅଧିକାରୀ ଜ୍ଞାନପ୍ରକାଶ, ସତୀଶ କୁମାର ଓ କନଷ୍ଟେବଳ ଏ.ଏସ୍ କୁଜୁରି ଗିରଫ ହୋଇଥିଲେ। ଏହି ଘଟଣା ପରେ ଏନ୍‌ସିବି ଅଧିକାରୀଙ୍କ ଭୂମିକା ସନ୍ଦେହ ପରିସରକୁ ଆସିଥିଲା।

ସମ୍ବନ୍ଧିତ ଖବର