ଛାତ୍ରୀଙ୍କୁ ଏନ୍‌ସିସି ଅଧ୍ୟାପକଙ୍କ ଦୁଷ୍କର୍ମ ଘଟଣା: ପୋ‌କ୍ସୋ ଆକ୍ଟରେ ମାମଲା ରୁଜୁ

ଅଧ୍ୟକ୍ଷ ଚାପି ଦେଇଥିଲେ

ଭୁବନେଶ୍ବର: ଶ୍ରୀଜୟଦେବ କଲେଜ ଅଫ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜିର ଏନ୍‌ସିସି ଅଧ୍ୟାପକ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ କଲେଜ ପାଇଁ ଅଡ଼ୁଆ ବଢ଼ିଛି। କଲେଜ ଅଧ୍ୟକ୍ଷ ଏହି ମାମଲାକୁ ଚପାଇ ଦେବାକୁ ଯାଇ ରଫାଦଫା କରିବାକୁ ଉଦ୍ୟମ କରୁଥିବା ବେଳେ ଆଜି ପାହାଳ ଥାନା ପୁଲିସ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରିଛି। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏନ୍‌ସିସି ଅଧ୍ୟାପକ ପ୍ରମୋଦ କୁମାର ଦାସଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ସେ କଲେଜରେ ପଢ଼ୁଥିବା ସମୟରେ ଏନ୍‌ସିସିରେ ଭାଗ ନେବା ପାଇଁ ଆବେଦନ କରିଥିଲେ। ଏନ୍‌ସିସି ଅଧ୍ୟାପକ ପ୍ରମୋଦ ଦାସ ତାଙ୍କୁ ଏନ୍‌ରୋଲମେଣ୍ଟ୍ ଫର୍ମ ଦେଇ ବିଭାଗୀୟ ମାଡାମ୍‌ଙ୍କ ଠାରୁ ଅନୁମତି ଆଣିବାକୁ କହିଥିଲେ। ଅନୁମତି ଆଣିବା ପରେ ସେ ଉକ୍ତ ଫର୍ମକୁ ଅଧ୍ୟାପକ ଶ୍ରୀ ଦାସଙ୍କୁ ଦେଇଥିଲେ। ମାତ୍ର ଫର୍ମ ନେବା ପରିବର୍ତ୍ତେ ତାଙ୍କୁ ଏନ୍‌ସିସି ରୁମ୍‌ରେ ଅପେକ୍ଷା କରିବାକୁ କହି ସେ କ୍ଲାସ୍ କରିବାକୁ ଗଲେ। କ୍ଲାସ୍ ସାରି ଫେରିବା ପରେ ଅଧ୍ୟାପକ ଶ୍ରୀ ଦାସ କହିଥିଲେ ଯେ ଏନ୍‌ସିସିରେ ଭାଗ ନେବା ପାଇଁ ହେଲେ ତାଙ୍କ ରୁଲ୍ ରେଗୁଲେସନ୍ ମାନିବାକୁ ପଡ଼ିବ। ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ପଡ଼ିବ ବୋଲି ସିଧା‌ସଳଖ କହିଥିଲେ। ଏହା କହି ସେ ପ୍ରାୟ ୪୫ମିନିଟ୍ ପର୍ଯ୍ୟନ୍ତ ଉକ୍ତ ରୁମ୍‌ରେ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ପରେ ଛାତ୍ରୀ ଏନେଇ କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିବାକୁ ଯିବାରୁ ଏନ୍‌ସିସି ଅଧ୍ୟାପକ ତାଙ୍କୁ ଡରାଇବା ସହ ତାଙ୍କୁ ଏବଂ ତାଙ୍କ ଧରମ ବାପାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଫଳରେ ଛାତ୍ରୀଜଣକ ସେହି ସମୟରେ ଚୁପ୍ ରହିଥିଲେ। ପରେ ଏନ୍‌ସିସି ଅଧ୍ୟାପକ ଏବଂ ତାଙ୍କ ସହିତ ଲିପ୍ତ ଥିବା କିଛି ଛାତ୍ରୀ ପୁଣି ଥରେ ତାଙ୍କୁ ତାଙ୍କ ପାଖକୁ ଯିବାକୁ ବାଧ୍ୟ କରିବାରୁ ସେ ଘଟଣା ସଂପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ତଥାପି ଅଧ୍ୟକ୍ଷ ଏହି ଅଭିଯୋଗକୁ ଚାପି ଦେବାକୁ ଉଦ୍ୟମ କଲେ। ତେଣୁ ବାଧ୍ୟ ହୋଇ ସେ ପାହାଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଧ୍ୟାପକ ପ୍ରମୋଦ ଦାସଙ୍କ ବିରୋଧରେ ଦୁଷ୍କର୍ମ ସମେତ ପୋକ୍‌ସୋ ଆକ୍ଟ ୬ ଓ ୫୦୬ ଦଫାରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର