ଖଣ୍ଡଗିରି: ରାଷ୍ଟ୍ର ନିର୍ମାଣରେ ଏନ୍ସିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶା ଏନ୍ସିସି ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଓୟୁଏଟି ପ୍ରେକ୍ଷାଳୟରେ ଆୟୋଜିତ ଆଲୋଚନାଚକ୍ରକୁ ଉଦ୍ଘାଟନ କରି ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି। ‘ରାଷ୍ଟ୍ର ଗଠନରେ ଏନ୍ସିସିର ଅବଦାନ’ ଶୀର୍ଷକ ଏକଦିବସୀୟ ଜାତୀୟ ଆଲୋଚନାଚକ୍ରରେ ରାଜ୍ୟପାଳ କହିଲେ ଏନ୍ସିସି ଏକ ସକ୍ରିୟ ଯୁବ ଆନ୍ଦୋଳନ ଭାବରେ ଉଭା ହୋଇଛି। ଯାହା ଶୃଙ୍ଖଳା, ଚରିତ୍ର ଗଠନ ଏବଂ ନିଃସ୍ୱାର୍ଥପର ସେବା ମାଧ୍ୟମରେ ଦାୟିତ୍ୱବାନ ନାଗରିକ ଏବଂ ଦେଶର ଭବିଷ୍ୟତକୁ ଗଠନ କରୁଛି। ଏଭଳି ଆଲୋଚନାଚକ୍ର ଜାତୀୟ ସୁରକ୍ଷା, ସାମାଜିକ ଏବଂ ସାଂସ୍କୃତିକ ଅବଦାନ, ଯୁବ ବିକାଶ, ଡିଜିଟାଲ ଉପକରଣ ବ୍ୟବହାର ପାଇଁ ଅଧିକ ଅନୁପ୍ରେରିତ କରିବ। ଏନ୍ସିସି କିପରି ଅଧିକ ଶକ୍ତିଶାଳୀ ରାଷ୍ଟ୍ର ଗଠନରେ ସହଯୋଗ କରିପାରିବ ସେ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ମହିଳା ସଶକ୍ତୀକରଣ, ଜନଜାତି, ଗ୍ରାମୀଣ ଓ ସହରାଞ୍ଚଳର ଯୁବକମାନଙ୍କୁ ସାମିଲ କରି ରାଜ୍ୟର ବିକାଶ ଲକ୍ଷ୍ୟ ସାଧନ ପାଇଁ ଏନ୍ସିସିର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିବା ସହ ଏନ୍ସିସି ଅଧିକାରୀ ଓ କ୍ୟାଡେଟ୍ଙ୍କର ଉତ୍ସର୍ଗୀକୃତ ସେବା ଓ ଶକ୍ତି ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଆଲୋଚନାଚକ୍ର ଓଡ଼ିଶାରେ ଏନ୍ସିସି ଆନ୍ଦୋଳନକୁ ଅଧିକ ସୁଦୂରପ୍ରସାରୀ କରିବ ଏବଂ ଜାତୀୟ ପ୍ରଗତିରେ ଏକ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ।
ଓଡ଼ିଶା ଏନ୍ସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଶକ୍ତ, ଦାୟିତ୍ୱବାନ ଓ ସେବା ମନୋଭାବସମ୍ପନ୍ନ ଯୁବବର୍ଗଙ୍କୁ ଏନ୍ସିସି ମାଧ୍ୟମରେ ଗଢିତୋଳିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେନାବାହିନୀର ଅଧିକାରୀ, ବରିଷ୍ଠ ପ୍ରଶାସକ, ଶିକ୍ଷାବିତ୍ ଓ ବିଶେଷଜ୍ଞ ମାନେ ଏକତ୍ରିତ ହୋଇ ନେତୃତ୍ୱ, ସାମାଜିକ କର୍ତ୍ତବ୍ୟ, ନାଗରିକ ଦାୟିତ୍ୱବୋଧ, ରାଷ୍ଟ୍ର ଗଠନ, ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା , ଜାତୀୟ ନିରାପତ୍ତା ନିମନ୍ତେ ଉତ୍ତରଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ସମଗ୍ର ଓଡ଼ିଶାରୁ ଆସିଥିବା କନିଷ୍ଠ ତଥା ବରିଷ୍ଠ ବିଭାଗର ୧୦୦୦ରୁ ଅଧିକ କ୍ୟାଡେଟ୍ , ସହଯୋଗୀ ଏନ୍ସିସି ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସହିତ ଭାବବିନିମୟ କରିଥିଲେ। ଏନ୍ସିସି ଓ ସେନାର ବରିଷ୍ଠ ଅଧିକାରୀ ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ।