ଇଏସ୍‌ଆଇ ହସ୍ପିଟାଲରେ ଏନ୍‌ଡିଆର୍‌ଏଫ୍ ଡିଜି

ଭୁବନେଶ୍ବର: ଚିକିତ୍ସାଧୀନ ଏନ୍‌ଡିଆର୍‌ଏଫ୍ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବା ପାଇଁ ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ ଆଜି ଇଏସ୍‌ଆଇ ହସ୍ପିଟାଲରେ ପହଞ୍ଚିଥିଲେ। ସେ ଆହତ ଯବାନଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ‘ଫନି’ ପୀଡ଼ିତଙ୍କୁ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ନିୟୋଜିତ ଜଣେ ଏନ୍‌ଡିଆର୍‌ଏଫ୍‌ ଯବାନ ଗୁରୁତର ଆହତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଶ୍ରୀକାନ୍ତ ଦେବତାଙ୍କ ଦ୍ବାରା ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ବାତ୍ୟା ଦ୍ବାରା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ହସ୍ପିଟାଲରେ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ବାତ୍ୟା ଦିନ ଅର୍ଥାତ୍‌ ଗତ ୩ ତାରିଖ ସକାଳୁ ହସ୍ପିଟାଲର ସମସ୍ତ ବିଶେଷଜ୍ଞ, ବୀମା ଡାକ୍ତର ଓ କର୍ମଚାରୀ ଆସି ବାତ୍ୟା ନିୟନ୍ତ୍ରଣ କକ୍ଷରେ ଉପସ୍ଥିତ ହୋଇଥିଲେ ଓ ଜରୁରୀକାଳୀନ ସ୍ଥିତିରେ ଆହତଙ୍କ ଚିକିତ୍ସା ପାଇଁ ସବିଶେଷ ଆଲୋଚନା କରିଥିଲେ। ବାତ୍ୟାରେ ହସ୍ପିଟାଲ୍‌ ପରିସରରେ ଥିବା ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ କରିଥିଲା। ଏହା ସତ୍ତ୍ବେ ସଂପୂର୍ଣ୍ଣ ହସ୍ପିଟାଲକୁ ପାଣି ଓ ବିଜୁଳି ଯୋଗାଇ ଦିଆଯାଇଥିଲା। ବାତ୍ୟା ଦୁର୍ଗତଙ୍କ ସହାୟତା ପାଇଁ ଗଠିତ ଦଳ ଏବେ ଦିନରାତି କାର୍ଯ୍ୟ କରୁଥିବା ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର