ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ଐତିହ୍ୟ ଦର୍ଶନ

ଭୁବନେଶ୍ୱର: ବିହାରର ଅଶୋକ ସ୍ତମ୍ଭ ହେଉ ଅବା ଛତିଶଗଡ଼ର ମାମୁ ଭଣଜା ମନ୍ଦିର। ଝାଡ଼ଖଣ୍ଡର ତପୋବନ ମନ୍ଦିର ହେଉ କି ପଶ୍ଚିମବଙ୍ଗର ଭିକ୍ଟୋରିଆ ସ୍ମାରକୀ। ପୂର୍ବ ଭାରତର ଐତିହ୍ୟକୁ ଏକାଠି ଦେଖିବାର ସୁଯୋଗ ସୃଷ୍ଟି କରିଛି ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ। ଆଜି ସଂଗ୍ରହାଳୟ ପରିସରରେ ଉଦ୍‌ଘାଟିତ ହୋଇଥିବା ପୂର୍ବ ଭାରତର ଐତହ୍ୟ ପ୍ରଦର୍ଶନୀରେ ଏଭଳି ଉପଲବ୍ଧି ମିଳିପାରିଛି। ତେବେ ବାସ୍ତବରେ ନୁହେଁ ଫଟୋରେ ପୂର୍ବ ଭାରତର ଐତିହ୍ୟ ବୁଲି ଆସିବାର ଅବକାଶ ସୃଷ୍ଟି କରିଛି ସଂଗ୍ରହାଳୟ। ଏଠାରେ ଓଡ଼ିଶା, ଆଣ୍ଡାମାନ ଓ ନିକୋବର, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଐତିହ୍ୟ କୀର୍ତିରାଜି ସମେତ ସଂପୃକ୍ତ ରାଜ୍ୟର ଆର୍ଥିକ ଓ ସାମାଜିକ ଚିତ୍ର ଦେଖିବାକୁ ମିଳିଛି। ପ୍ରଦର୍ଶନୀ ମଧ୍ୟରେ ଥର୍ମୋକୁଲ୍‌ ଓ ଲୁହା ରଡ୍‌ରେ ନିର୍ମିତ କୋଣାର୍କର ସୂର୍ଯ୍ୟ ମନ୍ଦିରର ପ୍ରତିକୃତି ଦେଖେଣାହାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛି। ରୂପରଂଜନ ରାଉଳ ଏବଂ ସୂର୍ଯ୍ୟକାନ୍ତ ନାୟକଙ୍କ ଏହି ପ୍ରତିକୃତିକୁ ଅତିଥିମାନେ ପ୍ରଶଂସା କରିଛନ୍ତି। ଆଜିର ଏହି ପ୍ରଦର୍ଶନୀକୁ ଏମ୍‌ଓଇଏଫ୍‌ ପୂର୍ବାଞ୍ଚଳ କେନ୍ଦ୍ରର ଯୁଗ୍ମ ନିର୍ଦେଶକ ଡ.ଏକେ ଗୁପ୍ତା ଉଦ୍‌ଘାଟନ କରିଥିବା ବେଳେ ଜାତୀୟ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ବୈଜ୍ଞାନିକ ସିଆର୍‌ ମଙ୍ଗେସ୍‌ ଏବଂ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ବୈଜ୍ଞାନିକ ଗୌରବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର