ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଔଷଧୀୟ ବଗିଚା ଉଦ୍‌ଘାଟିତ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ପରିସରରେ ଔଷଧୀୟ ବଗିଚା ଆଜି ଉଦ୍‌ଘାଟିତ ହୋଇଛି। ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଭୂମେଶ ଚନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଔଷଧୀୟ ବଗିଚାରେ ବହୁ ବିରଳ ଓ ଔଷଧୀୟ ବୃକ୍ଷ ଲଗାଯାଇଛି। ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଔଷଧୀୟ ବଗିଚାରେ ଥିବା ବୃକ୍ଷ ଓ ଏହାର ଉପକାରିତା ବିଷୟରେ ଜାଣିବାରେ ସହାୟକ ହେବ ବୋଲି କୁହାଯାଇଛି।

ଔଷଧୀୟ ବଗିଚାରେ ସମୁଦାୟ ୨ଟି ଅଂଶ ରହିଛି। ପ୍ରତ୍ୟେକ ବଚିଚାରେ ୨୦ ପ୍ରକାର ଔଷଧୀୟ ବୃକ୍ଷ ରହିଛି। ଅଶ୍ବଗନ୍ଧା, ଅନନ୍ତମୂଳ, ସୀତା ତୁଳସୀ, ଗୁଡ଼ୁଚି, ଗନ୍ଧାଶୁଣ୍ଠି, ଭୃଙ୍ଗରାଜ ଭଳି ଅନେକ ଔଷଧୀୟ ବୃକ୍ଷ ସହ ୧୫ଟି ବିରଳ ଖାଦ୍ୟୋପଯୋଗୀ ବୃକ୍ଷକୁ ମଧ୍ୟ ରୋପଣ କରାଯାଇଛି। ଜାତୀୟ ଆୟୁଷ ମିସନ୍‌ ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହି ବଗିଚା ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ଶ୍ରୀ‌ ବେହେରା ହସ୍ପିଟାଲ ପାଇଁ ଆସିଥିବା ନୂତନ ୨୫କେଭି ଡିଜିର ମଧ୍ୟ ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହସ୍ପିଟାଲ ଉପଅଧୀକ୍ଷକ ଡା. ନିରଞ୍ଚନ ଓଝା, ଡା. ଚିତ୍ତରଂଜନ ବେହେରା, ଡା. ଅରବିନ୍ଦ ସାହୁ, ଡା. ନିଶାକର ପଟ୍ଟନାୟକ, ଡିଏଫ୍‌ଓ ଅଜିତ ଶତପଥୀ, ସହକାରୀ କୃଷି ଅଧିକାରୀ ଜୟନ୍ତ ଜେନା ଓ ସତ୍ୟାନନ୍ଦ ପାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର