ଆହୁରି ସମୟ ଲାଗିବ: ଏବେ ବି ବାତିଲ୍‌ ହେଉଛି ବହୁ ଟୁର୍

ରଥଯାତ୍ରା ‌େନଇ ସମସ୍ତେ ଆଶାବାଦୀ

ଭୁବନେଶ୍ବର: ବାତ୍ୟା ‘ଫନି’ ପୁରୀ ଓ ଭୁବନେଶ୍ବରର ଜନଜୀବନକୁ ଦୁର୍ଦ୍ଦଶାକୁ ଠେଲି ଦେଇଛି। ତା’ସହ ଉଜାଡ଼ି ଦେଇଛି ରାଜ୍ୟ ପର୍ଯ୍ୟଟନ ଶିଳ୍ପର ମେରୁଦଣ୍ଡକୁ। ଫନି ଯିବାର ତିନି ସପ୍ତାହ ପୂରିବାକୁ ବସିଲାଣି। କିନ୍ତୁ ପର୍ଯ୍ୟଟନ ଶିଳ୍ପ ଏଯାଏ ସଳଖି ଠିଆ ହୋଇପାରି ନାହିଁ। ବିଶେଷକରି ପୁରୀରେ ସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ପ୍ରଥମ ଦୁଇ ସପ୍ତାହ ତ ବାହାରର ପର୍ଯ୍ୟଟକ ଓଡ଼ିଶା ଆସି ନ ଥିଲେ। ଏଇ ସପ୍ତାହରେ କିଛିଟା ଆସିଥିଲେ ବି ତାହା ବିଗତ ବର୍ଷଗୁଡ଼ିକ ତୁଳନାରେ ବହୁତ କମ୍। ଫଳରେ ସହରରେ ଟୁର୍ ଓ ଟ୍ରାଭେଲ୍ସ ସଂସ୍ଥାଗୁଡ଼ିକ ସମସ୍ୟାରେ ପଡ଼ି ଯାଇଛନ୍ତି। ରଥଯାତ୍ରା ପୂର୍ବରୁ ସ୍ଥିତି ନ ସୁଧୁରିଲେ ଓଡ଼ିଶା ପର୍ଯ୍ୟଟନକୁ ଏକ ବିଶାଳ ଧକ୍କା ହେବାର ଆଶଙ୍କା ରହିଛି। ଭ୍ରମଣ ଉଦ୍ଦେଶ୍ୟରେ ଓଡ଼ିଶା ଆସୁଥିବା ବାହାରର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପୁରୀ ଓ ଚିଲିକା। ପୁରୀରେ ଉଭୟ ମନ୍ଦିର ଓ ବେଳାଭୂମି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର। ଯଦିଓ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଆଗମନ ବଢ଼ୁଛି ଓ ବଡ଼ଦାଣ୍ଡରେ ବିଜୁଳି ସଂଯୋଗ ହୋଇସାରିଛି, ପୁରୀରେ ପ୍ରମୁଖ ହୋଟେଲ୍‌ଗୁଡ଼ିକ ଏ ଯାଏ କାର୍ଯ୍ୟକ୍ଷମ ହୋଇନାହିଁ। ପୂରା ସହରକୁ ବିଜୁଳି ସଂଯୋଗ ବି ସମ୍ପୂର୍ଣ୍ଣ ହୋଇନାହିଁ। ଯେହେତୁ ପୁରୀରେ ରହିବା ସମ୍ଭବ ହେଉନାହିଁ, ତେଣୁ ପର୍ଯ୍ୟଟକ ପୁରୀ ଯିବାକୁ ଉଚିତ ମଣୁ ନାହାନ୍ତି। ସେହିପରି ସାତପଡ଼ା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ବାହାରର ପର୍ଯ୍ୟଟକମାନେ ଏଥର ଖରା ଦିନେ ଆଉ ଓଡ଼ିଶାମୁହାଁ ହେଉନାହାନ୍ତି। ଏପରିକି ପୁରୀ ଅଧିକ ଆସୁଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମି ଯାଇଛି। ଏପରିକି ଆସନ୍ତା ୩/୪ମାସ ପର୍ଯ୍ୟନ୍ତ ମଧ୍ୟ ପର୍ଯ୍ୟଟକମାନେ ବୁକିଂ ବାତିଲ୍‌ କରୁଥିବା ଜଣାପଡ଼ିଛି। ବିଭିନ୍ନ ଟୁର୍ ଓ ଟ୍ରାଭେଲ୍‌ସ୍ ସଂସ୍ଥା କୋଣାର୍କ-ପୁରୀ-ଚିଲିକାକୁ ନେଇ କରୁଥିବା ଟୁର୍‌ ପ୍ୟାକେଜ୍‌ ପ୍ରତି ସ୍ଥାନୀୟ ପର୍ଯ୍ୟଟକଙ୍କ ମଧ୍ୟ ଆଗ୍ରହ ରହୁ ନାହିଁ। ଫଳରେ ଭୁବନେଶ୍ବର‌ ଓ ପୁରୀ‌େର ଥିବା ବହୁ ଟୁର୍ ଓ ଟ୍ରାଭେଲ୍‌ସ୍ ସଂସ୍ଥା‌ର ବ୍ୟବସାୟ ମାନ୍ଦା ହୋଇଯାଇଛି।

ଓଡ଼ିଶାର ଜଣାଶୁଣା ଟୁର୍‌ ଅପରେଟର ବେଞ୍ଜାମିନ୍‌ ସାଇମନ୍‌ କୁହନ୍ତି, ପ୍ରତିବର୍ଷ ଏହି ଏପ୍ରିଲ, ମେ’ ଓ ଜୁନ୍‌ ଗ୍ରୀଷ୍ମ ମାସଗୁଡ଼ିକରେ ଓଡ଼ିଶାକୁ ଦେଶ ଭିତରୁ ଓ ବାହାରୁ ପର୍ଯ୍ୟଟକଙ୍କ ଆଗମନ ଅଧିକ ହୋଇଥାଏ। କିନ୍ତୁ ଫନି ଏହି ସୁଅର ବାଟ ଓଗାଳିଛି। ପୁରୀ ଆସୁଥିବା ସମସ୍ତ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ପୁରୀ ଓ ଭୁବନେଶ୍ବରକୁ ‌ମୁଖ୍ୟ ଯୋଜନାରେ ରଖି ଆସୁଥିବା ବେଳେ ଫନି ପ୍ରଭାବ‌ରେ ଏହି ଦୁଇ ସହରର ବିକଳ ସ୍ଥିତି ପର୍ଯ୍ୟଟନ ଶିଳ୍ପରେ ଭଟ୍ଟା ପକାଇଛି। ଆଜିକୁ ୨୦ଦିନ ବିତିଯାଇଥିଲେ ବି ସ୍ଥିତି ସ୍ବାଭାବିକ ହୋଇପାରିନି। ଆଗକୁ ରଥଯାତ୍ରା ଆସୁଛି। ଏହା ପର୍ଯ୍ୟଟନ ଶିଳ୍ପ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସମୟ। ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ହୋଟେଲଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସଜାଡ଼ିବାକୁ ଚେଷ୍ଟା କରାଯାଉଛି। ରାଜ୍ୟ ସରକାର ମଧ୍ୟ ଏନେଇ ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍‌ ଶୀଘ୍ର ଓଡ଼ିଶା ପର୍ଯ୍ୟଟନକୁ ସଜାଡ଼ି ଦିଆଯିବ ଓ ସ୍ଥିତିକୁ ସ୍ବାଭାବିକ କରାଯିବା ପାଇଁ କ୍ୟାମ୍ପେନ୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ତଥାପି ବର୍ତ୍ତମାନ ପରିସ୍ଥିତିରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୦୦% କମିଥିବା ବେଳେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୭୦-୮୦% ଓ ବିଦେଶୀ ପର୍ଯ୍ୟଟକ ୫୦% କମିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଉପରେ ଏପରି ପ୍ରହାର ଫଳରେ ହୋଟେଲ ବ୍ୟବସାୟୀ, ହୋଟେଲରେ କାର୍ଯ୍ୟରତ କର୍ମଚାରୀ, ଟ୍ରାଭେଲ ଗାଇଡ୍‌ସ୍‌, ସ୍ଥାନୀୟ କାରିଗର ଓ ଶିଳ୍ପୀ, ଛୋଟ ଛୋଟ ବ୍ୟବସାୟୀ ଓ ସମସ୍ତ ଷ୍ଟେକ୍‌ ହୋଲ୍‌ଡର ନାହିଁ ନଥିବା କ୍ଷତି ସହିଛନ୍ତି। ତେବେ ଆସନ୍ତା ଦେଢ଼ ମାସ ମଧ୍ୟରେ ସ୍ଥିତି ସଜାଡ଼ିବାକୁ ଜୋର୍‌ଦାର୍ କାମ ଆରମ୍ଭ ହୋଇଥିବା ଶ୍ରୀ ସାଇମନ୍‌ କହିଛନ୍ତି। ସ୍ବସ୍ତି ଟ୍ରାଭେଲ୍ସ୍‌ର ଟୁର୍‌ ଏକ୍‌ଜିକ୍ୟୁଟିଭ୍ ସ୍ନେହାଲିନ୍‌ ଦାସ କୁହନ୍ତି, ଗତ ମେ’ ୩ ତାରିଖ ଫନିଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆମର ୧୦ ଲକ୍ଷ ଟଙ୍କାରୁ ଊର୍ଧ୍ବ ଟଙ୍କାର ବୁକିଂ ବାତିଲ୍‌ ହୋଇଯାଇଛି। ଖାଲି ବର୍ତ୍ତମାନର ନୁହେଁ, ପାଇପ୍‌ ଲାଇନ୍‌ରେ ଥିବା ଅକ୍ଟୋବର ଓ ନଭେମ୍ବର ମାସର ବୁକିଂ ମଧ୍ୟ ଗ୍ରାହକ ଫୋନ୍‌ କରି ବାତିଲ କରୁଛନ୍ତି। ବାହାରର ପର୍ଯ୍ୟଟକ ପୁରୀକୁ ଫୋକସ୍‌ରେ ରଖୁଥିବା ବେଳେ ପୁରୀ‌ରେ ବର୍ତ୍ତମାନ ରହିବାର ସୁଯୋଗ ଉପଲବ୍ଧ ନଥିବାରୁ ଏଭଳି ଘଟୁଛି। ଏସବୁ ସ୍ଥିତି ସୁଧୁରିବାକୁ ନିହାତି ୩/୪ ମାସ ସମୟ ଲାଗିବ। ଅନ୍ୟପକ୍ଷେ ପୂର୍ବରୁ ପ୍ରତି ମାସରେ ଟ୍ରାଭେଲ୍ସ୍‌ର ଓଡ଼ିଶା ପ୍ୟାକେଜ୍‌କୁ ନେଇ ୧୨ଲକ୍ଷ ଟଙ୍କାର ବିଜ୍‌ନେସ୍‌ ହେଉଥିବା ବେଳେ ଏବେ ଏହା ୯୦% କମିଯାଇଥିବା ସେ କହିଛନ୍ତି।

ସେହିପରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୨୦ଟି ପାନ୍ଥନିବାସ ମଧ୍ୟରୁ ପୁରୀ, ସାତପଡ଼ା, କୋଣାର୍କ, ଭୁବନେଶ୍ବର, ପାନ୍ଥନିବାସ ଓ ଧଉଳି ପାନ୍ଥିକା ଆଦି ଭୀଷଣ କ୍ଷତିଗ୍ରସ୍ତ ହୋଇଛନ୍ତି। ପୁରୀ ଓ ସାତପଡ଼ା‌ ପାନ୍ଥନିବାସ କ୍ଷତିଗସ୍ତ ହୋଇଥିବାରୁ ଆସନ୍ତା ୩୧ତାରିଖ ଯାଏଁ ଏହାର ବୁକିଂ ବନ୍ଦ ରହିଛି। ବର୍ତ୍ତମାନ ସୁଦ୍ଧା ଅନ୍‌ଲାଇନ୍‌ରେ ୧୦ ଲକ୍ଷ ଟଙ୍କାର ବୁକିଂ ବାତିଲ୍‌ ମଧ୍ୟ ହୋଇସାରିଲାଣି। ଗତକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ପୁରୀ-କୋଣାର୍କ ପାରିପାର୍ଶ୍ବିକ ଭ୍ରମଣ ପ୍ୟାକେଜ୍‌ ତଥା ଭୁବନେଶ୍ବର ନନ୍ଦନକାନନ-ଧଉଳି-ଖଣ୍ଡଗିରି ଆଦି ପାରିପାର୍ଶ୍ବିକ ଭ୍ରମଣ ପ୍ୟାକେଜ୍‌ ଆରମ୍ଭ ହୋଇଯାଇଛି। କିନ୍ତୁ ଗତବର୍ଷ ଅପେକ୍ଷା ୯୦% ବ୍ୟବସାୟ କମିଥିବା ନିଗମର ମାର୍କେଟିଂ ମ୍ୟାନେଜର ଆଲୋକ ମିଶ୍ର କହିଛନ୍ତି। ହୋଟେଲ ନ୍ୟୁ ମ୍ୟାରିଅନ୍‌ର ଜେନେରାଲ ମ୍ୟାନେଜର ସମୀର ଅଲ୍ଲି କହିଛନ୍ତି, ଫନି ପ୍ରଭାବରେ ପର୍ଯ୍ୟଟକ କମିବା ଯୋଗୁଁ ହୋଟେଲ୍‌ ବ୍ୟବସାୟ ପ୍ରଭାବିତ ହୋଇଛି। ଭୁବନେଶ୍ବରକୁ କର୍ପୋରେଟ୍‌ ଟ୍ରାଭେଲର୍‌ ଅଧିକ ଆସୁଥିବାରୁ କିଛିଟା କ୍ଷତିଭରଣା ହୋଇଯାଉଛି। କିନ୍ତୁ ପୁରୀରେ ସ୍ଥିତି ସ୍ବାଭାବିକ ହୋଇଗଲେ ପୁଣି ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ସେ ଆଶାବାଦୀ।

ସମ୍ବନ୍ଧିତ ଖବର