ପ୍ରକାଶ ପାଇଛି ‘ନିଟ୍’ ପରୀକ୍ଷା ଫଳ। ଓଡ଼ିଶାର ୧୯ ହଜାର ୬୦୦ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଆଉ ଏଥିରେ କେବଳ ଭୁବନେଶ୍ୱରରୁ ୧୧ ହଜାର ପରୀକ୍ଷାର୍ଥୀ ସଫଳତାର ସହ ର୍ୟାଙ୍କ ପାଇଛନ୍ତି। ସହରରେ ଥିବା କୋଚିଂ ସେଣ୍ଟର୍ଗୁଡ଼ିକ ମଧ୍ୟ ଭଲ ରେଜଲ୍ଟ କରିଛନ୍ତି। କେଉଁ ସେଣ୍ଟର୍ର ଛାତ୍ରଛାତ୍ରୀ ଶତ ପ୍ରତିଶତ ଫଳ କରିଛନ୍ତି ତ ଆଉ କେଉଁ ସେଣ୍ଟର୍ର ଛାତ୍ରଛାତ୍ରୀ ଶ୍ରେଷ୍ଠ ଶହେ ମଧ୍ୟରେ ରହି ଓଡ଼ିଶାକୁ ଗୌରାବନ୍ଵିତ କରିଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇବା କ୍ଷଣି ସବୁଠି ଦେଖିବାକୁ ମିଳିଥିଲା ଉତ୍ସାହର ମାହୋଲ। ମିଠା ଖୁଆଇ, ସ୍ପ୍ରେ ଉଡ଼ାଇ ସମସ୍ତେ ଜାହିର କରିଥିଲେ ଖୁସି।
ଜିନୋମ୍ କ୍ଲାସେସ୍
ଗୋଟିଏ ବର୍ଷ ମଧ୍ୟରେ ସଫଳତା ସାଉଁଟିଛି ଭୁବନେଶ୍ୱର ସତ୍ୟନଗରରେ ଥିବା ‘ଜିନୋମ୍ କ୍ଲାସେସ୍’। ଦକ୍ଷ ତଥା ଅଭିଜ୍ଞ ଶିକ୍ଷକଙ୍କ ସାଙ୍ଗକୁ କ୍ଲାସ୍ରୁମ୍ ଶିକ୍ଷା ଯୋଗୁଁ ଏଠାକାର ପିଲାମାନେ ନିଟ୍’ରେ ବାଜି ମାରିଛନ୍ତି। ଏବର୍ଷ ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫ ଜଣ ୫୦୦ରୁ ଅଧିକ ନମ୍ବର ରଖିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ ର୍ୟାଙ୍କ ମିଳିଛି। ଛାତ୍ର ଜୟକୃଷ୍ଣ ପାଣି ସର୍ବଭାରତୀୟସ୍ତରରେ ୨୦୪ତମ ର୍ୟାଙ୍କ ହାସଲ କରିଛନ୍ତି। ଅନ୍ୟ ସମସ୍ତ ପିଲା ମଧ୍ୟ ଉନ୍ନତ ର୍ୟାଙ୍କ ରଖି କୋଚିଂ ସେଣ୍ଟର୍ ଲାଗି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବାୟୋଲୋଜିରେ ରଶ୍ମି ରଞ୍ଜନ ପଟ୍ଟନାୟକ, ଫିଜିକ୍ସରେ ଏସ୍ କେ, କେମେଷ୍ଟ୍ରି ବିଷୟରେ ପିବିଏମ୍ ସାର୍ଙ୍କ ଯୋଗୁଁ ଆଜି ଏଭଳି ସଫଳତା ମିଳିପାରିଛି। ‘ଜିନୋମ୍ କ୍ଲାସେସ୍’ର ମୁଖ୍ୟ ରଶି୍ମ ରଞ୍ଜନ ପଟ୍ଟନାୟକଙ୍କ କହିବାନୁଯାୟୀ ଉନ୍ନତ ଓ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା କୋଚିଂ ଦିଆଯାଉଛି। ଯେଉଁଥିପାଇଁ ଏଠାକାର ପିଲାମାନେ ଗୋଟିଏ ବର୍ଷରେ ଏଭଳି ସଫଳତା ହାସଲ କରିପାରିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ର୍ୟାଙ୍କ ପାଇଛନ୍ତି। ଆଗାମୀ ଦିନରେ ଯେପରି ଭଲ କରିହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।
‘ଆକାଶ’ ଇନ୍ଷ୍ଟିଚ୍ୟୁଟ୍
ଗତବର୍ଷ ତୁଳନାରେ ଏଥରକ ‘ଆକାଶ’ର ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିଛନ୍ତି। ପରୀକ୍ଷା ଦେଇଥିବା ଦୁଇ ହଜାରରୁ ଅଧିକ ପରୀକ୍ଷାର୍ଥୀ ଏଥର ଭଲ ର୍ୟାଙ୍କ ପାଇଛନ୍ତି। ଛାତ୍ର ସମୀର କୁମାର ପାତ୍ର ୬୭୧ ମାର୍କ ରଖି ସର୍ବଭାରତୀୟସ୍ତରରେ ୩୦ତମ ସ୍ଥାନରେ ରହିବା ସହ ଓଡ଼ିଶା ଟପର୍ ହୋଇଛନ୍ତି। ସେହିପରି ଆରୁଷି କୋଲ୍ଲାନା ୫୦ତମ ର୍ୟାଙ୍କ ହାସଲ କରିବା ସହ ଓଡ଼ିଶାର ଛାତ୍ରୀଙ୍କ ମଧ୍ୟରେ ଟପର୍ ହୋଇଛନ୍ତି। ଶ୍ରେଷ୍ଠ ଶହେ ମଧ୍ୟରେ ୩ ଜଣ ରହିଥିବା ବେଳେ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ର୍ୟାଙ୍କ ମଧ୍ୟରେ ରହିଛନ୍ତି।
କୋଚିଂ ସେଣ୍ଟର୍ର ନିର୍ଦେଶକ ଏ ବି ସିଂ କହିଛନ୍ତି ଯେ ଏଠାକାର ଶିକ୍ଷକମାନେ ଦିନରାତି ପରିଶ୍ରମ କରି ଛାତ୍ରଛାତ୍ରୀଙ୍କୁ ପଢ଼ାଇଛନ୍ତି। ଯେଉଁଥିପାଇଁ ଗତବର୍ଷ ସର୍ବଭାରତୀୟସ୍ତରରେ ହଜାର ର୍ୟାଙ୍କ ମଧ୍ୟରେ ୧୧ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏବର୍ଷ ୨୧ ଜଣ ସ୍ଥାନ ପାଇଛନ୍ତି। ଦିନକୁ ଦିନ ନିଟ୍ରେ ପ୍ରଶ୍ନଗୁଡ଼ିକ କଷ୍ଟକର ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ପ୍ରସ୍ତୁତ କରିବାକୁ ପଡ଼ୁଛି। ‘ଆକାଶ’ ସବୁବେଳେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଆସୁଛି। ଦେଶରେ ଓଡ଼ିଆ ପିଲାଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ।
ଟର୍କ୍ କ୍ଲାସେସ୍
‘ନିଟ୍’ରେ ବାଜିମାତ୍ କରିଛନ୍ତି ‘ଟର୍କ୍ କ୍ଲାସେସ୍’ର ଛାତ୍ରଛାତ୍ରୀ। ୫୦ରୁ ଅଧିକ ଛାତ୍ରଛାତ୍ରୀ କୃତିତ୍ୱର ସହ ଭଲ ଶିକ୍ଷାନୁଷ୍ଠାନରେ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତଙ୍କୁ ର୍ୟାଙ୍କ ମିଳିଛି। ଛାତ୍ରୀ ବିଷ୍ଣୁପ୍ରିୟା ଜେନା ୬୧୮ ମାର୍କ ରଖିଥିବା ବେଳେ ଜ୍ୟୋତିପ୍ରକାଶ ରାଉତ ୬୦୩ ନମ୍ବର ରଖି ଭଲ ର୍ୟାଙ୍କ ହାସଲ କରିଛନ୍ତି। ମାତ୍ର ୪ ବର୍ଷର ଏହି ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଶିକ୍ଷାଦାନ ଫଳରେ ଛାତ୍ରଛାତ୍ରୀ ସଫଳତା ହାସଲ କରିଚାଲିଛନ୍ତି। ଫିଜିକ୍ସରେ ସୌମ୍ୟକାନ୍ତ ବେହେରା, କେମେଷ୍ଟ୍ରିରେ କୁମାର ରଞ୍ଜନ, ବଟାନିରେ ତୁଷାରକାନ୍ତ ବେହେରା, ଜୁଲୋଜିରେ ଡ. ସନ୍ତୋଷ ସାହୁଙ୍କ ପାଠପଢ଼ା ଶୈଳୀ ପିଲାଙ୍କୁ ବେଶ୍ ସହାୟକ ହେଉଛି। ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର କରିବା ଦିଗରେ ‘ଟର୍କ କ୍ଲାସେସ୍’ ଅଙ୍ଗୀକାରବଦ୍ଧ ବୋଲି ଏହାର ପ୍ର୍ରତିଷ୍ଠାତା ସୌମ୍ୟକାନ୍ତ ବେହେରା କହିଛନ୍ତି।
ଦିନକ ଆଗରୁ ରେଜଲ୍ଟ
ଜୁନ୍ ୫ରେ ‘ନିଟ୍’ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଆଜି ରେଜଲ୍ଟ ବାହାରିଛି। ପରୀକ୍ଷା ଫଳ ପ୍ରକାଶ ନେଇ ଆଜି ପୂର୍ବାହ୍ନରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଅନିଲ୍ ସ୍ୱରୂପ ଟୁଇଟ୍ କରି ସୂଚନା ଦେଇଥିଲେ। ଅପରାହ୍ଣ ୨ଟାରେ ବାହାରିବ ବୋଲି ସେ କହିଥିବା ବେଳେ ଏହାର ଦେଢ଼ ଘଣ୍ଟା ପୂର୍ବରୁ ସିବିଏସ୍ଇ ପକ୍ଷରୁ ଓ୍ଵବସାଇଟ୍ରେ ରେଜଲ୍ଟ ଛଡ଼ାଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସମୀର
‘ନିଟ୍’ ପରୀକ୍ଷାରେ ଓଡ଼ିଶା ଟପର୍ ହୋଇଥିବା ସମୀର କୁମାର ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ସମୀରଙ୍କ ସମେତ ତାଙ୍କ ପରିବାର ଲୋକ ଏବଂ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ଅବସରେ ମୁଖ୍ୟମନ୍ତ୍ରୀ ସମୀରଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।