ଭୁବନେଶ୍ବର : ରାଜ୍ୟରେ ଥିବା ଏଚ୍ଆଇଭି ସଂକ୍ରମିତ (ପିଏଲଏଚ୍ଆଭି)ଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବା ଲାଗି ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦେଶିକା। ରାଜ୍ୟରେ ପ୍ରାୟ ୨୦ହଜାର ଏଚ୍ଆଇଭି ଆକ୍ରାନ୍ତ ଏଆରଟି କେନ୍ଦ୍ର ସହିତ ଯୋଡ଼ି ହୋଇଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ସେମାନେ କରୋନା ପାଇଁ ଅଧିକ ସମ୍ବେଦନଶୀଳ। ଏହାସହ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ତେଣୁ ଆକ୍ରାନ୍ତ ଓ ସେମାନଙ୍କ ପରିବାର ଓ ସହକର୍ମୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ରୋକିବାକୁ ହେଲେ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବା ଲାଗି ପ୍ରକଳ୍ପ ନିର୍ଦେଶିକା ଡା. ସଂଯୁକ୍ତା ସାହୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ଓସାକ୍ସର ଗଭର୍ଣ୍ଣିଂ ବଡିର ସଦସ୍ୟ ଅମରେନ୍ଦ୍ର ବେହେରା ଏଚ୍ଆଇଭି ସଂକ୍ରମିତଙ୍କୁ ଟିକା ପ୍ରଦାନରେ ଅବହେଳା ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିରେ ସେ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା(ନାକୋ) ପକ୍ଷରୁ ଏଚ୍ଆଇଭି ଆକ୍ରାନ୍ତଙ୍କୁ କୋ-ମର୍ବିଡ ସାର୍ଟିଫିକେଟ୍ ଜରିଆରେ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବା ଲାଗି ସବୁ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିକୁ ଚିଠି ଲେଖିଛନ୍ତି। ମାତ୍ର ଓସାକ୍ସ୍ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ପ୍ରାୟ ୨୦ହଜାର ଏଚ୍ଆଇଭି ଆକ୍ରାନ୍ତ ଏବେ କରୋନା ଭୟବହତାରୁ ମୁକ୍ତ ହୋଇପାରି ନାହାନ୍ତି। ତେଣୁ ୧୮ବର୍ଷରୁ ଅଧିକ ସମସ୍ତ ଏଚ୍ଆଇଭି ସଂକ୍ରମିତଙ୍କୁ ଏଆରଟିସି/ଆଇସିଟିସିରେ ଏଆରଟି ଗ୍ରିନ୍ ବୁକ୍ ଜରିଆରେ କୋ-ମର୍ବିଡ ସାର୍ଟିଫିକେଟ ପ୍ରଦାନ କରାଯାଉ। ଏହାସହ ଏନ୍ଏସିପିରେ କାର୍ଯ୍ୟ କରୁଥିବା ଏନ୍ଜିଓ/ସିବିଓର କର୍ମକର୍ତାମାନଙ୍କୁ ଆଗଧାଡ଼ିର ଯୋଦ୍ଧା ଭାବେ ଘୋଷଣା କରଯାଇ ଟିକା ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।
ରାଜ୍ୟରେ ଏଚ୍ଆଇଭି ଆକ୍ରାନ୍ତଙ୍କୁ ଟିକା ପ୍ରଦାନରେ ଅବହେଳା କରାଯାଉଥିବା ନେଇ ଗତ ୭ତାରିଖରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଏଚ୍ଆଇଭି ଆକ୍ରାନ୍ତଙ୍କ ଟିକା ନେବାରେ ରହିଥିବା ସମସ୍ୟା ଓ ସରକାରୀ ଅବହେଳା ସଂପର୍କରେ ବିସ୍ତୃତ ଭାବେ କୁହାଯାଇଥିଲା। ରିପୋର୍ଟ ପ୍ରକାଶ ପାଇବା ପରେ ଓସାକ୍ସ ତତ୍ପରତା ପ୍ରକାଶ କରିବା ସହିତ ଟିକାକରଣ କରିବା ଲାଗି ଚିଠି ଲେଖା ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/vaccine-adddd.jpg)