ଚିକିତ୍ସା ପାଇଁ ଆସିଥିବା ବୃଦ୍ଧ ରାସ୍ତାରେ ପଡ଼ି ମୃତ

ରୋଗୀଙ୍କୁ ଏତେ ଅବହେଳା!

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପ୍ରତି କର୍ମଚାରୀଙ୍କ ଅବହେଳା ସୀମା ଲଂଘିଛି। ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆସିଥିବା ଜଣେ ବୃଦ୍ଧ ଆଜି ହସ୍ପିଟାଲ କର୍ତୃପକ୍ଷ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ପ୍ରାଣ ହରାଇଛନ୍ତି। କାଜୁଆଲିଟିରୁ ସଂକ୍ରମଣ ଓ୍ଵାର୍ଡକୁ ଯିବା ପାଇଁ ତାଙ୍କୁ ହ୍ଵିଲ୍‌ ଚେୟାର କିମ୍ବା ବ୍ୟାଟେରି ଗାଡ଼ି ମଧ୍ୟ ଦିଆଗଲା ନାହିଁ। ଦେହ ଖରାପ ସତ୍ତ୍ୱେ ଚାଲି ଚାଲି ଯାଉଥିବା ସମୟରେ ରାସ୍ତାରେ ପଡ଼ିଯିବା ଫଳରେ ଆଜି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି।ଗତମାସରେ କାଜୁଆଲିଟିରୁ ସଂକ୍ରମଣ ଓ୍ଵାର୍ଡକୁ ରୋଗୀଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ୨ଟି ବ୍ୟାଟେରି ଗାଡ଼ି ଆଣିଥିଲେ। ସାଂସଦ ଓ ବିଧାୟକଙ୍କ ପାଖରେ ରହି ସମସ୍ତେ ଫଟୋ ଉଠାଇ ବାହାବା ନେଲେ। ମାତ୍ର ରୋଗୀଙ୍କ ପାଇଁ ଆସିଥିବା ଏହି ବ୍ୟାଟେରି ଗାଡ଼ି ରୋଗୀଙ୍କ ସେବାରେ ନ ଲାଗିବାକୁ ନେଇ ଆଜି କ୍ୟାପିଟାଲ ହସ୍ପିଟାଲରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳର ବସନ୍ତ ବିଶ୍ୱାଳ(୭୦) ଆଜି ସକାଳ ପ୍ରାୟ ୧୦ଟା ସମୟରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। କାଜୁଆଲିଟିରେ ତାଙ୍କର ଆଡିମସନ କରାଯିବା ପରେ ସେଠାରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ତାଙ୍କୁ ସଂକ୍ରମଣ ଓ୍ଵାର୍ଡକୁ ପଠାଇ ଦେଇଥିଲେ। ରୋଗୀଙ୍କୁ ଗୋଟିଏ ଓ୍ଵାର୍ଡରୁ ଅନ୍ୟ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯିବା ସମୟରେ ତାଙ୍କ ସହିତ ହସ୍ପିଟାଲ ଆଟେଣ୍ଡାଣ୍ଟ ଯିବାର ନିୟମ ରହିଛି। ଗୁରୁତର ଅବସ୍ଥାରେ ଥାଇ ମଧ୍ୟ ତାଙ୍କୁ କେହି ହ୍ଵିଲ ଚେୟାର କିମ୍ବା ବ୍ୟାଟେରି ଗାଡ଼ିରେ ନ ନେଇ ଏକୁଟିଆ ଯିବାକୁ ଛାଡ଼ି ଦେଇଥଲେ। କାଜୁଆଲିଟିରେ ପ୍ରତ୍ୟେକ ସିଫ୍‌ଟରେ ୩/୪ଜଣ ଆଟେଣ୍ଡାଣ୍ଟ ରହୁଥିଲେ ହେଁ ବସନ୍ତଙ୍କ ସାଙ୍ଗରେ କେହି ଯାଇ ନ ଥିଲେ। ବୃଦ୍ଧ ବସନ୍ତ ଜଣେ ମହିଳାଙ୍କ ସହ ସଂକ୍ରମଣ ଓ୍ଵାର୍ଡକୁ ଚାଲି ଚାଲି ଯାଉଥିବା ସମୟରେ ଶିଶୁ ଓ୍ଵାର୍ଡ ପୂର୍ବରୁ ରାସ୍ତାରେ ପଡ଼ି ଯାଇଥିଲେ। ସେତିକିବେଳେ ସେହି ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କୁ ପୁନର୍ବାର କାଜୁଆଲିଟିକୁ ଆଣିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହସ୍ପିଟାଲରେ ଥିବା କେତେକ ସ୍ୱେଚ୍ଛାସେବୀ ତାଙ୍କ ଘରକୁ ଯୋଗାଯୋଗ କରିଥିଲେ। ତେବେ କାଜୁଆଲିଟିରେ ଥିବା ତାଙ୍କ ମୃତ ଦେହକୁ ନେବାକୁ ପରିବାର ଲୋକଙ୍କୁ ଷ୍ଟ୍ରେଚର ମଧ୍ୟ ଦିଆଗଲା ନାହିଁ। ବାଧ୍ୟ ହୋଇ ତାଙ୍କ ପରିବାର କାନ୍ଧରେ ବୋହି ନେଇଥିଲେ। ଗତ ୨୭ତାରିଖରେ କ୍ୟାପିଟାଲ ହସ୍ପିଟାଲକୁ ରୋଗୀଙ୍କୁ ଖାସ୍‌ ସ୍ଥାନାନ୍ତରିତ କରିବା ପାଇଁ ୨ଟି ବ୍ୟାଟେରି ଗାଡ଼ି ଅଣାଯାଇଥିଲା। ଏହା ପୂର୍ବରୁ ମଧ୍ୟ ଗୋଟିଏ ବ୍ୟାଟେରି ଗାଡ଼ି ହସ୍ପିଟାଲରେ ରହିଛି। ଏହା ସତ୍ତ୍ୱେ ମଧ୍ୟ ଆଜି ବୃଦ୍ଧଙ୍କୁ ଏହି ଗାଡ଼ି ଦିଆଯାଇ ନ ଥିଲା। ବରଂ ୩ଟି ଗାଡ଼ି ଏମ୍‌ସିଏଚ୍‌ ବିଲ୍ଡିଂରେ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା।

ହସ୍ପିଟାଲରେ ସାଇତା ରହିଛି ହ୍ଵିଲ ଚେୟାର ଓ ବ୍ୟାଟେରି ଗାଡ଼ି
ଗୁରୁତର ରୋଗୀଙ୍କୁ ଏକୁଟିଆ ଚାଲି ଚାଲି ଯିବାକୁ ଛାଡ଼ିଦେଲେ
କର୍ତୃପକ୍ଷ କହିଲେ ଦୁଃଖଦ ଘଟଣା

ଏ ନେଇ କ୍ୟାପିଟାଲ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦେଶକ ଡା.ଏମ୍‌ଆର ଦାସ କହିଛନ୍ତି, ଏଭଳି ଘଟଣା ତାଙ୍କ ନଜରକୁ ଆସିଛି। ଏହା ଏକ ଦୁଃଖଦ ଘଟଣା। ରାଜଧାନୀରେ ଏକ କ୍ରୀଡ଼ା ମହୋତ୍ସବ ଚାଲିଥିବାରୁ ସେଠାକୁ ୨ଟି ଆମ୍ବୁଲାନ୍‌ସ ଓ ୩/୪ଜଣ ଆଟେଣ୍ଡାଣ୍ଟଙ୍କୁ ପଠାଇ ଦିଆଯାଇଛି। ଏହା ସତ୍ତ୍ୱେ ମଧ୍ୟ କାଜୁଆଲିଟିରେ ଆଟେଣ୍ଡାଣ୍ଟ ରହୁଛନ୍ତି। ତେବେ କାହିଁକି ସେ ରୋଗୀଙ୍କ ସହ ଗଲେ ନାହିଁ ତାହାର ତଦନ୍ତ କରାଯାଉଛି। ତାଙ୍କ ଡ୍ୟୁଟି ବଦଳାଇ ଦିଆଯିବ। ଏହାସହ ବ୍ୟାଟେରି ଗାଡ଼ି ଚଳାଇବା ପାଇଁ ଡ୍ରାଇଭରଙ୍କ ଅଭାବ ରହିଥିବାରୁ ଗାଡ଼ି ପଡ଼ି ରହିଛି। ଆଜିଠାରୁ ଏସ୍‌ସିଏଚ୍‌ ବିଲ୍ଡିଂରେ କାର୍ଯ୍ୟ କରୁଥିବା ମେ ଆଇ ହେଲ୍‌ପ ୟୁର କର୍ମଚାରୀଙ୍କୁ ଏହି ଗାଡ଼ି ଚଳାଇବାର ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ୩ଟି ନମ୍ବର ମଧ୍ୟ ଦିଆଯାଇଛି। ଆଗାମୀ ଦିନରେ ଏହି ଗାଡ଼ି ନିର୍ମାଣକାରୀ କମ୍ପାନିକୁ ଡକାଯାଇ ଏହି ଗାଡ଼ିରେ ଏକ ଷ୍ଟ୍ରେଚର ସଂଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର