ଜଟଣୀ: ଦିନ ଥିଲା ଜଟଣୀ ସମେତ ଖୋର୍ଦ୍ଧା, ଭୁବନେଶ୍ୱରର ଚାଷୀ ଜଟଣୀ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ରେ ଧାନ, ମୁଗ, ବିରି, କୋଳଥ ସମେତ ପନିପରିବା ସହ ବିଭିନ୍ନ କୃଷିଜାତ ଦ୍ରବ୍ୟ କିଣାବିକା କରୁଥିଲେ। ବିନା ମଧ୍ୟସ୍ଥିରେ ଏଠାରୁ ଗ୍ରାହକଙ୍କୁ କୃଷିଜାତ ଦ୍ରବ୍ୟ ବିକ୍ରି କରାଯାଉଥିଲା। ପ୍ରଥମେ ଭୁବନେଶ୍ୱର ଓ ଖୋର୍ଦ୍ଧା ରାଜସ୍ବ ଉପଖଣ୍ଡକୁ ନେଇ ଜଟଣୀ ଆର୍‌ଏମ୍‌ସି ଗଠନ କରାଯାଇଥିଲା। ଏଥିସହ ଏହା ଅଧୀନରେ କଣାସରେ ସାପ୍ତାହିକ ହାଟ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଭିନ୍ନ ସ୍ଥାନରୁ ବେପାରୀଙ୍କଠାରୁ ଟିକସ ଆଦାୟ ମଧ୍ୟ କରାଯାଉଥିଲା। ପୂର୍ବରୁ ଏଠାରେ ଚାଲୁଥିବା ଗୋରୁହାଟ କାଳକ୍ରମେ ଦୁର୍ବଳ ହୋଇଗଲାଣି। ଏବେ କେବଳ ଧାନକୁ ଛାଡ଼ି ଦେଲେ ସେଭଳି ଆଉ କିଛି ଦ୍ରବ୍ୟ କିଣାବିକା ହେଉନାହିଁ। ଅନ୍ୟପଟେ ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋଇଥିବା ଆର୍‌ଏମ୍‌ସିର ଦୋକାନଗୃହ ନିର୍ମାଣ ଦିନଠୁ ସବୁ ତାଲା ପଡ଼ିରହିଛି। ଆଉ ଏଠାରେ ଆଗଭଳି ଚାଷୀ, ଖାଉଟି, ବ୍ୟବସାୟୀଙ୍କ ଭିଡ଼ ନାହିଁ। ୧୯୫୮ ମସିହାରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ ରାଧାନାଥ ରଥ ଏହି ଆର୍‌ଏମ୍‌ସି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ପରେ ବଜାର ପରିସରରେ ଗୋଦାମଗୃହ ନିର୍ମାଣ କରାଯାଇଥିଲା। ଚାଷୀ ସିଧାସଳଖ କୃଷିଜାତ ଦ୍ରବ୍ୟ ବିକ୍ରି କରି ଦି ପଇସା ଲାଭ ପାଉଥିଲା। କିନ୍ତୁ କିଛି ବର୍ଷ ପରେ ଆର୍‌ଏମ୍‌ସିରେ ଧୀରେ ଧୀରେ କିଣାବିକା କମିଯିବା ସହ ପରିଚାଳନାଗତ ତ୍ରୁଟି ଦେଖାଦେଇଥିଲା। ଫଳରେ ଲୋକଙ୍କ ଭିଡ଼ ଆଉ ଆଗ ଭଳି ଦେଖିବାକୁ ମିଳିନଥିଲା। ଫଳରେ ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ସରକାରୀ ଜାଗାକୁ ଜବରଦଖଲ କରିନେଲେ। 

Advertisment

ଜଟଣୀ ଆର୍‌ଏମ୍‌ସିରେ ମିଳୁନି ବଜାର ସୁବିଧା
କୃଷକ ବିକ୍ରି କରିପାରୁନି କୃଷିଜାତ ଦ୍ରବ୍ୟ

ସେହିପରି ବ୍ୟବସାୟୀଙ୍କ ପାଇଁ ସ୍ଥାୟୀ ଭାବେ ଦୁଇମହଲା ବିଶିଷ୍ଟ କୋଠା ନିର୍ମାଣ କରି ୩୨ଟି ଦୋକାନଗୃହ ତିଆରି କରାଯାଇଥିଲା। ହେଲେ ନିର୍ମାଣ ଦିନଠୁ ତାହା ବନ୍ଦ ହୋଇ ପଡ଼ିଥିବା ବେଳେ ଆବଣ୍ଟନ କରାଯାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ୨୦୨୦ ମସିହାରେ ଆରଏମ୍‌ସି ପରିସରରେ ମାଛ ମାର୍କେଟ୍ ସହ ପରିବା ବଜାର ଖୋଲିଥିଲା। ଏବେ କେବଳ ମାଛ ମାର୍କେଟ୍ ରହିଛି। ସେହିପରି ଆର୍‌ଏମ୍‌ସିର ମୁଖ୍ୟ ଫାଟକ ନଥିବା ବେଳେ ଲୋକମାନେ କାର୍ଯ୍ୟାଳୟ ଖୋଜି ପାଇବା କାଠିକର ପାଠ ହୋଇଯାଇଛି। ଏଥିସହ ଜନସାଧାରଣଙ୍କ ଅବଗତି ପାଇଁ କାର୍ଯ୍ୟାଳୟ ବିଲ୍ଡିଂ ଉପରେ ଏକ ଏଲସିଡି ସ୍କ୍ରିନ୍ ଲଗାଯାଇଥିଲା। ବର୍ଷ ବର୍ଷ ଧରି ତାହା ଖରାପ ହୋଇ ପଡ଼ିଥିଲେ ହେଁ ସଜଡ଼ା ହେଉନାହିଁ। ଫଳରେ ଲୋକମାନେ କୃଷିଜାତ ଦ୍ରବ୍ୟର ନିର୍ଦ୍ଧାରିତ ମୂଲ୍ୟ ଜାଣିପାରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି।  
ସ୍ଥାନୀୟ ବାସିନ୍ଦା ରବୀନ୍ଦ୍ର ବେହେରା କହିଛନ୍ତି, ସରକାରୀ ଅବହେଳା ଓ ଆର୍‌ଏମ୍‌ସି କାର୍ଯ୍ୟାଳୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ମନମାନି ପାଇଁ ଏହା ନିଜର ସତ୍ତା ହରାଇ ଦେଇଛି। ଫଳରେ ଅନେକ ସମୟରେ କୃଷକ ନିଜର କୃଷିଜାତ ଦ୍ରବ୍ୟକୁ କମ୍ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଓ କ୍ଷତି ମଧ୍ୟ ସହୁଛି। ସେହିପରି ଏହି କାର୍ଯ୍ୟାଳୟ ମୁଖ୍ୟ ରାସ୍ତାରୁ ଅନେକ ଦୂରରେ ଥିବାରୁ ଲୋକେ ଅନେକ ସମୟରେ ଏଠାରେ ଆର୍‌ଏମ୍‌ସି ଅଫିସ୍ ଥିବା ଜାଣିପାରୁ ନାହାନ୍ତି। ଏଥିସହ ଧାନ କିଣାବିକାରେ ଘୋଟାଲା ହେଉଛି।