ଭୁବନେଶ୍ୱର: ତାଙ୍କ ମନଖୋଲା ଚୁଲବୁଲି ହସ ଆଜି ବି ମନ କିଣି ନେଇଥିଲା। ରସ୍କେ କମର୍ ଗାଇବା ବେଳେ ତାଙ୍କ ଅଣ୍ଟା ଭଙ୍ଗା ଚାଲି ପ୍ରତିଟି ଶ୍ରୋତାଙ୍କୁ ମତୁଆଲା କରୁଥିଲା। ତୁଝେ ଚାହା ରବ୍ସେ ଭି ଯାଦା.. ଗାଇ ପ୍ରେମରେ ହୃଦୟ ଭାଙ୍ଗିଯାଇଥିବା ଅନୁଭବୀ ପ୍ରେମିକମାନଙ୍କୁ ଇଙ୍ଗିତ କରିବା ବେଳେ ହୋ-ହାଲାରେ ଫାଟି ପଡ଼ିଥିଲା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆ। ଅବସର ଥିଲା ଲାବଣ୍ୟ ଜୁଏଲର ପକ୍ଷରୁ ଆୟୋଜିତ ‘ନେହା କକ୍କର ଲାଇଭ୍ ଇନ୍ କନ୍ସର୍ଟ’। ମୁହଁରେ ମିଠାମିଠା ହସର ଉପହାର ନେଇ ମଞ୍ଚକୁ ଆସିଥିଲେ ନେହା। ହାଲୋ ଭୁବନେଶ୍ୱର କହିବା କ୍ଷଣି ସମସ୍ତ ଶ୍ରୋତା ଆଉ ନିଜ ସିଟ୍ରେ ଥୟ ହୋଇ ବସି ପାରିନଥିଲେ। ଛିଡ଼ା ହୋଇ ନେହାଙ୍କ ପ୍ରତି ଥିବା ଭଲ ପାଇବା ବ୍ୟକ୍ତ କରିଥିଲେ। କିଏ ନିଜ ମୋବାଇଲ୍ରେ ନେହାଙ୍କ ଲାଇଭ୍ ଭିଡିଓ ଫେସ୍ବୁକ୍ରେ ଲାଇଭ୍ କରୁଥିଲା ତ କିଏ ମଞ୍ଚ ଉପରୁ ନେହାଙ୍କ ସହ ନିଜର ସେଲ୍ଫି ନେଇ ନିଜ ସାଙ୍ଗମାନଙ୍କୁ ପଠାଉଥିଲା। ନେହା ଗୀତ ଗାଇବା ବେଳେ ଉତ୍ସାହୀ ଦର୍ଶକଙ୍କୁ ନାଚିିବା ପାଇଁ ମଞ୍ଚ ପାଖକୁ ଡାକିବା କ୍ଷଣି ମଞ୍ଚ ସାମ୍ନାରେ ଯୁବପିଢ଼ିଙ୍କ ଭିଡ଼ ଲାଗିଥିଲା। ନେହା କକ୍କରଙ୍କୁ ଲାଇଭ୍ ଶୁଣିବାର ନିଆରା ଅବକାଶ ସୃଷ୍ଟି ହୋଇଥିବା ବେଳେ ନେହା ତାଙ୍କର ବଛାବଛା ଗୀତ ଗାଇ ଦର୍ଶକଙ୍କର ଖୁବ୍ ମନୋରଂଜନ କରିଥିଲେ। ମଞ୍ଚ ଭିତରକୁ ବିନା ପାସ୍ରେ ପ୍ରବେଶ ଅନୁମତି ନଥିବାରୁ ତାଙ୍କୁ ଶୁଣିବାକୁ ଆସିଥିବା ଉଚ୍ଛସିତ ଦର୍ଶକ ବାହାରେ ଛିଡ଼ା ହୋଇ ତାଙ୍କୁ କେବଳ ଲାଇଭ୍ ଶୁଣି ମଜା ଉଠାଇଥିଲେ।
ମିଲେ ହୋ ତୁମ୍ ହମ୍କୋ.., ମାହି ବେ.., ମୈ ତେରା ବୟଫ୍ରେଣ୍ଡ୍.., ଆଶିକ୍ ବନାୟା ଆପ୍ନେ.., ମହବତ ନଶା ହୈ.., ଛୋଟେଛୋଟେ ପେଗ୍.., ଓ ହମ୍ସଫର୍.., ଲାଲାଲା.., ବଦ୍ରିକି ଦୁଲ୍ହନିୟା.., କାଲା ଚଷ୍ମା.., ତିର୍ ଐସା ଲଗା ଦର୍ଦ ଐସା ଜଗା.., ହର୍ ଘଡ଼ି ହର୍ ଲମ୍ହା..,କୋକାକୋଲା ତୁ... ଭଳି ଗୀତ ଗାଇ ସେ ଦର୍ଶକଙ୍କୁ ବସିବା ଜାଗାରେ ମୁଣ୍ଡ ହାତ ହଲେଇ ନାଚିବାକୁ ବାଧ୍ୟ କରି ଦେଇଥିଲେ। ପ୍ରାରମ୍ଭରେ ଲାବଣ୍ୟ ଜୁଏଲରର ପ୍ରତିଷ୍ଠାତା ସତ୍ୟେନ୍ଦ୍ର ମିଶ୍ର ଏବଂ ଋଷି ଉପସ୍ଥିତ ରହି ବ୍ୟବସାୟିକ ସୂଚନା ଦେଇଥିଲେ। ଏହି ଅବସରରେ ଅଭିନେତ୍ରୀ ଭୂମିକା ଦାସ ମଞ୍ଚରେ ଉପସ୍ଥିତ ରହି ଦର୍ଶକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଲାବଣ୍ୟ ପକ୍ଷରୁ ହୋଇଥିବା କଣ୍ଟେଷ୍ଟ୍ରେ ବିଏଲ୍ ଦଳାଇ (ହ୍ୟୁଣ୍ଡାଇ ଆଇ୧୦), ଏକେ ନାୟକ (ହିରୋ ପାସନ୍ ବାଇକ୍) ଏବଂ ପିକେ ପାତ୍ର (ସ୍କୁଟି ପେପ୍) ପୁରସ୍କାର ଲାଭ କରିଥିଲେ। ଲାବଣ୍ୟରେ କାର୍ଯ୍ୟରତ କର୍ମଚାରୀଙ୍କ ମେଧାବୀ କନ୍ୟା ପ୍ରଯୁକ୍ତାଙ୍କୁ ମଧ୍ୟ ମଂଚରେ ସମ୍ମାନିତ କରାଯାଇଥିଲା।