ମହାପୁରୁଷଙ୍କୁ ସମ୍ମାନ ଏମିତି! ଅଳିଆଗଦାରେ ନେହରୁ ଓ ଜେପି

ପ୍ରତିମୂର୍ତ୍ତି ତଳେ ଡେରା ପକାଇଛନ୍ତି ଯାଯାବର, ସନ୍ଧ୍ୟା ହେଲେ ଜମୁଛି ନିଶାଡ଼ିଙ୍କ ଆଡ଼ା

ଭୁବନେଶ୍ବର : ଦିନେ ସୁନ୍ଦର ପାର୍କ ଭିତରେ ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଶୋଭା ପାଉଥିଲା। ରାଜଧାନୀର ପ୍ରମୁଖ ମୁଖଶାଳା ରେଳଷ୍ଟେସନ୍ ସାମ୍ନା ମାଷ୍ଟରକ୍ୟାଣ୍ଟିନ୍‌ରେ ଦଣ୍ଡାୟମାନ ହୋଇଥିବା ଦୁଇ ପ୍ରତିମୂର୍ତ୍ତି ଓ ସୁନ୍ଦର ପାର୍କ ସେତେବେଳେ ପର୍ଯ୍ୟଟକ ଓ ରାଜଧାନୀବାସୀଙ୍କ ପାଇଁ ଏକ ଭ୍ରମଣର ସ୍ଥାନ ଥିଲା। ସକାଳେ ସଂଜେ ସେଠାରେ ବେଶ୍ ଭିଡ଼ ଜମୁଥିଲା। ମାତ୍ର ପରିତାପର କଥା ଆଜି ଦୁଇ ମହାପୁରୁଷ ଅଳିଆଗଦାରେ ଠିଆ ହୋଇଛନ୍ତି। ଯେଉଁଠି ଦିନେ ଲୋକେ ଘାସ ଗାଲିଚାରେ ବସି ଗୋଲାପ ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ, ଆଜି ସେଠି ପାହାଡ଼ ଭଳି ଗଦା ହୋଇଛି ଅଳିଆ, ଆବର୍ଜନା। ଲୋକେ ଖୋଲାରେ ପରିସ୍ରା କରୁଛନ୍ତି, ପୂରା ପରିତ୍ୟକ୍ତ ଓ ପୁତିଗନ୍ଧମୟ ହୋଇପଡ଼ିଛି ଏହି ସ୍ଥାନ।

ରେଳଷ୍ଟେସନ୍ ସାମ୍ନା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରହିଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଓ ଭାର‌ତରେ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନର ପୁରୋଧା ଲୋକନାୟକ ଜୟପ୍ରକାଶ ନାରାୟଣ(ଜେପି)ଙ୍କ ପ୍ରତିମୂର୍ତ୍ତି। ଛକର ଦୁଇ ପାର୍ଶ୍ବରେ ଥିବା ଏହି ଦୁଇ ପ୍ରତିମୂର୍ତ୍ତି ଏବେ କିନ୍ତୁ ବଡ଼ କଦର୍ଯ୍ୟ ପରିବେଶରେ ଅଲୋଡ଼ା ହୋଇ ଠିଆ ହୋଇଛନ୍ତି। ଯାଯାବର ଶ୍ରେଣୀୟ ଲୋକେ ଜୟପ୍ରକାଶଙ୍କ ପ୍ରତିମୂର୍ତ୍ତି ପାଖରେ ରହୁଛନ୍ତି ଓ ସେଠାରେ ଚୁଲି ଜାଳି ରୋଷେଇ କରୁଛନ୍ତି। ସେମାନେ ଏହି ସ୍ଥାନକୁ ପୂରା ଅପରିଷ୍କାର କରି ରଖିଛନ୍ତି। ସେଇଠି ରହୁଛନ୍ତି, ଖାଉଛନ୍ତି ଓ ସ୍ନାନଶୌଚ ବି କରୁଛନ୍ତି। ଫଳରେ ଜୟପ୍ରକାଶଙ୍କ ପ୍ରତିମୂର୍ତ୍ତି ଚାରିପଟ କୁଢ଼କୁଢ଼ ଅଳିଆ ଆବର୍ଜନାରେ ମଧ୍ୟ ପୋତି ହୋଇଗଲାଣି। ବିଏମ୍‌ସି ସଫେଇ କର୍ମଚାରୀ ଏହି ସ୍ଥାନକୁ ସଫା କରୁନାହାନ୍ତି। ସେହିପରି ଅପର ପାର୍ଶ୍ବରେ ଥିବା ନେହରୁଙ୍କ ପ୍ରତିମୂର୍ତ୍ତିର ଅବସ୍ଥା କଥା କହିଲେ ନ ସରେ। ଏବେ ସେଠାକୁ କେହି ଯିବା ସମ୍ଭବ ନୁହେଁ। ପରିସ୍ରା ଓ ମଳ ଗନ୍ଧରେ ନାକ ଫାଟି ପଡ଼ୁଛି। ଏହି ସ୍ଥାନ ମଧ୍ୟ ସଫେଇ କର୍ମଚାରୀଙ୍କ ନଜରକୁ ଆସୁନାହିଁ। ସବୁଠାରୁ ବଡ଼ ଦୁଃଖର କଥା ଏହି ଯେ ଏବେ ସନ୍ଧ୍ୟା ହେଲେ ଏଠି ଅସାମାଜିକ ଓ ନିଶାଡ଼ିମାନଙ୍କ ଆଡ଼ା ଜମୁଛି। ମହାପୁରୁଷଙ୍କ ମୂର୍ତ୍ତି ତଳେ ଜୁଆ ଆସର ଜମୁଛି। ଏସବୁକୁ ପୁଲିସ ଦେଖୁଥିଲେ ବି ନ ଦେଖିବାର ଅଭିନୟ କରି ଚାଲିଯାଉଛି।

ଭୁବନେଶ୍ବର ରେଲୱେ ଷ୍ଟେସନ ଓ ମାଷ୍ଟର କ୍ୟାଣ୍ଟିନ ବସ୍‌ଷ୍ଟାଣ୍ତ ଦେଇ ରାଜଧାନୀକୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଆସୁଛନ୍ତି। ଭାରତର ଏହି ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ଏଭଳି ଦୁରବସ୍ଥା ଦେଖି ଖୁବ୍‌ ବ୍ୟଥିତ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ଏ ଦିଗକୁ ଦୃଷ୍ଟି ଦେଉନଥିବା ବଡ଼ ଦୁର୍ଭାଗ୍ୟର କଥା ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଏହା ଆଜିର ଯୁବପିଢ଼ିକୁ କି ଶିକ୍ଷା ଦେଉଛି ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ମହାପୁରୁଷଙ୍କ ପ୍ରତି ପ୍ରଶାସନର ଏଭଳି ଚରମ ଅବହେଳା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନେକ ମତ ଦେଉଛନ୍ତି।

ସୂଚନାଯୋଗ୍ୟ ଭୁବନେଶ୍ବର ରେଳଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ମହାତ୍ବାକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହେବା ପରେ ଏହି ପାର୍କଦ୍ବୟକୁ ଭଙ୍ଗା ଯାଇଥିଲା। ପରେ ଏହି ପାର୍କଦ୍ବୟକୁ ଅଧିକ ସୁନ୍ଦର କରିବା ପାଇଁ ଯୋଜନା ଥିଲା। ତେଣୁ ଏହି ଦୁଇ ପ୍ରତିମୂର୍ତ୍ତିକୁ ଟିଣ ଆଜ୍‌ବେଷ୍ଟସ୍‌ରେ ଘେରାଉ କରି ରଖାଯାଇଥିଲା। ବାତ୍ୟା ଫନିରେ ଏହି ସବୁ ଟିଣ ଆଜ୍‌ବେଷ୍ଟସ୍‌ଗୁଡ଼ିକ ଛିନ୍‌ଛତ୍ର ହୋଇ ଯାଇଥିଲା। କିଛି ସେଠାରୁ ଉଡ଼ି ଯାଇଥିଲା। କବାଡ଼ିଆମାନେ ଭଙ୍ଗା ଟିଣଗୁଡ଼ିକକୁ କାଟି ନେଇଗଲେ। ଏହା ପରଠାରୁ ଏହି ସ୍ଥାନଦ୍ବୟ ପୂରା ଅବହେଳିତ ହୋଇପଡ଼ିଛି। ବିଶ୍ବସ୍ତରୀୟ ରେଳ ଷ୍ଟେସନ୍‌ ତା’ ବାଟରେ ଅଧୁରା ରହିଛି ଓ ଆମ ପରମ ପୂଜ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅଳିଆ ଗଦାକୁ ଠେଲି ହୋଇଯାଇଛି।

ଏ ନେଇ ଉଠା ଦୋକାନୀ ସଂଘର ସଭାପତି ସୁର ଜେନାଙ୍କ କହିବା କଥା କୌଣସି କାରଣରୁ ଯଦି ରେଳ ଷ୍ଟେସନର ନବୀକରଣ କାମ ଅଧା ରହିଗଲା, ସେଥିପାଇଁ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଏମିତି ଅବହେଳା କରିବା ଆଦୌ ଉଚିତ ହୋଇନାହିଁ। ଏବେ ପାର୍କ ନ ହେଲା ନାହିଁ, ଅନ୍ତତଃ ପ୍ରତିମୂର୍ତ୍ତିଦ୍ବୟକୁ ଉପଯୁକ୍ତ ସମ୍ମାନ ଦେବାରେ କୌଣସିମତେ ଅବହେଳା ହେବା କଥା ନୁହେଁ। ଯାଯାବରମାନେ ଏଠାରେ ରହି ଅପରିଷ୍କାର କରୁଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ବିଏମ୍‌ସିର କାମ। ଏହା ରାଜ୍ୟର ଭାବମୂର୍ତ୍ତିକୁ ନଷ୍ଟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି ଜଣେ ନିୟମିତ ରେଳଯାତ୍ରୀ ଐଶ୍ବର୍ଯ୍ୟା ମିଶ୍ରଙ୍କ କହିବା କଥା ହେଲା, ରାଜଧାନୀର ମୁଖଶାଳାରେ ଏଭଳି ପୁତିଗନ୍ଧମୟ ପରିବେଶର ବିକଳ ଚିତ୍ର ଓଡ଼ିଶାର ଛବିକୁ ନଷ୍ଟ କରୁଛି। ଭୁବନେଶ୍ବର ଏକ ସ୍ମାର୍ଟ ସିଟି ବୋଲି ମୋଟେ ଭାବି ହେଉନାହିଁ। ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସରକାର ଏମିତି ଆଡ଼ ନଜରରେ ଦେଖିବା ଖୁବ୍‌ ନିନ୍ଦନୀୟ ବୋଲି ସେ କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର