ଭଙ୍ଗା ହେଲା ନେହରୁ ଯୁବ ପ୍ରତିଷ୍ଠାନ

ଭୁବନେଶ୍ବର : ଏଜି ଛକରେ ନିର୍ମାଣ ହେବାକୁ ଥିବା ମ୍ୟୁଜିୟମ୍ ଅଫ୍ ଅର୍ବାନ୍ ହିଷ୍ଟ୍ରି ପାଇଁ ମିଳିତ ଉଚ୍ଛେଦକାରୀ ଟିମ୍ ଆଜି ନେହରୁ ଯୁବ ପ୍ରତିଷ୍ଠାନକୁ ଭାଙ୍ଗିଛି। ଦୀର୍ଘ ବର୍ଷ ହେଲା ସରକାରୀ ଜମିରେ ବେଆଇନ ଭାବେ ନିର୍ମିତ ଏହି ପ୍ରତିଷ୍ଠାନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନେହରୁ ଯୁବ ପ୍ରତିଷ୍ଠାନକୁ ୟୁନିଟ-୬ରେ ଭିଆର୍-୬୩ କ୍ବାର୍ଟର୍ସ ପ୍ରଦାନ କରିଛନ୍ତି।

ଭୁବନେଶ୍ବର କ୍ଲବ ନିକଟରେ ଖାଲି ପଡ଼ିଥିବା ପଡ଼ିଆ ସମେତ ଏଠାରେ ଜବରଦଖଲରେ ଥିବା ସରକାରୀ ଜମିକୁ ଉଚ୍ଛେଦ କରି ଏହି ସ୍ଥାନରେ ମ୍ୟୁଜିୟମ ଅଫ୍ ଅର୍ବାନ୍ ହିଷ୍ଟ୍ରି ନିର୍ମାଣ କରିବାକୁ ଯୋଜନା ହୋଇଛି। ପୂର୍ବରୁ ଏଠାରେ ଥିବା ଇନ୍ଦିରା ଇଂରାଜୀ ମାଧ୍ୟମ ସ୍କୁଲକୁ ଉଚ୍ଛେଦ କରାଯାଇଥିବା ବେଳେ ଆଜି ନେହରୁ ଯୁବ ପ୍ରତିଷ୍ଠାନକୁ ଭଙ୍ଗା ଯାଇଛି। ଆଜିର ଉଚ୍ଛେଦ ପାଇଁ ୩ଟି ଏକ୍ସାଭେଟର୍ ନିୟୋଜିତ ହୋଇଥିଲା। ନେହରୁ ଯୁବ ପ୍ରତିଷ୍ଠାନ ଦଖଲରେ ଥିବା ୫୦ଫୁଟରେ ୩୦ଫୁଟର କୋଠାକୁ ଭଙ୍ଗାଯାଇଛି। ଆଜି ପ୍ରାୟ ୫ ହଜାର ବର୍ଗଫୁଟ ଜମିରୁ ଜବରଦଖଲ ହଟାଯାଇଛି।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବେ ମ୍ୟୁଜିୟମ୍ ଅଫ୍ ଅର୍ବାନ୍ ହିଷ୍ଟ୍ରି ପାଇଁ ଆଉ ଜମିର ସମସ୍ୟା ନାହିଁ। ଯେତିକି ଅଞ୍ଚଳରେ ମ୍ୟୁଜିୟମ୍ ନିର୍ମାଣ ହେବ ସେହି ଜମି ଆମ ଦଖଲକୁ ଆସିଯାଇଛି। ଏବେ ଏହି ମ୍ୟୁଜିୟମ୍ ନେଇ ଡିଜାଇନ୍ ପ୍ରସ୍ତୁତ କରି ଟେଣ୍ଡର କରାଯିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ମ୍ୟୁଜିୟମ ଅଫ୍ ଅର୍ବାନ୍ ହିଷ୍ଟ୍ରି ନିର୍ମାଣ ଶେଷ ହେବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର