ଭାରତ ନିର୍ମାଣରେ ନେହରୁଙ୍କ ଭୂମିକା ଆଲୋଚନାଚକ୍ର

ନେହରୁଙ୍କ ପୁନଃ ଆବିଷ୍କାର ଜରୁରୀ: ଦାଶ ବେନହୁର

ଭୁବନେଶ୍ବର : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଥିଲେ ଆଧୁନିକ ଭାରତର ନିର୍ମାତା। ତାଙ୍କର ତ୍ୟାଗ ଓ ଆଦର୍ଶରେ ଆଜିର ଯୁବସମାଜ ଅନୁପ୍ରେରିତ ହେବା ଆବଶ୍ୟକ। ଆସନ୍ତାକାଲି ପଣ୍ଡିତ ନେହରୁଙ୍କ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଏଆଇସିସି ନିର୍ଦ୍ଦେଶକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ‘ଭାରତ ନିର୍ମାଣରେ ନେହରୁଙ୍କ ଆଦର୍ଶ ଓ ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଏପରି ଆହ୍ବାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସାମ୍ପ୍ରତିକ ପରିସ୍ଥିତିରେ ନେହରୁଙ୍କ ଆଦର୍ଶ ପୁଣି ଥରେ ଆବିଷ୍କାର କରିବା ଜରୁରୀ ବୋଲି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମତ ରଖିଛନ୍ତି।

ଶ୍ରୀ ବେନହୁର କହିଛନ୍ତି, ୧୯୪୭ ମସିହା ପୂର୍ବ ଓ ସ୍ବାଧୀନତା ପରବର୍ତ୍ତୀ ଭାରତ ମଧ୍ୟରେ ନେହରୁ ସୁବର୍ଣ୍ଣ ସେତୁ ପରି ଥିଲେ। ଭାରତରେ କେବଳ ନୁହେଁ, ସେ ଥିଲେ ଜଣେ ବିଶ୍ବବନ୍ଦିତ ନେତା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଭାରତକୁ ସ୍ବାଧୀନତା ମିଳିଥିଲା ସତ, କିନ୍ତୁ ବ୍ରିଟିସ୍‌ ଭାରତ ଛାଡ଼ିବା ବେଳେ ଦେଶର ଆର୍ଥିକ ପରିସ୍ଥିତି ଶୋଚନୀୟ ଥିଲା। ସମ୍ବଳହୀନ ଭାରତବର୍ଷକୁ ବିଶ୍ବରେ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ନେହରୁ ଯେଭଳି ପଦକ୍ଷେପମାନ ଗ୍ରହଣ କରିଥିଲେ, ତା’ର ତୁଳନା କରିହେବ ନାହିଁ। ବିଜ୍ଞାନ, କାରିଗରୀ ଓ ଶିଳ୍ପ ବିକାଶକୁ ପ୍ରାଥମିକତା ଦେଇଥିଲେ। ସେହିଭଳି କୃଷିର ଉନ୍ନତି ପାଇଁ ବହୁମୁଖୀ ନଦୀବନ୍ଧ ଯୋଜନା ତାଙ୍କର ଅନବଦ୍ୟ କୃତୀ। ସ୍ବାଧୀନତା ସଂଗ୍ରାମରେ ଦୀର୍ଘ ବର୍ଷ ଧରି କାରାବରଣ କରିଥିଲେ ବି ସେ କେବେବି ତାଙ୍କ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନଥିଲେ। ଭାରତକୁ ସ୍ବାଧୀନତା ଦେବାରେ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ ହୋଇଥିଲେ ମଧ୍ୟ ନେହରୁ ଥିଲେ ଆଧୁନିକ ଭାରତ ନିର୍ମାଣର ବିନ୍ଧାଣି। ଭାରତ ନିର୍ମାଣରେ ନେହରୁଙ୍କ ତ୍ୟାଗ ଓ ଆଦର୍ଶକୁ ଆଜିର ଯୁବସମାଜ ଲୋକଲୋଚନରେ ପହଞ୍ଚାଇବା ନିତାନ୍ତ ଜରୁରୀ ବୋଲି ଶ୍ରୀ ବେନହୁର କହିଥିଲେ।

ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ଏହି ଆଲୋଚନାଚକ୍ରରେ ଭାଗ ନେଇ କହିଛନ୍ତି, ପଣ୍ଡିତ ନେହରୁଙ୍କ ତ୍ୟାଗ ଓ ଆଦର୍ଶର ମହନୀୟତା ଏତେ ପରିବ୍ୟାପ୍ତ ଯେ ତାଙ୍କ ପାଇଁ କେବଳ ଗୋଟିଏ ଦିନ ଶିଶୁ ଦିବସ ପାଳନ କରିଦେଲେ ଯଥେଷ୍ଟ ହେଉନାହିଁ। ତାଙ୍କ ରଚିତ ଆତ୍ମଜୀବନୀ ଅତି ଉଚ୍ଚକୋଟୀର। ସେ ପ୍ରଧାନମନ୍ତ୍ରୀ ନ ହୋଇଥିଲେ ଆତ୍ମଜୀବନୀ ପାଇଁ ବିଶ୍ବ ବିଖ୍ୟାତ ହୋଇପାରିଥାନ୍ତେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ବିପିନ ଦାଶ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ହଳଧର ସେଠୀ, ସ୍ବାଗତିକା ପଟ୍ଟନାୟକ, ସଂଜୀବ ଗିରିଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର