ଖଣ୍ଡଗିରି: ଅଢ଼େଇ ବର୍ଷ ତଳେ ପଞ୍ଚାୟତରୁ ଆସି ବିଏମ୍‌ସିରେ ମିଶିଲେ। ଭାବିଥିଲେ ସହରାଞ୍ଚଳର ସୁବିଧା ପାଇବେ। ହେଲେ ନା ଏକୂଳର ହେଲେ ନା ସେକୂଳର ହେଲେ। ବରଂ ପଞ୍ଚାୟତରେ ଥିବାବେଳେ ସବୁ ସୁବିଧା ପାଉଥିଲେ। ବିଏମ୍‌ସି ୱାର୍ଡ ଅଧୀନକୁ ଆସିଯିବା ପରେ କଷ୍ଟ ବଢ଼ିଗଲା। ଚକାଚକ୍‌ ରାସ୍ତା, ଚଉଡ଼ା ‌ଡ୍ରେନ୍‌, ଉଜ୍ଜ୍ବଳ ଷ୍ଟ୍ରିଟ୍‌ ଲାଇଟ୍‌, ଶୁଦ୍ଧ ପାନୀୟ ଜଳ, ଘର ପାଖ‌ରେ ଭତ୍ତା ଏ ସବୁ ଏବେବି ସ୍ବପ୍ନ। ବର୍ଷ ବର୍ଷ ଧରି ଏମାନଙ୍କୁ ସୁବିଧା ଯୋଗାଇଦେବାକୁ କାହାରି ଆନ୍ତରିକତା ଥିବା ମନେ ହେଉନାହିଁ। ବିଏମ୍‌ସି କେବଳ ‌ସେବା ଯୋଗାଉଥିବା ହିତାଧିକାରୀଙ୍କ ତାଲିକା ଲମ୍ବା କରିଛି ସିନା ହେଲେ ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ପ୍ରାଶାସନିକ ପ୍ରତାରଣାର ଶିକାର ହୋଇ ଦୋଛକିରେ ଛିଡ଼ା ହୋଇଛନ୍ତି ପାତ୍ରପଡ଼ା ଓ ପାଇକରାପୁର ଗ୍ରାମବାସୀ।

Advertisment

ବିଏମ୍‌ସିରେ ମିଶିବା ପରେ ସବୁଠାରୁ କଷ୍ଟରେ ଥିବା ଅଭିଯୋଗ କରିଛନ୍ତି ଏହି ଦୁଇ ଗ୍ରାମବାସୀ। ପାଇକରାପୁର ଗ୍ରାମରେ ଲୋକେ ପଞ୍ଚାୟତରୁ କଟିଗଲେ ବୋଲି ମୁଣ୍ଡ ପିଟୁଛନ୍ତି। ଗାଁଠାରୁ ମୁଖ୍ୟ ଛକର ଦୂରତା ୬ କିଲୋମିଟର। ଗାଁର ସବୁ ‌ଛୋଟ ବଡ଼ ଆବଶ୍ୟକତା ପୂରଣ କରିବା ପାଇଁ ଏହି ଗୁଡ଼ିଆପୋଖରୀ ଛକକୁ ଯିବାକୁ ‌ହୁଏ। ଏଠାକୁ ଆସୁଥିବା ଏକମାତ୍ର ବସ୍‌ ଧରିବାକୁ ହେଲେ ୬ କିମି ଆସିବାକୁ ହୁଏ। ଗାଁ ପାଖକୁ ବସ୍‌ ଆସେନାହିଁ। ମୋ’ ବସ୍ ଗାଁ ମାଟି ମାଡ଼ିନି। ମୁହଁ ଅନ୍ଧାର ହେଲେ ଚୋରି, ଛିନ୍‌ତାଇ ବଢ଼ୁଥିବାରୁ କେହି ଘରୁ ବାହାରୁନାହାନ୍ତି। ପୂର୍ବରୁ ପଞ୍ଚାୟତ ଟଙ୍କାରେ କିଛି ବିଦ୍ୟୁତ୍‌ ଖୁଣ୍ଟି ଲାଗି ଆଲୋକୀକରଣ ହୋଇଥିଲା। ହେଲେ ୱାର୍ଡରେ ମିଶିବା ପରେ ଗାଁରେ ନା ପଞ୍ଚାୟତ କଲା ନା ବିଏମ୍‌ସି ନୂଆ ଲଗାଇଲା। ପୂର୍ବରୁ ସମସ୍ୟା ହେଲେ ମଝିରେ ମଝିରେ ସରପଞ୍ଚ ଓ ୱାର୍ଡ ‌ମେମ୍ବର ଏକାଠି ହୋଇ ସମାଧାନ କରୁଥିଲେ। ହେଲେ ଏବେ କର୍ପୋରେଟର୍‌ ଦିନେ ହେଲେ ଏଠାକୁ ଆସିନାହାନ୍ତି। ୧୦ ବର୍ଷ ତଳେ ପଞ୍ଚାୟତ ଟଙ୍କାରେ ଯେତିକି ପିଚୁ ପଡ଼ି ଗ‌ାଁ ରାସ୍ତା ତିଆରି ହୋଇଥିଲା ସେତିକି। ଅଢ଼େଇ ବର୍ଷରେ କେଉଁଠି ଇଞ୍ଚେ କାମ ହୋଇନାହିଁ। 

ଅଢ଼େଇବର୍ଷ ତଳେ ବିଏମ୍‌ସିରେ ମିଶିଥିଲେ
ଏଯାଏ ମିଳୁନି ସହରୀ ସୁବିଧା

ଗାଁ ଠାରୁ ୮ କିଲୋମିଟର ଦୂରରେ ସରକାରୀ ଡାକ୍ତରଖାନା। ସାଧାରଣ ଥଣ୍ଡା, ଜ୍ବର, କାଶ କି ଝାଡ଼ା ପାଖରେ ଥିବା ଘରୋଇ ଡାକ୍ତରଖାନା ଛଡ଼ା ସରକାରୀ ସୁବିଧା ନାହିଁ। କେବଳ ଏତିକି ନୁହେଁ, ମଶାଣି ପୁନରୁଦ୍ଧାର କରି ବିଏମ୍‌ସି ପୁଳା ପୁଳା ଟଙ୍କା ଖର୍ଚ୍ଚ କରୁଛି। ହେଲେ ଏ ଗାଁରେ ମଶାଣି ନାହିଁ। ଯାହାକୁ ମଶାଣି ଭାବରେ ବ୍ୟବହାର କରାଯାଉଛି ସେଠାରେ ଟଙ୍କାଟିଏ ଖର୍ଚ୍ଚ ହେଉନି। ଗାଁ ପୋଖରୀ ଉନ୍ନତୀକରଣ ପାଇଁ ଟଙ୍କା ଆସିଥିଲା। ହେଲେ କେବଳ ବୋର୍ଡ ମାରି ଟଙ୍କା ହଡପ ଅଭିଯୋଗ ହେଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ଗାଁରେ ଗ୍ରାମ ପଞ୍ଚାୟତ ପକ୍ଷରୁ ପାଣି ମିଳୁଥିଲା। ଏବେ ପଞ୍ଚାୟତ ପାଇପ୍‌ ଖରାପ କହି ପାଣି ପାଇପ୍‌ କାମ ଚାଲିଛି। ଏବେ ପୁରା ଗାଁ ରାସ୍ତ‌ା ଖୋଳି ଦେଇଥିବାରୁ ଘରୁ ବା‌ହାରି ‌‌‌ହେଉନି। ଗାଁରେ ଡ୍ରେନ୍‌ କାମ ଆରମ୍ଭ ହେଇନି। ରାସ୍ତା ସାରା ନଳାପାଣି ଭାସୁଛି। 
ପାତ୍ରପଡ଼ାରେ ମଧ୍ୟ ସ୍ଥିତି ସମାନ। ବିଏମ୍‌ସିରେ ମିଶିଥିଲେ ମଧ୍ୟ ଗାଁରେ ଥିବା ପ୍ରାୟ ୭ଟି ଅଙ୍ଗନବାଡ଼ି ଏବେ ବି ପଞ୍ଚା‌ୟତରେ। ରଣସିଂହପୁର ପଞ୍ଚାୟତକୁ ଅଙ୍ଗନବାଡ଼ି ଖାଦ୍ୟଠାରୁ ସମସ୍ତ ଆବଶ୍ୟକୟ କାଗଜ ପତ୍ରପାଇଁ ଦୌଡ଼ିବାକୁ ହେଉଛି। ଅଙ୍ଗନବାଡ଼ି କର୍ମୀ ପଞ୍ଚା‌ୟତ‌‌ରେ କାମ କରୁଛନ୍ତି। ସେହିପରି କିଛି ଲୋକଙ୍କର ଭତ୍ତା ବିଏମ୍‌ସିରୁ ମିଳୁଥିବା ବେଳେ ବିଭିନ୍ନ କାରଣ ପ‌ାଇଁ ଗ୍ରାମର‌ ୩୦ ଲୋକ ଏବେବି ଭତ୍ତା ପାଇଁ ୩ କିମି ଦୂର ରଣସିଂହପୁର ପଞ୍ଚା‌ୟତ ଉପ‌ରେ ନିର୍ଭର କରୁଛନ୍ତି। ବରିଷ୍ଠ ନାଗରିକମାନେ ଏଥିପାଇଁ କଷ୍ଟ ଭୋଗୁଥିବା କହିଛନ୍ତି।  ଗ୍ରାମର ଭିନ୍ନକ୍ଷମ, ବିଧବା ଓ ବୃଦ୍ଧ ଲୋକ ସିଜୁଆ ଡେଇଁ ଅନ୍ୟ ଗାଁକୁ ଯାଉଛନ୍ତି। ଯାହାଫଳରେ ଲୋକେ ବିଏମ୍‌ସିରେ ମିଶି ମଧ୍ୟ ପୂର୍ବରୁ ଗାଁରେ ମିଳୁଥିବା ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଗାଁ ଲୋକେ ପା‌ଣି ପାଇବାରୁ ଏବେ ଯାଏଁ ୱାଟ୍‌କୋ ଉପରେ ନିର୍ଭର କରୁଛନ୍ତି। ଧିରେ ଧିରେ କୂଅ ବୋରୱେଲର ପାଣି ନଷ୍ଟ ହେବାକୁ ଯାଉଥିବା ବେଳେ ପାଣି ନ ଆସିବା ଲୋକଙ୍କୁ ଅସୁବିଧାରେ ପକାଉଛି। ୬୫ ନମ୍ବର ୱାର୍ଡ କର୍ପୋରେଟର ରଶ୍ମୀରଞ୍ଜନ ପାଟ୍ଟଶାଣୀଙ୍କ କହିବା କଥା, ଅଙ୍ଗନାବାଡ଼ିକୁ ସହରାଞ୍ଚଳରେ ମିଶାଇବା ଏବଂ ଲୋକଙ୍କର ଭତ୍ତା ଓ ମଧୁ ବାବୁ ପେନ୍‌ସନ ବିଏମ୍‌ସିକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି। ହେଲେ ଏଯାଏଁ ସମସ୍ୟାର ସମାଧାନ ହୋଇ ପାରିନାହିଁ।