ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ନେପାଳ ରାଜା

ପୁରୁଣା ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ନେପାଳର ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହାଦେବ ଆଜି ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ। ଦିନ ୧୧ଟାରୁ ୧୧ଟା ୪୦ମିନିଟ୍‌ ପର୍ଯ୍ୟନ୍ତ ମନ୍ଦିରରେ ରହିବା ଭିତରେ ସେ ମନ୍ଦିର ବେଢ଼ା ବୁଲି ମହାପ୍ରଭୁଙ୍କୁ ଆଡ଼କାଠରୁ ଦର୍ଶନ କରିଥିଲେ।

ମନ୍ଦିରରେ ପ୍ରବେଶ ପରେ ରାଜା ଜ୍ଞାନେନ୍ଦ୍ରଙ୍କୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ମନ୍ଦିରକୁ ପାଛୋଟି ନେଇଥିଲେ। ସେ ମନ୍ଦିରରେ ପ୍ରଥମେ ସିଦ୍ଧି ବିନାୟକଙ୍କୁ ଦର୍ଶନ କରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ। ନେପାଳ ରାଜାଙ୍କ ସେବାୟତ ତ୍ରିଲୋଚନ ପୂଜାପଣ୍ଡା ତାଙ୍କୁ ମନ୍ଦିରର ବେଢ଼ା ବୁଲାଇଥିଲେ। ସେ ଗର୍ଭ ଗୃହରେ ପ୍ରବେଶ ବେଳେ ସେଠାରେ ସୂର୍ଯ୍ୟ ପୂଜା ଶେଷ ହୋଇ ସକାଳ ଧୂପ ଚାଲିଥିଲା। ସେବାୟତମାନେ ମହା ମୃତ୍ୟୁଞ୍ଜୟ, ଶିବ ପଞ୍ଚାକ୍ଷରୀ ଆଦି ମନ୍ତ୍ର ଉଚ୍ଚାରଣ କରିଥିଲେ। ଏହା ପରେ ସେ ମା’ ପାର୍ବତୀଙ୍କୁ ଦର୍ଶନ କରି ମା’ ଭୁବନେଶ୍ୱରୀ, ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ବୃଷଭଙ୍କୁ ପ୍ରଣାମ କରି ବିଦାୟ ନେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଏପ୍ରିଲ ୨୦ ତାରିଖରେ ନେପାଳର ରାଷ୍ଟ୍ରପତି ମଧ୍ୟ ଓଡ଼ିଶା ଆସିଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସିଥିଲେ। ସେଦିନ ମନ୍ଦିରରେ ସାଢ଼େ ୩ଟାରେ ସାହାଣ ମେଲା ଦର୍ଶନ ବନ୍ଦ ହେବାର ଥିବା ବେଳେ ରାଷ୍ଟ୍ରପତି ଆସୁଥିବାରୁ ସନ୍ଧ୍ୟା ୬ଟା ୫୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଚାଲିଥିଲା। ଅର୍ଥାତ ୩ଘଣ୍ଟା ବିଳମ୍ବରେ ସାହାଣମେଲା ଦର୍ଶନ ବନ୍ଦ ହୋଇଥିଲା। ତେବେ ଆଜି ପୂଜା ଆରମ୍ଭ ହୋଇ ନୀତି ଚାଲୁଥିବାରୁ ନରେଶ ଆଡ଼କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଥିଲେ।

ମନ୍ଦିର ଟ୍ରଷ୍ଟ ବୋର୍ଡ ଅବଧି ୩ମାସ ବଢ଼ିଲା

ପୁରୁଣା ଭୁବନେଶ୍ୱର : ଆଗକୁ ମହାଶିରାତ୍ରୀ ଓ ପରେ ରୁକୁଣା ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ବୋର୍ଡର ଅବଧିକୁ ୩ ମାସ ବୃଦ୍ଧି କରାଯାଇଛି। ଏନେଇ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପ୍ରଶାସନକୁ ଚିଠି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମହାଶିବରାତ୍ରୀ ପୂର୍ବରୁ ଦୁଇ ପ୍ରମୁଖ ନିଯୋଗ ପ୍ରତିନିଧି ଟ୍ରଷ୍ଟ ବୋର୍ଡ ବୈଠକ କିମ୍ବା ସମନ୍ଵୟ ବୈଠକରେ ଯୋଗ ଦେଇନଥିଲେ। ସେପଟେ ଟ୍ରଷ୍ଟ ବୋର୍ଡର ଅବଧି ସରି ଯାଉଥିବାରୁ ପ୍ରଶାସନ ଚିନ୍ତାରେ ପଡ଼ିଥିଲା। ଏନେଇ ଟ୍ରଷ୍ଟ ବୋର୍ଡର ଅବଧି ୩ମାସ ବୃଦ୍ଧି କରିବାକୁ ମନ୍ଦିର ପ୍ରଶାସନ ଦେବୋତ୍ତର ବିଭାଗକୁ ଅନୁରୋଧ କରିଥିଲା। ଆଜି ଦେବୋତ୍ତର ବିଭାଗ ଅନୁମତି ପ୍ରଦାନ କରିଛି। ଆଗକୁ ମହାଶିବରାତ୍ରୀ ଓ ରୁକୁଣା ରଥ ଯାତ୍ରା ପଡ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ସମୟ ବୃଦ୍ଧି କରାଯାଇଛି। ଅନ୍ୟପଟେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପୂର୍ବପରି ଟ୍ରଷ୍ଟ ବୋର୍ଡ ବୈଠକରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି ।

ରଙ୍ଗକାମ ଶେଷ ପର୍ଯ୍ୟାୟରେ

ମହାଶିବରାତ୍ରୀ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରରେ ରଙ୍ଗ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ଦିରର ସିଂହଦ୍ଵାର ଗୁମୁଟ ଉପର, ଚାହାଣି ମଣ୍ଡପ, ଉତ୍ତର ଦ୍ଵାର, ବେହେରଣ ମଣ୍ଡପ, ଦକ୍ଷିଣ ଦ୍ଵାର, ଶାଖା କାର୍ଯ୍ୟାଳୟ ଓ ମନ୍ଦିର ଚାରିପଟେ ଥିବା ୯ଟି ସିଂହ ମୂର୍ତ୍ତିିକୁ ରଙ୍ଗ କାମ ଚାଲିଛି। ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର