ରାଜଧାନୀରେ ନେପାଳ ମୈତ୍ରୀ ଯାତ୍ରୀଙ୍କୁ ସମ୍ବର୍ଧନା

ଭୁବନେଶ୍ବର : ସ୍ବାମୀ ଦିବ୍ୟାନନ୍ଦ ଗିରିଙ୍କ ତତ୍ତ୍ବାବଧାନରେ ଆସନ୍ତା ୭ ଓ ୮ ତାରିଖରେ ପୁରୀର ପଣ୍ଡିତମାନଙ୍କ ଦ୍ବାରା କାଠମାଣ୍ଡୁସ୍ଥିତ ପଶୁପତିନାଥ ମନ୍ଦିର ପରିସରରେ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଆଜି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରୁ ନେପାଳର ରାଜଗୁରୁ ସରୋଜ ବାସ୍ତୋଲା ଉତ୍କଳ ନେପାଳ ମୈତ୍ରୀ ଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି। ଏହି ଯାତ୍ରା ରାଜଧାନୀରେ ପହଞ୍ଚିବା ପରେ ଜୟଦେବ ଭବନ ସମ୍ମୁଖରେ ବହୁ ବିଶିଷ୍ଟ ବ୍ୟକ୍ତି ଉତ୍କଳ ନେପାଳ ଯାତ୍ରୀଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଧନା ଜଣାଇଥିଲେ।

ଆଜି ସକାଳେ ୪୦ଜଣ ବିଶିଷ୍ଟ ଭକ୍ତଙ୍କୁ ନେଇ ନେପାଳ ମୈତ୍ରୀ ଯାତ୍ରା ଆରମ୍ଭ ହୋଇଛି। ବସ୍‌ରେ ଯାତ୍ରା କରୁଥିବା ସେବାୟତ, ସାଧୁସନ୍ଥମାନେ ଟାଟ‌‌ା ନଗର ଓ ପାଟନା ଦେଇ କାଠମାଣ୍ଡୁରେ ୬ ତାରିଖ ଦିନ ପହଞ୍ଚିବେ। ସେଠାରୁ ପୋଖରା ଯାଇ ୧୧ ତାରିଖ ଦିନ ଫେରି ଆସିବେ। ପ୍ରତିଷ୍ଠା ଉତ୍ସବରେ ଶ୍ରୀମନ୍ଦିରର ଛତିଶା ନିଯୋଗର ସଭାପତି ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଓ ବହୁ ବିଶିଷ୍ଟ ପୂଜକ ସେଠାରେ ଯୋଗ ଦେବେ।

ଆଜିର ଉଦ୍‌ଘାଟନୀ ଉତ୍ସବରେ ନେପାଳ ରାଜଗୁରୁ ଶ୍ରୀ ବାସ୍ତୋଲା ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଚତୁର୍ଦ୍ଧା ମୂର୍ତିଙ୍କ ପ୍ରତିଷ୍ଠା ନେପାଳ ଓ ଓଡ଼ିଶାର ସଂପର୍କକୁ ଦୃଢ଼ କରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ବାନ, ଭୁବନେଶ୍ବର ଏମ୍‌ସର ପୂର୍ବତନ ନିର୍ଦେଶକ ଡା. ଅଶୋକ ମହାପାତ୍ର, କୁନା ନନ୍ଦା, ରାଜକିଶୋର ଦାସ, ଏସ୍‌.ଏସ୍‌ ପଣ୍ଡା, ଜୟପ୍ରକାଶ ମିଶ୍ର, ପୁରୀ ମୁକ୍ତିମଣ୍ଡପର ବିଚିତ୍ରାନନ୍ଦ ମିଶ୍ର, ସିଦ୍ଧେଶ୍ବର ମହାପାତ୍ର, ଜଗନ୍ନାଥ ମନ୍ଦିର ପୁରୋଧା ମହନ୍ତ ବଳରାମ ଦାସ‌ ଗୋସ୍ବାମୀ, ଗଙ୍ଗାମାତା ମଠ ପୁରୀ ପଣ୍ଡିତ ସୁଧାକର ମିଶ୍ର ଓ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର୍‌ର ସଭାପତି ପରେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର