ଏମ୍‌ସରେ ଖୋଲିଲା ନେଫ୍ରୋଲୋଜି ସେବା : ୬ ମାସ ମଧ୍ୟରେ ଡାଏଲିସିସ୍‌

ଖଣ୍ଡଗିରି : ବହୁ ପ୍ରତୀକ୍ଷା ପରେ ଭୁବନେଶ୍ୱର ଏମ୍‌ସରେ ନେଫ୍ରୋଲୋଜି ବିଭାଗ ଖୋଲିଛି। ତେଣୁ କେବଳ ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ସର୍ଜରି ବିଭାଗକୁ ବାଦ୍‌ ଦେଲେ ଭୁବନେଶ୍ୱର ଏମ୍‌ସରେ ସମୁଦାୟ ୪୧ଟି ବିଭାଗ କାର୍ଯ୍ୟକ୍ଷମ ହେଲା। ଏବେ ସପ୍ତାହକୁ ସୋମବାର, ବୁଧବାର ଓ ଶୁକ୍ରବାର ଏମିତି ୩ ଦିନ ନେଫ୍ରୋଲୋଜି ବିଭାଗ ଓପିଡି ସେବା ଉପଲବ୍ଧ ହେବ। ଓପିଡି ସହିତ ହସ୍ପିଟାଲରେ ନିହାତି ଚିକିତ୍ସା ଦରକାର କରୁଥିବା ରୋଗୀଙ୍କ ପାଇଁ ଶଯ୍ୟା ମଧ୍ୟ ପ୍ରସ୍ତୁତ ହୋଇଛି। କିନ୍ତୁ ଡାଏଲିସିସ୍‌ ସେବା ଏବେ ଉପଲବ୍‌ଧ ହେବ ନାହିଁ। ଆଗାମୀ ୬ ମାସ ମଧ୍ୟରେ ଏହି ସେବା ଆରମ୍ଭ ହେବ ବୋଲି ସମସ୍ତ ପ୍ରସ୍ତୁତି ସରିଥିବା ଏମ୍‌ସ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ବିଭାଗୀୟ ସମସ୍ତ ପଦକ୍ଷେପ ସତ୍ୱେ ପ୍ରଫେସର ଓ ସହକାରୀ ପ୍ରଫେସର ନ ମିଳିବାରୁ ଏଠାରେ ନେଫ୍ରୋଲୋଜି ବିଭାଗ ଖୋଲିନଥିଲା। ପୂର୍ବରୁ ଦୁଇ ଥର ପ୍ରଫେସର ଓ ସହକାରୀ ପ୍ରଫେସର ମନୋନୟନ ସତ୍ତ୍ୱେ ସେମାନେ କାର୍ଯ୍ୟରେ ଯୋଗ ନ ଦେବାରୁ ଏହି ବିଭାଗ କାର୍ଯ୍ୟକାରୀ ହୋଇପାରିନଥିଲା। କିନ୍ତୁ ଏବେ ଏହି ବିଭାଗ ପାଇଁ ଆବଶ୍ୟକ ପଦବି ପୂରଣ ହୋଇଛି। ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାତ୍ମାବାନେ ଏହି ବିଭାଗର ଓପିଡିକୁ ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ଏକ ଓ୍ଵାର୍ଡ ମଧ୍ୟ ବ୍ୟବସ୍ଥା କରାଯାଇଛି। କିଡ୍‌ନି ସଂକ୍ରାନ୍ତୀୟ ରୋଗ ଚିକିତ୍ସା ପାଇଁ ଏଣିକି ରୋଗୀମାନଙ୍କ ପାଇଁ ଏମ୍‌ସ ପକ୍ଷରୁ ସେବା ଉପଲବ୍ଧ ହେବ। ତେବେ ଡାଏଲିସିସ୍‌ ବ୍ୟବସ୍ଥା ପାଇଁ ଆଉ କିଛିଦିନ ସମୟ ଲାଗିବ ବୋଲି ନିର୍ଦେଶିକା ସୂଚନା ଦେଇଛନ୍ତି। ଆଗାମୀ ୬ ମାସ ମଧ୍ୟରେ ଡାଏଲିସିସ୍‌ ବ୍ୟବସ୍ଥା ହୋଇଯିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଏମ୍‌ସରେ ନେଫ୍ରୋଲୋଜି ଓ ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ସର୍ଜରି ବିଭାଗ ପାଇଁ ଏକ ପ୍ରକାର ଅଧୁରା ରହିଥିଲା। ଏବେ ନେଫ୍ରୋଲୋଜି ବିଭାଗ ଖୋଲିବା ପରେ କେବଳ ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ସର୍ଜରି ବିଭାଗ ବାକି ରହିଛି। ଏହି ବିଭାଗ ଖୋଲିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ନିର୍ଦେଶିକା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର