ନେତାଜୀ ସୁଭାଷ ବୋଷ, ବୀର ସୁରେନ୍ଦ୍ର ସାଏ ଓ ବିପ୍ଳବୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ସଂଗ୍ରାମୀଙ୍କ ସଂପର୍କରେ ଯୁବପିଢ଼ି ଅନୁଶୀଳନ କରନ୍ତୁ

ଭୁବନେଶ୍ୱ,: ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ ଓ ବିପ୍ଳବୀ ଚକରା ବିଷୋୟୀ ନିଜ ନିଜର ସ୍ୱକୀୟ ବିପ୍ଳବୀ ଚିନ୍ତାଧାରାରେ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ନେଇ ଯେପରି ଭାବେ ଦେଶ ଓ ଜାତିର ଟେକ ରଖି ଯାଇଛନ୍ତି, ତାହା ଓଡ଼ିଶା ତଥା ଜାତୀୟ ଇତିହାସ ପାଇଁ ସର୍ବଦା ଗର୍ବ ଓ ଗୌରବ ଆଣିଦେଇଛି। ସେମାନଙ୍କ ସମ୍ପର୍କରେ ଯୁବପିଢ଼ି ଅଧିକରୁ ଅଧିକ ଜାଣିବା ଓ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି ମଞ୍ଚାସୀନ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଆଜି ସଂଧ୍ୟାରେ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ମାଟିର ଏହି ୩ ସୁଯୋଗ୍ୟ ସନ୍ତାନଙ୍କର ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗ ଦେଇ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି।

ଉଭୟ ମଞ୍ଚ ଓ ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଲେ, ଓଡ଼ିଶାର ଏହି ୩ ମହାନ୍ ସଂଗ୍ରାମୀ ସ୍ୱାଧୀନତା ସଂଗ୍ରାମରେ ଯେଉଁ ଅତୁଳନୀୟ ଅବଦାନ ରଖି ଯାଇଛନ୍ତି, ତାହା ଭାରତର ଇତିହାସକୁ ଋଦ୍ଧିମନ୍ତ କରୁଛି। ଆଜିର ପିଢି ଓ ପରପିଢି ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ଆଦର୍ଶ ସଂପର୍କରେ ଅଧିକରୁ ଅଧିକ ଜାଣିବାର ଆବଶ୍ୟକତା ରହିଛି ବୋଲି ଡ. ସାହୁ କହିଥିଲେ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ ଓ ଚକରା ବିଷୋୟୀଙ୍କର ଦେଶ ପାଇଁ ସଂଗ୍ରାମ ଓ ବିପ୍ଳବର କାହାଣୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ତ୍ୟାଗ ଓ ଆଦର୍ଶର କାହାଣୀ, ଅସୀମ ଧୈର୍ଯ୍ୟ ଓ ସାହସର ପ୍ରତୀକ ବୀର ସୁରେନ୍ଦ୍ର ସାଏଙ୍କର କୌଶଳପୂର୍ଣ୍ଣ ରଣନୀତି, ତତ୍କାଳୀନ ଘୁମୁସର ଅଂଚଳର ମହାନ୍ ବିପ୍ଳବୀ ଗରିଲା ଯୁଦ୍ଧ ବିଦ୍ୟାରେ ନିପୁଣ ଥିବା ଚକରା ବିଷୋୟୀ ଓ ଦୋରା ବିଷୋୟୀଙ୍କର ସ୍ୱାଧୀନତା ଆନ୍ଦୋଳନରେ ଅବଦାନ ଅବିସ୍ମରଣୀୟ ହୋଇରହିଛି ବୋଲି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଶିକ୍ଷାବିତ୍ ତଥା ସ୍ତମ୍ଭକାର ଅଭିରାମ ବିଶ୍ୱାଳ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରିଭ୍ୟୁ ତଥା ଉତ୍କଳ ପ୍ରସଙ୍ଗର ସଂପାଦକ ଲେନିନ୍ ମହାନ୍ତି ଯୋଗ ଦେଇଥିଲେ।

ପ୍ରାରମ୍ଭରେ ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଏହି ବରପୁତ୍ରମାନଙ୍କର ସାହସ, ସଂଗ୍ରାମ ଓ ଜାତିପ୍ରେମର ସଂପର୍କରେ ଆଲୋକପାତ କରିଥିଲେ। ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଜି ପୂର୍ବାହ୍ନ ୮ଟାରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ବିଭାଗୀୟ ପଦାଧିକାରୀ ଓ ଅତିଥିମାନେ ଯୋଗ ଦେଇ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଭିଏସ୍‌ଏସ୍ ନଗରଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର