ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ: ଭାସ୍କର୍ଯ୍ୟକଳାରେ ନେତାଜୀଙ୍କ ବୀରତ୍ବ

ଭୁବନେଶ୍ବର : ଭାରତ ସ୍ଵାଧୀନତା ସଂଗ୍ରାମର ବୀର ଜନନାୟକ, ମହାନ୍‌ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କଟକସ୍ଥିତ ନେତାଜୀ ସଂଗ୍ରହାଳୟରେ ଏକ ଭାସ୍କର୍ଯ୍ୟକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏଥିରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଭାଗର ସଚିବ ମଧୁସୂଦନ ପାଢ଼ୀ, ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ ଦାସ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିସନର୍‌ ଅନନ୍ୟା ଦାସ, ବରିଷ୍ଠ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।

ଓଡ଼ିଶା ଲଲିତ କଳା ଏକାଡେମି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ନେତାଜୀ ଜନ୍ମସ୍ଥାନ ଟ୍ରଷ୍ଟ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀ ପାଇଁ ୧୫ଜଣ ମୃଣ୍ମୟ ଶିଳ୍ପୀଙ୍କୁ ନେଇ ଗତ ୨୦ତାରିଖରୁ ଭାସ୍କର୍ଯ୍ୟ ଶିବିର ଆରମ୍ଭ ହୋଇଥିଲା। ଏଥିରେ ଶିଳ୍ପୀମାନେ ଏହି ମୃଣ୍ମୟ ଭାସ୍କର୍ଯ୍ୟଗୁଡ଼ିକୁ ଗଢ଼ିଥିଲେ।

ଅଭିମନ୍ୟୁ ବେହେରାଙ୍କ ଗାନ୍ଧୀଜୀଙ୍କ ସହ ନେତାଜୀଙ୍କ ବିଚାରବିମର୍ଶ, ଅଜୟ କୁମାର ବେହେରାଙ୍କ ନେତାଜୀ ଭାରତରୁ ପାଇଥିବା ଚିଠିକୁ ଗଭୀର ଅଧ୍ୟୟନ, ଲକ୍ଷ୍ମୀଧର ମୁଦୁଲିଙ୍କ ବିଦେଶ ମାଟିରେ ନେତାଜୀଙ୍କ ପଦାର୍ପଣ ଓ ସ୍ବାଧୀନତା ସମ୍ପର୍କରେ ଆଲୋଚନା, ଦେବେନ୍ଦ୍ର ମୁଦୁଲି ଓ କୈଳାସ ଚନ୍ଦ୍ର ରଣାଙ୍କ ନେତାଜୀଙ୍କ ଆହ୍ବାନରେ ଆଜାଦ ହିନ୍ଦ୍‌ର ପତାକା ସଂସ୍ଥାପନ ନେତାଜୀଙ୍କ ଆଦର୍ଶକୁ ପ୍ରତିଫଳନ କରୁଥିବା ବେଳେ ବସନ୍ତ ଦାସଙ୍କ ଆଜାଦହିନ୍ଦ୍‌ ପତାକା ତଳେ ନେତାଜୀଙ୍କ ଅଭିବାଦନ, କେଦାରନାଥ ବେହେରା ଓ ପ୍ରମୋଦ ବେହେରାଙ୍କଦ୍ବାରା ନେତାଜୀଙ୍କ ଆବକ୍ଷ ମୂର୍ତ୍ତି ସମସ୍ତଙ୍କ ମନ ଜିଣିଥିବା ବେଳେ ସୁଧାକର ମୁଦୁଲି, ଶୀତନ ବେହେରା, ରାଜେନ୍ଦ୍ର ମୁଦୁଲି, ରଘୁନାଥ ବେହେରା, ମୁରଲୀଧର ସେନାପତି ପ୍ରମୁଖ ଶିଳ୍ପୀଙ୍କଦ୍ବାରା ନିର୍ମିତ ନେତାଜୀଙ୍କ ବୀରତ୍ବକୁ ନେଇ ଭାସ୍କର୍ଯ୍ୟ କଳାଗୁଡ଼ିକ ଖୁବ୍‌ ଆକର୍ଷଣୀୟ ହୋଇଥିଲା।

ପ୍ରଦର୍ଶନୀ ଅବସରରେ ସମ୍ମାନିତ ଅତିଥିମାନେ ଶିଳ୍ପୀମାନଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏକାଡେମିର ସଚିବ ପଞ୍ଚାନନ ସାମଲ ଓ ରାଜ୍ୟ ପ୍ରତ୍ନତତ୍ବବିଭାଗର ସୁପରିନ୍‌ଟେଣ୍ଡେଣ୍ଟ ଅଶ୍ବିନୀ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଏକାଡେମିର ସଦସ୍ୟା ସ୍ମିତା ମୂଳିଆ, ଶିଳ୍ପୀ ରବିନାରାୟଣ ରଥ, ଯଶସ୍ବୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ବର : ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ଓ ଉତ୍କଳ ସମ୍ମିଳନୀ, ମଞ୍ଚେଶ୍ବର ଶାଖା ପକ୍ଷରୁ ସ୍ଥାନୀୟ ବୀର ସୁରେନ୍ଦ୍ରସାଏ ନଗରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ପରିଷଦର କୋଷାଧ୍ୟକ୍ଷ ମହେଶ୍ବର ବିଶ୍ବାଳଙ୍କୁ ବୀର ସୁରେନ୍ଦ୍ର ସାଏ ସମ୍ମାନରେ ସମ୍ମାନିତ କରିଥିଲେ। ଗୌରୀଶଙ୍କର ପ୍ରହରାଜ, ଦେବେନ୍ଦ୍ର ବିଶ୍ୱାଳ ଓ ଝୁନା ପଟ୍ଟନାୟକ ପ୍ରମୁଖ ବରପୁତ୍ରଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର୍‌ ଅଜୟ ଜେନା, ଦୁର୍ଗାପୂଜା କମିଟିର କୋଷାଧ୍ୟକ୍ଷ ପ୍ରତାପ ନନ୍ଦ, ବାସନ୍ତୀ ତ୍ରିପାଠୀ, ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉତ୍କଳ ସମ୍ମିଳନୀ, ମଞ୍ଚେଶ୍ବର ଶାଖାର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସବୁଦ୍ଧି ଧନ୍ୟବାଦ ଦେଇଥିଲେ।

ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା ପକ୍ଷରୁ ନେତାଜୀ ଜୟନ୍ତୀ
ମହାନ ସ୍ବାଧୀନତା ସଂଗ୍ରାମୀ, ତ୍ୟାଗର ପ୍ରତୀକ, ଆଜାଦ୍ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ମଞ୍ଚେଶ୍ବର ଶାଖା ତରଫରୁ ରସୁଲଗଡ଼ସ୍ଥିତ ନେତାଜୀ ପ୍ରତିମୂର୍ତ୍ତିଠାରେ ପାଳିତ ହୋଇଯାଇଛି। ଏଥିରେ ସମରକ୍ରାନ୍ତି ସେନାର ମୁଖ୍ୟ ଉପଦେଷ୍ଟା ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ନେତାଜୀଙ୍କ ଜୟଗାନ କରିବା ସହିତ ପୁଷ୍ପ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସଚ୍ଚା ସ୍ବାଧୀନତା ସଂଗ୍ରାମ ଓ ବଳିଦାନ ପାଇଁ ସେ ସବୁବେଳେ ଚିରସ୍ମରଣୀୟ ରହିବେ ବୋଲି କୁହାଯାଇଥିଲା। କାର୍ଯ୍ୟକ୍ରମକୁ ଦିନବନ୍ଧୁ ଦାସ, ଗୋବିନ୍ଦ ପଟ୍ଟନାୟକ, ବାସୁଦେବ ପରିଡ଼ା, ଶଙ୍କର ବେହେରା, ସୋମନାଥ ବେହେରା, ଜାନକୀବଲ୍ଲଭ ଧଳ, ରାକେଶ ହୋତା ଓ ସମରକ୍ରାନ୍ତି ସେନାର ସମ୍ପାଦକ ପ୍ରମୋଦ କିଶୋର ପରିଡ଼ା ପ୍ରମୁଖ ସଭା ପରିଚାଳନା କରିଥିଲେ।

ଏକାମ୍ର ବିକାଶ ମଞ୍ଚ
ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକାମ୍ର ବିକାଶ ମଞ୍ଚ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ସମାଜସେବୀ ରଶ୍ମି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଳ୍ପିକାର ସମ୍ପାଦକ ବାସୁଦେବ ନାଥ ଏହାକୁ ପରିଚାଳନା କରିଥିଲେ। ଏଥିରେ ଜ୍ୟୋତିର୍ମୟୀ ପଣ୍ଡା, ପାର୍ବତୀ ବାରିକ ଓ ବହୁ ସଭ୍ୟ ସାମିଲ ହୋଇଥିଲେ। ଗୋପାଳ ମକଦ୍ଦମ ଧନ୍ୟବାଦ ଦେଇଥିଲେ।

‘ଦି ସିଲଭର୍ସ’ ସଂଘ
ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ‘ଦି ସିଲଭର୍ସ’ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଜି ଭିଏସ୍‌ଏସ୍‌ ନଗର ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସୁରେନ୍ଦ୍ର ସାଏ ଜୟନ୍ତୀ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କଜୟନ୍ତୀର ମହା ସମାରୋହ ପାଳନ କରାଯାଇଛି। ଏହି ଉତ୍ସବରେ ‘ଦି ସିଲଭର୍ସ’ର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ସଂଘର ଉପଦେଷ୍ଟା ହଦୟରାମ ବ୍ରହ୍ମା, ସଂପାଦକ କୈଳାସ ଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ଅରବିନ୍ଦ ମହାରଣା, ସଭ୍ୟ ବିପ୍ରଚରଣ ନାୟକ, ଇଂ ଆଦିତ୍ୟ ପ୍ରକାଶ ଦାଶ, ସୁଧାକର ମିଶ୍ର ଓ ଅନା‌ନ୍ୟ ବ୍ୟକ୍ତିବିଶେଷ ସୁରେନ୍ଦ୍ର ସାଏ ସ ନେତାଜୀ ସୁବାସ ବୋଷଙ୍କ ‌ଦେଶଭକ୍ତି ଓ ଦେଶଙ୍କୁ ବ୍ରିଟିଶ ସରକାରଙ୍କଠାରୁ ମୁକ୍ତ କରିବା ପାଇଁ ତାଙ୍କର ଉଦ୍ୟମ ଅବିସ୍ମରଣୀୟ ବୋଲି ମତ ଦେଇଥିଲେ। ଶେଷରେ ଯୁଗ୍ମ ସଂପାଦକ ଅରବିନ୍ଦ ମହାରଣା ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର