ରାଜଧାନୀରେ ନେତାଜୀଙ୍କୁ ସମ୍ମାନ ଏମିତି, ଦାବିରେ ରହିଗଲା ନେତାଜୀ ମାର୍ଗ ପରିକଳ୍ପନା

ପ୍ରତିମୂର୍ତି ଚାରିକଡ଼େ ସୌନ୍ଦର୍ଯ୍ୟୀକରଣକୁ ଭୁଲିଗଲେ

ଭୁବନେଶ୍ବର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମୂର୍ତି ସ୍ଥାପନ ସହ ରାଜଧାନୀରେ ଆରମ୍ଭ ହୋଇଥିଲା ପୂଜ୍ୟପୂଜାର ପରମ୍ପରା। ନେତାଜୀଙ୍କର ଜନ୍ମ ଶତବାର୍ଷିକୀ ଉପଲକ୍ଷେ ୧୯୯୭ରେ ରାଜଧାନୀର ରସୁଲଗଡ଼ ଛକରେ ପ୍ରଥମ ପ୍ରତିମୂର୍ତ୍ତି ଭାବେ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ଚୋଚିତ ହୋଇଥିଲା। ଏହାପରେ ଗତ ୨୫ ବର୍ଷ ଭିତରେ ସହରର ନକ୍ସା ବହୁ ଭାବରେ ବଦଳିଲାଣି। ରସୁଲଗଡ଼ ଛକରେ ୪ ଥାକିଆ ରାସ୍ତା ନିର୍ମିତ ହେଲା, ଓଭରବ୍ରିଜ୍‌ ହେଲା ଓ ଜାତୀୟ ରାଜପଥ ମଧ୍ୟ ସଂପ୍ରସାରିତ ହେଲା। ତଥାପି ଏଠାରେ ଥିବା ନେତାଜୀଙ୍କର ପ୍ରତିମୂର୍ତ୍ତିଟି ଅବହେଳିତ ‌ହୋଇ ରହିଗଲା।

ଏକଦା ଭୁବନେଶ୍ବରର ପ୍ରବେଶ ପଥ ବୋଲି କୁହାଯାଉଥିବା ରସୁଲଗଡ଼ ଛକରେ ଆଜି ବି ନେତାଜୀଙ୍କ ଏହି ପ୍ରତିମୂର୍ତ୍ତି ଶୋଭାବର୍ଦ୍ଧନ କରିବା ସହ ଜନ ସାଧାରଣଙ୍କ ମନରେ ଦେଶମାତୃକା ପ୍ରତି ଭକ୍ତି ଓ ପ୍ରେମ ଜାଗ୍ରତ କରୁଛି। କିନ୍ତୁ ନେତାଜୀଙ୍କୁ ଆମେ ସେତିକି ସମ୍ମାନ ଜଣାଇବା କଥା ତାହା ଜଣାଇବାରେ ଆନ୍ତରିକତା ଦେଖାଇ ନାହୁଁ। ଗତ ୨୫ ବର୍ଷ ପ୍ରତିମୂର୍ତ୍ତିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ଲାଗି କେହି ମନ ବଳାଇ ନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ଏହା ଅଳିଆ ଆବର୍ଜନା ଓ ଶୁଖିଲା ଘାସ‌ରେ ପରିପୂର୍ଣ୍ଣ ହୋଇ ରହିଛି। ଫୁଲଗଛ ଲଗାଇ ବଗିଚା ଭଳି ରୂପ ଦେବାକୁ ଚିନ୍ତା କରିନାହାନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ଏହାଛଡ଼ା ପ୍ରତିମୂର୍ତି ସ୍ଥାପନା ସମୟରେ ଅଞ୍ଚଳବାସୀ ରସୁଲଗଡ଼ ଛକକୁ ନେତାଜୀ ମାର୍ଗ ଭାବେ ନାମିତ କରିବାକୁ ଦାବି କରିଥିଲେ। କିନ୍ତୁ ବର୍ଷ ବର୍ଷ ବିତି ଯାଇଥିଲେ ବି ଏ ନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ।

୧୯୯୭ ଜାନୁଆରି ୨୬ ତାରିଖରେ ନେତାଜୀଙ୍କର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ରସୁଲଗଡ଼ ଛକ ଉପରେ ସ୍ଥାପିତ ହୋଇଥିଲା ଘୋଡ଼ାରେ ବସିଥିବା ନେତାଜୀଙ୍କ ବୀରମୁଦ୍ରାର ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳ ଅତିଥି ଭାବେ ଯୋଗ ଦେଇ ନେତାଜୀଙ୍କର ଏହି ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ। ରାଜଧାନୀରେ ଏହା ଥିଲା କୌଣସି ବରପୁତ୍ରଙ୍କର ପ୍ରଥମ ପ୍ରତିମୂର୍ତ୍ତି। ଏହାପରେ ରାଜଧାନୀରେ ୨୦୦୦ ମସିହା ପରେ ହିଁ ଅନ୍ୟ ସମସ୍ତ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ନେତାଜୀ ଆଜିର ଯୁବପିଢ଼ିଙ୍କ ପ୍ରଥମ ଆଦର୍ଶ ଓ ସେମାନଙ୍କ ଭିତରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ ବି, କେବଳ ପ୍ରତିମୂର୍ତ୍ତିଟିଏ ସ୍ଥାପନ କରି ସମସ୍ତେ ତାଙ୍କୁ ଭୁଲି ଯାଇଛନ୍ତି। ବର୍ଷ ସାରା ଧୂଳି ଧୂସରିତ ଏବଂ ଚଢ଼େଇଙ୍କ ମଳ ପଡ଼ି ବେଳେବେଳେ ବିକୃତ ଦିଶୁଥିବା ଏହି ପ୍ରତିମୂର୍ତ୍ତିରେ ନେତାଜୀ ଜୟନ୍ତୀ, ସ୍ବାଧୀନତା‌ ଦିବସ ଓ ଗଣତନ୍ତ୍ର ଦିବସରେ ପୁଷ୍ପମାଲ୍ୟ ଅର୍ପଣ କରି ଆମେ ନେତାମାନେ ଦାୟିତ୍ବ ସାରି ଦେଉଛନ୍ତି। ବର୍ଷ ବର୍ଷ ଧରି ଏହାର ଚତୁଃପାର୍ଶ୍ବ ପରିତ୍ୟକ୍ତ ହୋଇ ପଡ଼ିଥିଲେ ବି ଏହାର ସୌନ୍ଦର୍ଯ୍ୟକରଣ ପ୍ରତି ନଜର ‌ଦିଆଯାଉନାହିଁ। ଆଜି ଯେତେବେଳେ ସାରା ଦେଶରେ ଆଡ଼ମ୍ବରପୂର୍ଣ୍ଣ ଭାବେ ନେତାଜୀଙ୍କର ୧୨୫ତମ ଜୟନ୍ତୀ ପାଳନ ହେଉଛି, ରାଜଧାନୀରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଥିବା ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ପ୍ରତି ଧ୍ୟାନ ଦେବା ସହ ସରକାର ଏହି ମାର୍ଗକୁ ନେତାଜୀ ମାର୍ଗରେ ନାମକରଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର