କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ ସମେତ ୧୪ ପଜିଟିଭ୍, ଘରୋଇ ସଂସ୍ଥାର ୨ କର୍ମଚାରୀ ସଂକ୍ରମିତ

ସ୍ୱାସ୍ଥ୍ୟ ନିର୍ଦେଶାଳୟରେ କରୋନା, ନିର୍ଦେଶକ ସଂକ୍ରମିତ, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଓ ଔଷଧ ଦୋକାନୀ ଆକ୍ରାନ୍ତ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଆଜି ୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଛାତି ବିଭାଗର ଜଣେ ଆଟେଣ୍ଡାଣ୍ଟ ସମେତ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଏକ ଘରୋଇ ସଂସ୍ଥାର ୨ କର୍ମଚାରୀ, ଜଣେ ରୋଗୀ ଓ କରୋନା ୱାର୍ଡରୁ ୧୦ଜଣ ଆକ୍ରାନ୍ତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଆଡମିଟ୍‌ ପୂର୍ବରୁ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରାଯାଉଥିବାରୁ ସଂକ୍ରମିତ ‌ଚିହ୍ନଟ ହେଉଛନ୍ତି। ଆଜି ହୃଦ୍‌ରୋଗ ୱାର୍ଡରୁ ଜଣେ ରୋଗୀ ସଂକ୍ରମିତ ଥିବା ଜଣାପଡ଼ିଥିଲା। ତାଙ୍କୁ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଘରୋଇ ସଂସ୍ଥାର ୨ କର୍ମଚାରୀ ଗତକାଲି ପଜିଟିଭ୍ ଚିହ୍ନଟ ହୋଇଥିଲେ। କିଛିଦିନ ପୂର୍ବରୁ ହସ୍ପିଟାଲର ଜଣେ ଡାକ୍ତର କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା, ଯାହାଫଳରେ କର୍କଟ ୱାଡର୍କୁ ୪୮ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଥିଲା।

ସ୍ୱାସ୍ଥ୍ୟ ନିର୍ଦେଶାଳୟରେ କରୋନା, ନିର୍ଦେଶକ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକାଧିକ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ୯’ତାଲା ସ୍ଥିତ ସ୍ବାସ୍ଥ୍ୟ ନିର୍ଦେଶାଳୟରେ ପଶିଛି କରୋନା। ନିର୍ଦେଶାଳୟରେ ଜଣେ ନିର୍ଦେଶକ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ କିଛିଦିନ ତଳେ ସେ ସଂକ୍ରମିତ ହୋଇଥିବା ବେଳେ ଏବେ ଘରେ ପୃଥକବାସରେ ରହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ନିର୍ଦେଶକ ଜଣକ ନିୟମିତ ଭାବେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ। ତେବେ ନିର୍ଦେଶକ ଜଣକ କରୋନାରେ ସଂକ୍ରମିତ ହେବା ପରେ ୯’ ତାଲାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ୧୫ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ବିଭାଗର ବିତ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସି ଅନ୍ୟ କର୍ମଚାରୀ ପଜିଟିଭ୍ ଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା।

ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଓ ଔଷଧ ଦୋକାନୀ ଆକ୍ରାନ୍ତ
ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଜଣେ ଏମ୍‌ବିବିଏସ ଡାକ୍ତର ‌କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗୃହ ସଂଗରୋଧରେ ଥିବା ଜଣାପଡ଼ିଛି। ସେହିପରି ବାଳକାଟି ବଜାରର ‌ଏକ ଔଷଧ ଦୋକାନୀ ଓ ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଔଷଧ ଦୋକାନୀ ଓ କର୍ମଚାରୀମାନେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଉକ୍ତ ଦୋକାନକୁ ୧୪ଦିନ ପାଇଁ ସିଲ୍‌ କରାଯାଇଛି। ଡାକ୍ତରଙ୍କ ସମେତ ଆଜି ୫ ଜଣଙ୍କର ପଜିଟିଭ୍‌ ଆସିଥିବା ବେଳେ ଅନ୍ୟମାନଙ୍କର ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର