ଭୁବନେଶ୍ବର : ଦୀର୍ଘ ଦିନ ପରେ ଆଜି ରାଜଧାନୀରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟ ହେବାରେ ଏହା ଦ୍ବିତୀୟ ସର୍ବାଧିକ। ଏପରିକି ରାଜଧାନୀର ଚାରି ଦିଗରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ପୂରା ରାଜଧାନୀରେ କରୋନା ଆକ୍ରାନ୍ତ ଛାଇ ଯାଇଛନ୍ତି। ଆଜି ପଟିଆ ଶ୍ରୀବିହାରରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଜଣେ ୩୧ ବର୍ଷୀୟ, ୬୫ ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୫୮ବର୍ଷର ମହିଳା ଅଛନ୍ତି। ସେମାନଙ୍କ ପରିବାରରୁ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଜୟଦେବବିହାର ବିଜୁ ପଟ୍ଟନାୟକ କଲେଜ ନିକଟରୁ ଜଣେ ୭୧ ବର୍ଷୀୟ ମହିଳା, ୭୨ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବା ବେଳେ ସେମାନେ ଆମେରିକାରୁ ଫେରିଥିଲେ। ୟୁନିଟ୍-୪ ଶାସ୍ତ୍ରୀନଗରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଜଣେ ୭୫ ବର୍ଷୀୟ ପୁରୁଷ ଓ ଜଣେ ୪୦ ବର୍ଷୀୟ ପୁରୁଷ ଅଛନ୍ତି। ସେମାନେ କୋଲକାତାରୁ ଫେରିଥିଲେ। ଡୁମଡୁମା ଫେଜ୍-୧ରୁ ଜଣେ ୨୨ ବର୍ଷୀୟ ଯୁବକ ଚିହ୍ନଟ ହୋଇଥିବା ବେଳେ ସେ ପୁଣେରୁ ଫେରିଥିଲେ। କଳିଙ୍ଗନଗର ଶୈଳବାଳା ଏନକ୍ଲେଭ୍ରୁ ଜଣେ ୩୪ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବା ବେଳେ ସେ ଓମାନ୍ରୁ ଫେରିଥିଲେ। ଏହାବାଦ୍ ଦିଲ୍ଲୀରୁ ଫେରିଥିବା ସତ୍ୟନଗର ଓଭରବ୍ରିଜ୍ ନିକଟର ଜଣେ ୩୩ ବର୍ଷୀୟ ପୁରୁଷ, ଚେନ୍ନାଇରୁ ଫେରିଥିବା ନୂଆପଲ୍ଲୀ ଶବର ସାହିର ଜଣେ ୫୪ ବର୍ଷୀୟ ପୁରୁଷ, ଗୁରୁଗାଓଁରୁ ଫେରିଥିବା ରସୁଲଗଡ଼ ନେତାଜୀ ବିହାରର ୪୭ ବର୍ଷୀୟ ପୁରୁଷ, ଦିଲ୍ଲୀରୁ ଫେରିଥିବା ଯଦୁପୁର ବେଗୁନିଆ ମସଜିଦ୍ ନିକଟର ୩୧ ବର୍ଷୀୟ ପୁରୁଷ ଆଜି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୩ ମସଜିଦ୍ କଲୋନିର ୬୦ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ପରିବାରର ଜଣେ କୋଲକାତା ଫେରନ୍ତା ଅଛନ୍ତି।
ଏହାବାଦ୍ ପଳାସୁଣି କପିଳେଶ୍ବର ବିହାରରୁ ଜଣେ ୨୫ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବା ବେଳେ ସେ ନିକଟରେ ଭଦ୍ରକ ଯାଇଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ୩୨ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି।
କ୍ୟାପିଟାଲ ହସ୍ପିଟାଲରୁ ଆଉ ଜଣେ ଚିହ୍ନଟ
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲକୁ ଅସ୍ତ୍ରୋପଚାର ପାଇଁ ଆସିଥିବା ଜଣେ ମହିଳା ଆଜି କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି। ତାଙ୍କର ନମୁନା ପଜିଟିଭ୍ ବାହାରିବା ପରେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳା ହିଷ୍ଟୋଟୋମି ଅପରେସନ୍ ପାଇଁ ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅପରେସନ୍ ପୂର୍ବରୁ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ଆଜି ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମହିଳାଜଣଙ୍କ କେଉଁ ଅଞ୍ଚଳର ଜଣାପଡ଼ିନି। ସୋମବାର ରାଜ୍ୟ ସରକାର ଏନେଇ ସୂଚନା ଦେବେ ବୋଲି ଜଣାପଡ଼ିଛି।
ସକାଳେ ଛାଡ଼ିଲେ, ରାତିରେ ଉଠାଇନେଲେ
ସାଲିଆ ସାହିର ଜଣେ କରୋନା ଆକ୍ରାନ୍ତଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲରେ ଚିକିତ୍ସା କରିବା ପରେ ଆଜି ସକାଳେ ଡିସଚାର୍ଜ କରିଥିଲେ। ମହିଳାଜଣଙ୍କୁ ଆମ୍ବୁଲାନ୍ସ ଆଣି ସାଲିଆ ସାହିସ୍ଥିତ ଘରେ ଛାଡ଼ିଥିଲା। ଏହାପରେ ସେ ପରିବାରଲୋକ ଓ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ସହ ବି ମିଶିଥିଲେ। କିନ୍ତୁ ରାତି ୧୦ଟା ବେଳକୁ ହଠାତ୍ ବିଏମ୍ସି କର୍ତ୍ତୃପକ୍ଷ ଆସି ଉଠାଇ ନେଇଥିଲେ। ସକାଳେ ଡିସ୍ଚାର୍ଜ କଲେ, ସଂଧ୍ୟାରେ ପୁଣି ନେବାରୁ ବସ୍ତି ବାସିନ୍ଦା ବିରୋଧ କରିଥିଲେ। ଏପରିକି ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଘେରି ପାଟିତୁଣ୍ଡ କରିଥିଲେ। କିନ୍ତୁ ବହୁ ବୁଝାସୁଝା କରିବା ପରେ ବିଏମ୍ସି କର୍ତ୍ତୃପକ୍ଷ ମହିଳାଜଣଙ୍କୁ ଟ୍ରାଇଡେଣ୍ଟ କଲେଜସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ନେଇ ଯାଇଥିଲେ।
ବିଏମ୍ସିର ଉତ୍ତର ଜୋନ୍ ଜୋନାଲ୍ ଡେପୁଟି କମିସନର୍ କହିଛନ୍ତି ଯେ ମହିଳାଜଣଙ୍କ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହେବା ପରେ ସୁସ୍ଥ ହୋଇଥିଲେ। ଦୁଇଥର ନମୁନା ନେଗେଟିଭ୍ ବାହାରିବା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା। ତାଙ୍କୁ ହସ୍ପିଟାଲରୁ ଟ୍ରାଇଡେଣ୍ଟ କଲେଜସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ନେବାର ଥିଲା। କିନ୍ତୁ ଆମ୍ବୁଲାନ୍ସ ତାଙ୍କୁ ସଙ୍ଗରୋଧ କେନ୍ଦ୍ର ନେବା ବଦଳରେ ଘରେ ଛାଡ଼ି ଦେଇଥିଲା। ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କୁ ଖୋଜିବା ବେଳେ ନ ମିଳିବାରୁ ସେ ଘରକୁ ପଳାଇଥିବା ଜଣାପଡ଼ିଥିଲା। ଏହା ପରେ ଆମେ ତାଙ୍କୁ ସଂଗରୋଧ କେନ୍ଦ୍ରକୁ ନେଇ ଆସିଛୁ।