ଚନ୍ଦ୍ରଶେଖରପୁର : ସାଲିଆସାହିରୁ ପ୍ରଥମେ ଜଣେ କରୋନା ଆକ୍ରାନ୍ତ ବାହାରିଲେ। ତା’ପରେ ୫ ଜଣ। ୧୦ ଜଣ ବି ଟପିଲା। ଆଉ ଆଜି ଗୋଟିଏ ଦିନରେ ୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀର ଏହି ବଡ଼ ବସ୍ତିର ବିଭିନ୍ନ ଅଞ୍ଚଳରୁ ଆକ୍ରାନ୍ତ ବାହାରିଥିବାରୁ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ବସ୍ତିର ପ୍ରତି ସାହି ଓ ନଗରରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ପ୍ରଶାସନର ନିଦ ହଜିଗଲାଣି। କିଭଳି ପରିସ୍ଥିତିର ମୁକାବିଲା କରାଯିବ, ତାହା ଏବେ ସବୁଠାରୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ସେପଟେ ଲକ୍ଷଣ ନ ଥିଲେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଲୋକେ ମେଡିକାଲ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବରଂ ପ୍ରଶାସନର ରିପୋର୍ଟ ଭୁଲ୍ ବୋଲି ଯୁକ୍ତି ବାଢ଼ୁଥିବାରୁ ଉତ୍ତେଜନା ପ୍ରକାଶ ପାଉଛି।
ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଆଜି ସାଲିଆସାହିରୁ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ କ୍ବାରାଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଉଲ୍ଲେଖ ହୋଇଛି। ତେବେ ଏହି ଆକ୍ରାନ୍ତମାନେ ବସ୍ତିର କେଉଁ ଅଞ୍ଚଳର, ସେନେଇ ବିଏମ୍ସି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବିଶେଷସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସାଲିଆସାହି ବସ୍ତିର ଏକାମ୍ରବିହାରରୁ ୧୧ଜଣ ଆକ୍ରାନ୍ତ ବାହାରିଥିବା ବେଳେ ଆଦିତ୍ୟ ନଗରରୁ ଦୁଇଜଣ, ଶ୍ରୀରାମ ନଗରରୁ ୪ଜଣ ବାହାରିଛନ୍ତି। ଏମାନଙ୍କ ବ୍ୟତୀତ ଜୟଦେବ ବିହାର ମୁଣ୍ଡାସାହିର ଜଣେ ଆକ୍ରାନ୍ତ ଲୋକାଲ୍ କଣ୍ଟାକ୍ଟ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଯଦି ଆଜି ପର୍ଯ୍ୟନ୍ତ ମୋଟ ତଥ୍ୟକୁ ହିସାବକୁ ନିଆଯାଏ, ତେବେ ସାଲିଆସାହିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ଟପି ଗଲାଣି। ଉକ୍ତ ଅଞ୍ଚଳ ବ୍ୟତୀତ ବସ୍ତିର ନୀଳଚକ୍ରନଗର, ଶ୍ରୀକୃଷ୍ଣନଗରରୁ ବି ଆଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।
ଅନ୍ୟପକ୍ଷରେ କରୋନା ଟେଷ୍ଟ ନେଇ ଆଜି ହାତୀଆଶୁଣିରେ ଉତ୍ତେଜନା ପ୍ରକାଶ ପାଇଥିଲା। ୪ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାରୁ ସେମାନଙ୍କୁ ନେବା ଲାଗି ବିଏମ୍ସି ଅଧିକାରୀ ଓ ପୁଲିସ ଅଧିକାରୀ ପହଞ୍ଚିଥିଲେ। ତେବେ ଆକ୍ରାନ୍ତମାନେ ଯିବାକୁ ଅମଙ୍ଗ ହୋଇଥିଲେ। କୌଣସି ଲକ୍ଷଣ ନ ଥିବାରୁ କରୋନା ଆକ୍ରାନ୍ତ ହୋଇନାହାନ୍ତି ବୋଲି ଯୁକ୍ତି ବାଢ଼ିବା ସହ ରିପୋର୍ଟ ଭୁଲ୍ ବୋଲି କହିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଆକ୍ରାନ୍ତ ହୋଇ ନ ଥିଲେ ମଧ୍ୟ ସରକାରୀ ଭାବେ ଭୁଲ୍ ରିପୋର୍ଟ ଦିଆଯାଉଛି। କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରି ଟଙ୍କା ଖାଇବାକୁ ଏଭଳି ମିଥ୍ୟା ରିପୋର୍ଟ ଦେଖାଉଛନ୍ତି। ହସ୍ପିଟାଲ ଯିବୁନୁ ବୋଲି ଜିଦ୍ରେ ଅଡ଼ି ରହିବା ପରେ ଉକ୍ତ ୪ଜଣଙ୍କୁ ଜାମୁଝରିସ୍ଥିତ କୋଭିଡ୍ କେୟାର ସେଣ୍ଟରକୁ ନିଆଯାଇଥିବା ସୂଚନା ମିଳିଛି।