ଅନାଲୋଚିତ କଥାକୁ ଉନ୍ମୋଚନ କରିଛି ‘ନୂଆ ଅବୋଲକରା କାହାଣୀ’

ଭୁବନେଶ୍ବର: ଆପଣ ବୋଧେ ଜାଣିନଥିବେ, ବଲିଉଡ୍‌ର ଜଣାଶୁଣା ନାୟିକା ୱାହିଦା ‌ରହେମାନ ଦିନେ ବ୍ରହ୍ମପୁରରେ ଏକ ମଂଚରେ ନାଚିଥିଲେ। ରଘୁମାଳୀର ପତ୍ନୀ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଛେଳି କ୍ଷୀର ଦେଉଥିଲେ। ଏକଦା କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ହଷ୍ଟେଲ୍‌ରେ ପ୍ରାଣକୃଷ୍ଣ ପରିଜାଙ୍କ ସହ ସୁବାସ ବୋଷ ରହୁଥିଲେ। ଏକଥା ବି ଜାଣିନଥିବେ ଯେ, ଏକ ଗ୍ରହାଣୁର ନାମ କଳିଙ୍ଗ। ଓଡ଼ିଶାକୁ ନେଇ ‘ଓଡ଼ିଶା’ ଶୀର୍ଷକ ଏକ କେରଳୀ ସିନେମା ନିର୍ମିତ ହୋଇଥିବା ବିଷୟ ବି ଅନେକ ଅବଗତ ନଥିବେ। ମାତ୍ର ଏଭଳି ବହୁ ରୋଚକ ଏବଂ ଅନାଲୋଚ୍ୟ ସତ୍ୟ ଘଟଣାବଳୀକୁ କାହାଣୀର ରୂପ ଦେଇ ଲେଖକ ସ୍ବରାଜ ମିଶ୍ର ସାରସ୍ବତ ରାଇଜକୁ ଭେଟି ଦେଇଛନ୍ତି ‘ନୂଆ ଅବୋଲକରା କାହାଣୀ’। ଗୋସେଇଁ ଓ ଅବୋଲକରା ଚରିତ୍ରକୁ ନେଇ ୨୬ଟି କାହାଣୀ ଆକାରରେ ସତ୍ୟ ଘଟଣାକୁ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଥିବା ଶ୍ରୀ ମିଶ୍ରଙ୍କ ଏହି ପୁସ୍ତକ ଆଜି ‘ସମ୍ବାଦ ଭବନ’ରେ ଲୋକାର୍ପିତ ହୋଇଛି। ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ବିଶିଷ୍ଟ ଲେଖକ ରାଜେନ୍ଦ୍ର ନାରାୟଣ ଦାସ, ବିଶିଷ୍ଟ କଥାକାର ଗୌରହରି ଦାସ, ସମ୍ବାଦର ସମ୍ପାଦକ (ସମ୍ପାଦକୀୟ) ରଣଜିତ ଗୁରୁ, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ, ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ପୁସ୍ତକକୁ ଲୋକାର୍ପଣ କରିଥିଲେ। ଶ୍ରୀ ପଟ୍ଟନାୟକ କହିଲେ, ନିଜ ମାଟି, ଅତୀତ ଓ ଇତିହାସ ସମ୍ପର୍କରେ ସମସ୍ତଙ୍କର ଜାଣିବାର ଇଚ୍ଛା ଅଛି। ଏହି ପରିପ୍ରେକ୍ଷୀରେ ତାକୁ ଆଧୁନିକତା ସହ ଯୋଡ଼ି ଭବିଷ୍ୟତ ପିଢ଼ିର ପାଠକପାଠିକାଙ୍କ ପାଇଁ ଏହାକୁ ଉପସ୍ଥାପିତ କରିବା ସବୁଠୁ ବଡ଼କଥା ‌ବୋଲି ସେ କହିଥିଲେ। ରାଜେନ୍ଦ୍ର ନାରାୟଣ ଦାସ କହିଲେ, ଏ ବହି କେବଳ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ସମସ୍ତଙ୍କ ପାଇଁ। ଏହାର ଇଂରାଜୀ ଅନୁବାଦ ହେବା ଉଚିତ୍‌ ବୋଲି ସେ କହିଥିଲେ। ରଣଜିତ ଗୁରୁ କହିଲେ, ଏହି ଲେଖାରୁ ସ୍ବରାଜଙ୍କ ଭିତରେ ଏକ ଅନୁସନ୍ଧିତ୍ସୁ ଓ ଉତ୍ସାହୀ ସାମ୍ବାଦିକତା ବାରି ହେଉଛି। ଅସିତ ମହାନ୍ତି କହିଲେ, ଏହି ବହିରେ ଓଡ଼ିଶାର ୧୩ଟି ଜିଲ୍ଲାର କାହାଣୀ ରହିଛି। ଓଡ଼ିଶାର ବହୁ ଜଣାଶୁଣା ବ୍ୟକ୍ତିବିଶେଷଙ୍କ କଥା ମଧ୍ୟ ଅଛି। ଏ ବହି ପଢ଼ିବା ବେଳେ ଜଣେ ସେ ଅଞ୍ଚଳରେ ବୁଲିବା ଭଳି ଅନୁଭବ କରିବ ବୋଲି ସେ କହିଥିଲେ। ସତ୍ୟ, ତଥ୍ୟ ଓ କଳ୍ପନାକୁ କାହାଣୀ ମାଧ୍ୟମରେ ବର୍ଣ୍ଣନା କରାଯାଇଥିବା ବେଳେ କିଶୋର କିଶୋରୀ ସାହିତ୍ୟ ମନସ୍କଙ୍କୁ ଏହା ଆକୃଷ୍ଟ କରିବ ବୋଲି କହିଛନ୍ତି ଶୁଭଶ୍ରୀ ଲେଙ୍କା। ଲେଖକ ସ୍ବରାଜ ମିଶ୍ର କହିଥିଲେ ଏଥିରେ ଥିବା ସବୁ କଥା ପଛରେ ଏକ ବିରଳ ଅନୁଭବ ଅଛି। ଏହି ଗପଗୁଡ଼ିକ ମତେ ବଞ୍ଚିବା ପାଇଁ ଉତ୍ସାହିତ କରିଛି ବୋଲି ସେ କହିଥିଲେ। ଏହି ଅବସରରେ ସମ୍ବାଦର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପୁସ୍ତକ ସଂପ୍ରତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ପୁସ୍ତକ ମେଳାର ‘ଆମ ଓଡ଼ିଶା ଷ୍ଟଲ୍‌’ରେ ମିଳୁଛି। ଏହାର ଦାମ୍‌ ୧୩୦ ଟଙ୍କା ଥିବା ବେଳେ ରିହାତିରେ ୯୦ ଟଙ୍କାରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର