ରାଜ୍ୟ ସଂଗ୍ରହାଳୟରେ ନୂଆ ଆର୍ଟ ଗ୍ୟାଲେରି: ୫୫ ଲକ୍ଷ ବ୍ୟୟ ବରାଦରେ ଚାଲିଛି ନିର୍ମାଣ

ସ୍ଥାନିତ ହେବ ୨୫୦ରୁ ଊର୍ଧ୍ବ କଳାକୃତି, ୬ ହଜାର ବର୍ଗଫୁଟ୍‌ରେ ପ୍ରସ୍ତୁତ ହେଉଛି, ନିର୍ମିତ ହେବ ଭାସ୍କର୍ଯ୍ୟ ଉଦ୍ୟାନ

ଭୁବନେଶ୍ବର: ଖୁବ୍‌ଶୀଘ୍ର ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଖୋଲିବାକୁ ଯାଉଛି ଆଉ ଏକ ନୂଆ ଆର୍ଟ ଗ୍ୟାଲେରି। ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାର ଏକ ବିଶାଳ ଭଣ୍ଡାର ପାଲଟିବ ଏହି ଆର୍ଟ ଗ୍ୟାଲେରି। ୬ ହଜାର ବର୍ଗଫୁଟ୍‌ ଜାଗାରେ ନିର୍ମାଣ ହେଉଥିବା ଏହି ଆର୍ଟ ଗ୍ୟାଲେରିରେ ଏକାସାଙ୍ଗେ ୨୫୦ରୁ ଅଧିକ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୃତିକୁ ପ୍ରଦର୍ଶିତ କରାଯିବ। ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାର ପ୍ରଦର୍ଶନୀ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଏସବୁ ଯୋଜନା ପ୍ରସ୍ତୁତ ହୋ‌ଇଛି। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏନେଇ ଜାଗା ଯୋଗାଇ ଦିଆଯାଇଛି। ସଂସ୍କୃତି ବିଭାଗ ଏହି ନୂଆ ଗ୍ୟାଲେରି ‘କଳିଙ୍ଗ ଆର୍ଟ ଗ୍ୟାଲେରି’ ପାଇଁ ୫୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ଏହି ଗ୍ୟାଲେରିର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍‌ଶୀଘ୍ର ଏହା ଉଦ୍‌ଘାଟିତ ‌ହେବାକୁ ଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଲଳିତ କଳା ଏକାଡେମିର ଦିଗଂଗତ ତଥା ବିଶିଷ୍ଟ ଶିଳ୍ପୀମାନଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୁ ଏହି ଗ୍ୟାଲେରିରେ ସ୍ଥାନିତ କରାଯିବ। ଗ୍ୟାଲେରି ସମ୍ମୁଖରେ ‘ଭାସ୍କର୍ଯ୍ୟ ଉଦ୍ୟାନ ବା ଭାସ୍କର୍ଯ୍ୟ ପାର୍କ’ ନିର୍ମାଣ କରାଯିବ। ଏକାଡେମି ଓ ବହୁ ବିଶିଷ୍ଟ ଶିଳ୍ପୀମାନଙ୍କ ଦ୍ବାରା ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଥିବ‌ା ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୁ ଏହି ଭାସ୍କର୍ଯ୍ୟ ଉଦ୍ୟାନରେ ରଖି ପ୍ରଦର୍ଶିତ କରାଯିବ। ଏଥିସହ ପରବର୍ତ୍ତୀ ସମୟରେ ପ୍ରସ୍ତୁତ ଭାସ୍କର୍ଯ୍ୟ କଳାକୁ ଗ୍ୟା‌ଲେରି ଓ ଉଦ୍ୟାନର ସୌନ୍ଦର୍ଯ୍ୟୀକରଣ ନିମନ୍ତେ ସ୍ଥାନିତ କରାଯିବ। ଏକାଡେମି ପକ୍ଷରୁ ନିର୍ମିତ ହେଉଥିବା ଏହି ଗ୍ୟାଲେରିରେ ଅନେକ ସମୟରେ ଶିଳ୍ପୀମାନଙ୍କୁ ନେଇ କର୍ମଶାଳା ଓ ଶିବିରମାନ ଆୟୋଜିତ ହେବ। ପର୍ଯ୍ୟଟକମାନେ ଶିଳ୍ପୀମାନଙ୍କ ସୃଜନ ପ୍ରତିଭାକୁ ସିଧାସଳଖ କାନ୍‌ଭାସ୍‌ ବା ପ୍ରସ୍ତର ଉପରେ ଉତ୍ତାରୁଥିବାର ଦେଖିବାକୁ ପାଇବେ। ବିଗତ ଦିନରେ ଶିଳ୍ପୀମାନଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୁ ସାଇତି ରଖିବା ଓ ସୁରକ୍ଷିତ ରଖିବା ତଥା ପରପିଢ଼ିଙ୍କୁ ଏସବୁ ଦେଖାଇବା ଉଦ୍ଦେଶ୍ୟରେ ଏହି ଗ୍ୟାଲେରି ପ୍ରସ୍ତୁତ ହେଉଛି।

ଏହା ଦେଶର ବିଭିନ୍ନ ସଂଗ୍ରାହଳୟରେ ଥିବା ଗ୍ୟାଲେରିମାନଙ୍କଠାରୁ ବେଶ୍‌ ବିଶାଳ ହେବ। ପୂର୍ବରୁ ଅଳ୍ପ କିଛି ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୁ ନେଇ ଏକାଡେମି ପରିସରରେ ଥିବା ଆର୍ଟ ଗ୍ୟାଲେରି ଓ ବୁଦ୍ଧ ଆର୍ଟ ଗ୍ୟାଲେରି ପରିଚାଳିତ ହେଉଥିବା ବେଳେ ରାଜ୍ୟ ସଂଗ୍ରହାଳୟ ପରିସରରେ ନିର୍ମିତ ହେଉଥିବା ଏହି ଗ୍ୟାଲେରି ରାଜ୍ୟର ସମସ୍ତ ଶିଳ୍ପୀଙ୍କୁ ସ୍ଥାନ ଦେବ। ଏହି ବିଶାଳ ଗ୍ୟାଲେରିର ନିର୍ମାଣ କାର୍ଯ୍ୟ ସରିବା ପରେ ଅଧିକରୁ ଅଧିକ ଶିଳ୍ପୀଙ୍କ କଳାକୃତି ଏଥିରେ ସ୍ଥାନ ପାଇବ। ଖୁବ୍‌ ଶୀଘ୍ର ଏହି ଏକାଡେମିକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର