ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ଅଛି। ହାଟ, ଦୋକାନ, ବଜାର ଖୋଲା ଥିବାବେଳେ ସେହି ଅନୁଯାୟୀ ଆକ୍ରାନ୍ତ ବଢ଼ୁନାହାନ୍ତି। ଏବେ ଭୁବନେଶ୍ବରରେ ଦିନକୁ ୩୦୦ରୁ ୩୫୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା’ଠାରୁ ଅଧିକ ସୁସ୍ଥ ହେଉଛନ୍ତି। ତେଣୁ ଚିନ୍ତା କରିବାର ବିଶେଷ କାରଣ ନାହିଁ। ଖୁବ୍ ଶୀଘ୍ର ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା କମିବ ବୋଲି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।
ଆଜି ସୁଦ୍ଧା ରାଜଧାନୀରେ ୨୦୨୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୬୫୧୧ଜଣ ସୁସ୍ଥ ହୋଇଗଲେଣି। ୮୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬୧୨ଜଣ ଚିକିତ୍ସାଧୀନ ଅଛନ୍ତି। ଏବେ ଯେତିକି ଚିକିତ୍ସାଧୀନ ଅଛନ୍ତି ସେଥିରୁ ପ୍ରାୟ ୭୫% ଗୃହ ପୃଥକବାସରେ ଅଛନ୍ତି। ତେଣୁ ସେମାନଙ୍କୁ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଦେବା ସହ ସେମାନଙ୍କର ଅଧିକ ଯତ୍ନ ନେବାକୁ ବିଏମ୍ସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଏମ୍ସି କମିସନର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏବେ ୬୮ଟି ରାପିଡ ରେସ୍ପନ୍ସ ଟିମ୍ ଗୃହ ପୃଥକବାସରେ ରହୁଥିବା ଲୋକଙ୍କୁ କିଟ୍ ଦେବା, ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ କାମ କରୁଛନ୍ତି। ୧୯୨୯ ନମ୍ବରରୁ ଆକ୍ରାନ୍ତଙ୍କୁ ଫୋନ୍ କରି ପରାମର୍ଶ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୧୦ହଜାର ଆକ୍ରାନ୍ତ ଗୃହ ପୃଥକବାସରେ ରହି ସାରିଥିବାବେଳେ ଏଥିରୁ ପ୍ରାୟ ୭ହଜାର ସୁସ୍ଥ ହୋଇସାରିଲେଣି। ଏବେ ୧୯୨୯ ନମ୍ବରକୁ ଫୋନ୍ କଲେ ଆକ୍ରାନ୍ତଙ୍କୁ ଆୟୁଷ ଡାକ୍ତର ପରାମର୍ଶ ଦେଉଛନ୍ତି। କେତେକ କ୍ଷେତ୍ରରେ ସମସ୍ୟା ହେଉଛି। ତେଣୁ ବିଏମ୍ସି ପକ୍ଷରୁ ୨୫ଜଣ ଏଲୋପାଥିକ୍ ଡାକ୍ତରଙ୍କୁ ନେଇ ଏକ ପ୍ୟାନେଲ୍ ଗଠନ ହେବ। ଏଥିରେ ଭେଷଜ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଶିଶୁ ବିଶେଷଜ୍ଞ, କର୍କଟ ବିଶେଷଜ୍ଞ, ମଧୁମେହ ବିଶେଷଜ୍ଞ, ହୃଦ୍ରୋଗ ବିଶେଷଜ୍ଞ, ଛାତି ଓ ଯକ୍ଷ୍ମା ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ଭଳି ଡାକ୍ତରମାନେ ରହିବେ। କୌଣସି ରୋଗୀର କିଛି ସମସ୍ୟା ହେଲେ ସେ ତୁରନ୍ତ ୧୯୨୯ ନମ୍ବରରେ ଫୋନ୍ କରିବେ। ଏହାପରେ ଆକ୍ରାନ୍ତଙ୍କ ରୋଗ ଅନୁଯାୟୀ ଡାକ୍ତରଙ୍କୁ ଫୋନ୍ ଲଗାଇ କନଫରେନ୍ସ କରାଯିବ। ଏହାଦ୍ବାରା ଆକ୍ରାନ୍ତଙ୍କୁ ଉଚିତ୍ ପରାମର୍ଶ ମିଳିବ। କେବଳ ପରାମର୍ଶ ନୁହେଁ ଆକ୍ରାନ୍ତ ଯଦି ହସ୍ପିଟାଲ ଯିବାକୁ ଆବଶ୍ୟକ ଥିବ ତେବେ ତୁରନ୍ତ ଆମ୍ବୁଲାନସ ପଠାଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଆମ୍ବୁଲାନସରେ ବି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଶୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କମିସନର କହିଛନ୍ତି।
ସୂଚନାଯୋଗ୍ୟ ଯେ, କରୋନା ଆକ୍ରାନ୍ତଙ୍କୁ ଆୟୁର୍ବେଦିକ ଡାକ୍ତର ଏଲୋପାଥିକ୍ ଔଷଧ ଦେବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍ସି କର୍ତ୍ତୃପକ୍ଷ ଏହି ୨୫ଜଣିଆ ଡାକ୍ତର ପ୍ୟାନେଲ୍ ଗଠନ କରିବାକୁ ପଦକ୍ଷେପ ନେଇଛନ୍ତି। ଏହାବାଦ୍ ତିନିଟି ଯାକ ଜୋନ୍ରେ ୪ଜଣ ଲେଖାଏଁ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଯେଉଁମାନେ ହ୍ବାଟ୍ସଆପ୍ ଓ ଜୁମ୍ କଲ୍ କରି ଆକ୍ରାନ୍ତଙ୍କ କଥା ବୁଝୁଛନ୍ତି। କେବଳ ଏତିକୁ ନୁହେଁ। ସବୁ ହସ୍ପିଟାଲ ହେଲ୍ପଲାଇନ୍ ନମ୍ବର ଖୋଲିବାକୁ କୁହାଯାଇଛି। ଯେଉଁ ନମ୍ବରକୁ ଆକ୍ରାନ୍ତ ଫୋନ୍ କରିବେ ତାଙ୍କୁ ଉଚିତ୍ ପରାମର୍ଶ ମିଳିବ। ଏପରିକି ସମ୍ପର୍କୀୟମାନେ ଫୋନ୍ କରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସିଧାସଳଖ ବୁଝିପାରିବେ। କମିସନର କହିଛନ୍ତି ଯେ, ସବୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଆକ୍ରାନ୍ତଙ୍କ ଡାଟାବେସ୍ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଏହାଦ୍ବାରା ଜଣେ ଫୋନ୍ କଲେ କମ୍ପ୍ୟୁଟର ସ୍କ୍ରିନ୍ରେ ଆକ୍ରାନ୍ତଙ୍କର ସବିଶେଷ ତଥ୍ୟ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇପାରିବେ। ଏବେ କିମ୍ସ ହସ୍ପିଟାଲ ଏହି ବ୍ୟବସ୍ଥା ଆରମ୍ଭ କରିଥିବାବେଳେ ସବୁ ହସ୍ପିଟାଲ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି।
ବସ୍ତିରେ ୬୮୬ ଆକ୍ରାନ୍ତ
ବିଏମ୍ସି ପାଇଁ ଏବେ ବସ୍ତି ବିଶେଷ ଚିନ୍ତାର କାରଣ ନାହିଁ। ବସ୍ତିରେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କମିସନର କହିଛନ୍ତି। ଏବେ ବିଭିନ୍ନ ବସ୍ତିରେ ମାତ୍ର ୬୮୬ଜଣ ଆକ୍ରାନ୍ତ ଅଛନ୍ତି। ପୂର୍ବରୁ ବସ୍ତିରୁ ଯେପରି ଆକ୍ରାନ୍ତ ବାହାରୁଥିଲେ ସେହିପରି ବାହାରୁନାହାନ୍ତି। ଘରକୁ ଘର ସ୍କ୍ରିନିଂ, ଲକ୍ଷଣ ଥିବା ବ୍ୟକ୍ତିଙ୍କର ତୁରନ୍ତ କରୋନା ପରୀକ୍ଷା କରାଇବା ଦ୍ବାରା ବସ୍ତିରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ବସ୍ତିରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କୁ ହସ୍ପିଟାଲ କିମ୍ବା କୋଭିଡ୍ କେୟାର ସେଣ୍ଟରରେ ରଖାଯାଉଛି ବୋଲି ବିଏମ୍ସି କମିସନର କହିଛନ୍ତି।ନୂଆ ୬୦ ଆଇସିୟୁ ଶଯ୍ୟା ହୋଇଛି
ଆଇସିୟୁ ଶଯ୍ୟା ନିଅଣ୍ଟ ପଡ଼ୁଥିବାବେଳେ ଏବେ ରାଜଧାନୀରେ ଆଉ ୬୦ଟି ଆଇସିୟୁ ଶଯ୍ୟା ବ୍ୟବସ୍ଥା କରାଯାଇଛି। ଏଥିରେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୦ଟି ଆଇସିୟୁ ଶଯ୍ୟା ବଢ଼ିଥିବାବେଳେ ଆଉ ଏକ ନୂଆ କୋଭିଡ୍ ହସ୍ପିଟାଲରେ ୪୦ଟି ଆଇସିୟୁ ଶଯ୍ୟା ଅଛି। ସେହିପରି ନିର୍ଦ୍ଦେଶନାମା ଅନୁଯାୟୀ ୩୦ରୁ ଅଧିକ ଶଯ୍ୟା ଥିବା ହସ୍ପିଟାଲରେ ୫୦% ଶଯ୍ୟା ଓ ୮୦% ଆଇସିୟୁ ଶଯ୍ୟା କରୋନା ଆକ୍ରାନ୍ତଙ୍କ ପାଇଁ ରଖିବାକୁ ନିର୍ଦ୍ଦେଶନାମା ଜାରି ହେବା ପରେ କୋଭିଡ ହସ୍ପିଟାଲ ଉପରେ ଚାପ କମିଛି ବୋଲି କମିସନର କହିଛନ୍ତି।ଗୃହ ପୃଥକବାସରେ ଜଣେ ଆକ୍ରାନ୍ତ ମରିଛନ୍ତି
ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ହଜାର କରୋନା ଆକ୍ରାନ୍ତ ଘରେ ରହି ସୁସ୍ଥ ହୋଇଛନ୍ତି। କିନ୍ତୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବିଏମ୍ସି କମିସନରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତାହା ପୁଣି ହସ୍ପିଟାଲରେ। ଆକ୍ରାନ୍ତ ଜଣଙ୍କ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କିଛି ସମୟ ପରେ ମୃତ୍ୟୁ ହୋଇଛି। କମିସନର କହିଛନ୍ତି ଯେ, ଗୃହ ପୃଥକବାସରେ ରହୁଥିବା କୌଣସି ବ୍ୟକ୍ତିଙ୍କର ଯଦି ସ୍ବାସ୍ଥ୍ୟାବସ୍ଥା ବିଗୁଡୁଛି ତେବେ ସେ ତୁରନ୍ତ ୧୯୨୯ ନମ୍ବରରେ ଫୋନ୍ କରନ୍ତୁ। ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିବ। ଏବେ ସର୍ବାଧିକ ୧ ଘଣ୍ଟା ବ୍ୟବଧାନରେ ଆମ୍ବୁଲାନ୍ସ ପହଞ୍ଚୁଛି। ଆକ୍ରାନ୍ତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରିବା ପାଇଁ ଜୋନ୍ସ୍ତରରେ ୨ଟି ଲେଖାଏ ଆମ୍ବୁଲାନ୍ସ ରଖାଯାଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/corona-5.jpg)