ଆସୁ ଆସୁ ନୂଆ କମିସନର ସଞ୍ଜୟ କୁମାର ସିଂହଙ୍କ ଦମ୍‌ଦାର ପଦକ୍ଷେପ

ଆକ୍ରାନ୍ତ ସୂଚନା ୨୪ଘଣ୍ଟା ମିଳିବ, କଲ୍‌ ସେଣ୍ଟରରେ ବଢ଼ିଲା ଡାକ୍ତରଙ୍କ ସଂଖ୍ୟା

ଭୁବନେଶ୍ବର : ନୂଆ କମିସନର ସଞ୍ଜୟ କୁମାର ସିଂହ ଆଜି କାର୍ଯ୍ୟରେ ଯୋଗଦେବା ପରେ କୋଭିଡ‌ ପରିଚାଳନା ନେଇ ତୁରନ୍ତ ପଦକ୍ଷେପ ନେଇଛନ୍ତି। ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସହ ୧୯୨୯ କଲ୍‌ ସେଣ୍ଟର ବୁଲି ଦେଖିବା ପରେ ବହୁତ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି। ଏଥିରେ ପ୍ରତି କୋଭିଡ୍‌ ହସ୍ପିଟାଲରେ ଗୋଟିଏ ଲେଖାଏଁ ହେଲ୍ପ ଡେସ୍କ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହେଲ୍ପ ଡେସ୍କ‌ରେ ୨୪ଘଣ୍ଟା କର୍ମଚାରୀ ମୁତୟନ ହେବେ। ସେମାନେ ଆକ୍ରାନ୍ତଙ୍କ ବିଷୟରେ ପରିବାର ଲୋକଙ୍କୁ ସୂଚନା ଦେବେ।

ସମ୍‌ କୋଭିଡ୍‌ ହସ୍ପିଟାଲରେ ଖୋଲିବାକୁ ଥିବା ହେଲ୍ପ ଡେସ୍କରେ ୬ଜଣ କର୍ମଚାରୀ ରହିବେ, କିମ୍ସ କୋଭିଡ୍‌ ହସ୍ପିଟାଲରେ ୫ଜଣ କର୍ମଚାରୀ, ହାଇଟେକ୍ ହସ୍ପିଟାଲରେ ତିନି ଜଣ କର୍ମଚାରୀ, ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ, ବ୍ଲୁ ହୁଇଲ୍ ହସ୍ପିଟାଲରେ ଜଣେ ଲେଖାଏଁ କର୍ମଚାରୀ ରହିବେ। ଯେଉଁମାନେ ନିୟମିତ ଫୋନ୍‌ରେ ଆକ୍ରାନ୍ତଙ୍କ ସୂଚନା ପରିବାର ଲୋଙ୍କୁ ଦେବେ। ସେହିପରି ଏବେ ୧୯୨୯ କଲ୍‌ ସେଣ୍ଟରରେ ୨୫ଟି ଫୋନ୍ ଏକସଙ୍ଗେ କାମ କରୁଥିବାବେଳେ ଏହାକୁ ୩୦କୁ ବଢ଼ାଇବାକୁ କହିଥିଲେ। ଯେପରି କାହାର କଲ୍‌ ଡ୍ରପ୍ ହେବନି କି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି। କଲ୍‌ ସେଣ୍ଟରରେ କାମ କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଦୁଇଟି ପୃଥକ ପୃଥକ ବିଶ୍ରାମଗୃହ ରହିବ। ଗୋଟିକରେ ମହିଳା, ଆଉ ଗୋଟିଏରେ ପୁରୁଷ କର୍ମଚାରୀ ବିଶ୍ରାମ ନେବେ। ପ୍ରତି ସିଫ୍ଟରେ ୧୭ଜଣ ଲେଖାଏଁ କଲ୍‌ ସେଣ୍ଟର କର୍ମଚାରୀ ରହିବେ। ଯେପରି ଫୋନ୍‌ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଡାକ୍ତରୀ ପରାମର୍ଶ ମିଳିବ ସେଥିପାଇଁ ଅଧିକ ଡାକ୍ତରଙ୍କୁ କଲ୍‌ ସେଣ୍ଟରରେ ନିୟୋଜିତ କରାଯିବ। ଏଥିପାଇଁ ସକାଳ ଓ ସଂଧ୍ୟା ସିଫ୍ଟରେ ୭ଜଣ ଲେଖାଏଁ ଡାକ୍ତର ରହିବେ। ରାତି ସିଫ୍‌ଟରେ ଚାରି ଜଣ ଡାକ୍ତର ରହିବେ। ଲୋକଙ୍କୁ ୨୪ଘଣ୍ଟା ଡାକ୍ତରୀ ପରାମର୍ଶ ମିଳିବ। ପୂର୍ବରୁ ସକା‌ଳ, ସଂଧ୍ୟା ସିଫ୍‌ଟରେ ତିନି ଜଣ ଲେଖାଏଁ ଡାକ୍ତର ରହୁଥିବାବେଳେ ରାତିରେ ୨ଜଣ ରହୁଥିଲେ। ଏବେ ଏହାକୁ ବଢ଼ାଯାଇଛି।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୫ରୁ କାର୍ଯ୍ୟକାରୀ ହୋଇଥିବା ୧୯୨୯ କଲ୍‌ ସେଣ୍ଟରରୁ ବର୍ତ୍ତମାନ ସୁଦ୍ଧା ୩୫,୦୬୮ଟି କଲ୍‌ ଯାଇଥିବାବେଳେ ଏଠାକୁ ୩୧୩୩୪ଟି କଲ୍‌ ଆସିଛି। ଡାକ୍ତରମାନେ ୮,୫୫୧ଟି ପରାମର୍ଶ ଫୋନ୍‌ରେ ଦେଇଛନ୍ତି।

ସମ୍ବନ୍ଧିତ ଖବର