ଭୁବନେଶ୍ୱର: ସତ୍ୟ ନଗର ମଶାଣି ସମ୍ମୁଖରେ ୟୁନିଟ-୯ରେ ବିଏମ୍ସିର ମୁଖ୍ୟ କାର୍ଯ୍ୟାଳୟ ଏବଂ ସ୍ମାର୍ଟ ସିଟିର ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର୍ ପାଇଁ ଅଗଷ୍ଟ ୩୧, ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏହାର ପ୍ରାୟ ବର୍ଷକ ପରେ କର୍ତ୍ତୃପକ୍ଷ କାମ ଆରମ୍ଭ କରିଛନ୍ତି। ଆଜିଠାରୁ ସରକାରୀ କ୍ୱାର୍ଟର୍ସ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ କ୍ୱାର୍ଟର୍ସ ଉଚ୍ଛେଦ କରିବା ପରେ ନୂଆ ବିଲ୍ଡିଂର କାମ ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସ୍ମାର୍ଟ ସିଟି ପକ୍ଷରୁ ବାଣୀବିହାରରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ ନିର୍ମାଣ ହେଉଥିବାବେଳେ ଏହା କଡ଼ରେ ବିଏମ୍ସି ଓ ସ୍ମାର୍ଟ ସିଟିର କେନ୍ଦ୍ରୀୟ କାର୍ଯ୍ୟାଳୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୭୦କୋଟି ଖର୍ଚ୍ଚ ଅଟକଳ ହୋଇଥିବାବେଳେ ଡିଜାଇନ୍ ମଧ୍ୟ ପ୍ରସ୍ତୁତ ହୋଇଛି। ଟେଣ୍ଡର୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି। ତେଣୁ ନିର୍ମାଣକାରୀ ସଂସ୍ଥାକୁ ଜମି ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅତ୍ୟାଧୁନିକ ବିଲ୍ଡିଂ ନିର୍ମାଣ ପାଇଁ ୧୨ଟି ସରକାରୀ କ୍ୱାର୍ଟର୍ସ ଭଙ୍ଗାଯିବାକୁ ଥିବାବେଳେ ଆଜି ଦୁଇଟି କ୍ୱାର୍ଟର୍ସର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍ସି ଓ ବିଡିଏ ପକ୍ଷରୁ ୪ଆର୍/୩ ଓ ୪ଆର୍/୪ କ୍ୱାର୍ଟର୍ସ ଉଚ୍ଛେଦ ହୋଇଛି।
ଏଠାରେ ୪ଟି ୪ଆର୍ ଏବଂ ୮ଟି ୩ଆର୍ କ୍ୱାର୍ଟର୍ସ ଥିବାବେଳେ ଏହାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ସୁଦ୍ଧା ୪ଜଣ କ୍ୱାର୍ଟର୍ସ ଛାଡ଼ିଥିବାବେଳେ ବାକି ୮ଜଣ କ୍ୱାର୍ଟର୍ସ ଛାଡ଼ି ନାହାନ୍ତି। ଏନେଇ ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ୧୨ଟି କ୍ୱାର୍ଟର୍ସ ଭଙ୍ଗାଯିବାକୁ ଥିବାବେଳେ ସମସ୍ତଙ୍କୁ କ୍ୱାର୍ଟର୍ସ ଅନ୍ୟସ୍ଥାନରେ ଆବଣ୍ଟନ ହୋଇଯାଇଛି। ଖୁବ୍ ଶୀଘ୍ର କ୍ୱାର୍ଟର୍ସ ଖାଲି କରି ଉଚ୍ଛେଦ କାର୍ଯ୍ୟ ହେବ। ସେହିପରି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ପକ୍ଷରୁ ଏଠାରେ ଏକ ଗୋଦାମ ଘର ଥିବାବେଳେ ଏଠାରୁ ସତ୍ୟନଗର ମଶାଣିକୁ କାଠ ଯୋଗାଣ ହୁଏ। ସତ୍ୟନଗର ମଶାଣି ପରିସରରେ ଓଏଫ୍ଡିସିକୁ ଏକ ଜାଗା ଦିଆଯିବା ପରେ ଏହି ଗୋଦାମ ଘରକୁ ଉଚ୍ଛେଦ କରାଯିବ। ଏହି ନୂଆ ବିଲ୍ଡିଂ ୪.୦୪ଏକରରେ ନିର୍ମାଣ ହେବାକୁ ଥିବାବେଳେ ଏହା ୨ଲକ୍ଷ ୩୧ହଜାର ବର୍ଗଫୁଟ ଉପରେ ନିର୍ମାଣ ହେବ। ଏଥିପାଇଁ ୭୦କୋଟି ଖର୍ଚ୍ଚ ହେବ। ୯ମହଲା ବିଶିଷ୍ଟ ଏହି ବିଲ୍ଡିଂ ପାଇଁ ଡିଜାଇନ୍ ପ୍ରସ୍ତୁତ ସରିଛି। ଏଠାରେ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା ରହିବ। ଗ୍ରାଉଣ୍ଡ ଫ୍ଲୋର୍ ଏବଂ ଏହା ତଳ ମହଲା ସହ ତୃତୀୟ ମହଲାରେ ବିଏମ୍ସି କାର୍ଯ୍ୟାଳୟ ହେବ। ପ୍ରଥମ ଓ ଦ୍ୱିତୀୟ ମହଲା ଆଇସିଓଏମ୍ସି ପାଇଁ ରହିବ। ପ୍ରତି ମହଲାରେ ପ୍ରତୀକ୍ଷା ଗୃହ, ସମ୍ମିଳନୀ କକ୍ଷ ସହ ପୂରା ବିଲ୍ଡିଂ ପାଇଁ ଗୋଟିଏ ସେଣ୍ଟ୍ରାଲ କ୍ୟାଣ୍ଟିନ୍ ରହିବ। ସେହିପରି ବିଏମ୍ସିର ନୂତନ କାର୍ଯ୍ୟାଳୟରେ ନାଗରିକଙ୍କ ସୁବିଧା ପାଇଁ ଏକାଧିକ ସିଙ୍ଗଲ୍ ୱିଣ୍ଡୋ କାଉଣ୍ଟର୍, ସଭା ଗୃହ, ପୁରୁଣା ଓ ନୂତନ ଯୋଜନାଗୁଡ଼ିକ ପାଇଁ ପୃଥକ ପୃଥକ ପ୍ରକୋଷ୍ଠ ରହିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି। ସେହିପରି ଇଣ୍ଟିଗ୍ରେଟେଡ୍ ସିଟି ଅପରେସନ୍ ଆଣ୍ଡ୍ ମ୍ୟାନେଜ୍ମେଣ୍ଟ୍ ସେଣ୍ଟର୍ ବା ଆଇସିଓଏମ୍ସି କାର୍ଯ୍ୟାଳୟରେ ମାଷ୍ଟର୍ ସିଷ୍ଟମ୍ ଇଣ୍ଟିିଗ୍ରେଟର୍ ରହିବ ଯାହା ସହରର ଡିଜିଟାଲ୍ ପ୍ଲାଟ୍ଫର୍ମରେ ପରିଚାଳିତ ହେବାକୁ ଥିବା ମଲ୍ଟି ମୋଡାଲ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍, କ୍ୟାସ୍ଲେସ୍ ଟ୍ରାନ୍ଜେକ୍ସନ ପାଇଁ କମନ୍ ପେମେଣ୍ଟ୍ କାର୍ଡ ସିଷ୍ଟମ ଭଳି ପ୍ରକଳ୍ପକୁ ନିୟନ୍ତ୍ରଣ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/bmc-head-office-design.jpg)